11 JULY 2026

Welcome!

Unlock your personalized experience.
Sign Up

ଭାରତୀୟ ମହିଳା ଜଣାଇଲେ ନ୍ୟୁଜିଲାଣ୍ଡର 'ୱାର୍କ କଲଚର’ : କହିଲେ କର୍ମଚାରୀଙ୍କ ସମୟ, ପରିଶ୍ରମ ଓ ବ୍ୟକ୍ତିଗତ ଜୀବନକୁ ମିଳେ ସମ୍ମାନ

Jul 11, 2026 - 17:17
ଭାରତୀୟ ମହିଳା ଜଣାଇଲେ ନ୍ୟୁଜିଲାଣ୍ଡର 'ୱାର୍କ କଲଚର’ : କହିଲେ କର୍ମଚାରୀଙ୍କ ସମୟ, ପରିଶ୍ରମ ଓ ବ୍ୟକ୍ତିଗତ ଜୀବନକୁ ମିଳେ ସମ୍ମାନ

ନୂଆଦିଲ୍ଲୀ,୧୧।୭: ଭାରତରେ 'ୱାର୍କିଂ ଆୱାର’ ବା ‘କାର୍ଯ୍ୟ ସମୟ’, ଓଭର ଟାଇମ୍ ଏବଂ ୱାର୍କିଂ-ଲାଇଫ୍ ବାଲାନ୍ସକୁ ନେଇ ସବୁବେଳେ ବିତର୍କ ଜାରି ରହିଥାଏ। ଭଲ ଚାକିରୀ, ଭଲ ଦରମା ଓ ଜୀବନ ସ୍ତରର ସନ୍ଧାନରେ ବହୁ ସଂଖ୍ୟାରେ ଭାରତୀୟ ବିଦେଶ ଯାଉଛନ୍ତି। ଏଭଳି ସ୍ଥିତିରେ ଯେତେବେଳେ କୌଣସି ଭାରତୀୟ ବିଦେଶର ୱାର୍କ କଲଚର ନେଇ ନିଜର ଅନୁଭବ ସେୟାର କରନ୍ତି, ତାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି। ଆଜିକାଲି ନ୍ୟୁଜିଲାଣ୍ଡରେ କାମ କରୁଥିବା ଭାରତୀୟ ମହିଳା ୟାମିକା ଗାନ୍ଧୀ ଏଭଳି ଏକ ଭିଡିଓ ସେୟାର କରି ଚର୍ଚ୍ଚାରେ ଅଛନ୍ତି। ୟାମିକା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଭିଡିଓ ସେୟାର କରି କହିଛନ୍ତି ଯେ, ନ୍ୟୁଜିଲାଣ୍ଡରେ କର୍ମଚାରୀଙ୍କୁ କେବଳ କାମ କରୁଥିବା ମେସିନ୍ ନୁହେଁ, ବଂର ଜଣେ ମଣିଷ ଭାବରେ ଦେଖାଯାଏ। ସେ କହିଛନ୍ତି, ସେଠାର କର୍ମଚାରୀଙ୍କ ସମୟ, ପରିଶ୍ରମ ଓ ବ୍ୟକ୍ତିଗତ ଜୀବନକୁ ମଧ୍ୟ ସମ୍ମାନ କରାଯାଏ।

ଶୁକ୍ରବାର ଅପରାହ୍ନ ୪ଟା ସୁଦ୍ଧା ଖାଲି ହୋଇଯାଏ ଅଫିସ

ୟାମିକା ଭିଡିଓରେ ନିଜ ଅଫିସକୁ ଦେଖାଇଛନ୍ତି, ଯାହାକି ଶୁକ୍ରବାର ଅପରାହ୍ନ ସମୟ ପ୍ରାୟ ୪ଟା ସମୟର। ଏହି ସମୟରେ ପ୍ରାୟ ଅଫିସ ଖାଲି ହୋଇଯାଇଛି। ସେ କହିଛନ୍ତି, ଶୁକ୍ରବାର ତାଙ୍କର ଅଧିକାଂଶ ସହକର୍ମୀ ଘରୁ କାମ କରନ୍ତି, ତାଙ୍କ ମତରେ ନ୍ୟୁଜିଲାଣ୍ଡରେ ଧାର୍ଯ୍ୟ ସମୟ ପରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଅଫିସରେ ରହିବା ସାଧାରଣ କଥା ନୁହେଁ।

ଛୋଟ ଛୋଟ କାମ ପାଇଁ ବି ମିଳେ ‘ଥ୍ୟାଙ୍କ ୟୁ’

ୟାମିକା କହିଛନ୍ତି, ନିକଟରେ ସେ ଏକ ମହତ୍ବପୂର୍ଣ୍ଣ କାମ ଶେଷ କରିଥିଲେ। ଏହାପରେ ତାଙ୍କର ଜଣେ ସହକର୍ମୀ ତାଙ୍କୁ ମେସେଜ୍ କରିଥିଲେ। ସେ ତାଙ୍କୁ ‘ଥ୍ୟାଙ୍କ ୟୁ’ ବି ଜଣାଇଥିଲେ। ଏହା ସହ ତାଙ୍କର କାମକୁ ପ୍ରଶଂସା କରିଥିଲେ। ଆରମ୍ଭରୁ ଏହି କଥା ଶୁଣି ତାଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲା ବୋଲି କହିଛନ୍ତି ୟାମିକା।

 

‘ଅଧିକ ସମୟ ଅଫିସରେ ରୁହନି’

ୟାମିକା କହିଛନ୍ତି, ତାଙ୍କର ସହକର୍ମୀ ସବୁବେଳେ କୁହନ୍ତି ଯେ, ବିଳମ୍ବିତ ସମୟ ପର୍ଯ୍ୟନ୍ତ ଅଫିସରେ ରୁହ ନାହିଁ, ଘରକୁ ଯାଅ। ସେ କହିଛନ୍ତି, ଚାକିରୀ ଆରମ୍ଭ କରିବା ସମୟରେ ତାଙ୍କ ମ୍ୟାନେଜର ସ୍ପଷ୍ଟ କରିଥିଲେ ଯେ, ମୋତେ ୪୦ ଘଣ୍ଟାରୁ ଅଧିକ କାମ କରିବାକୁ ପଡିବନି। ଯଦି କୌଣସି ଡେଡଲାଇନ୍ କାରଣରୁ ଅତିରିକ୍ତ ଘଣ୍ଟାର କାମ କରିବାକୁ ପଡେ, ତେବେ ଅନ୍ୟ କୌଣସି ଦିନରେ ସେହି ସମୟର କ୍ଷତିପୂରଣ କରିବାକୁ ପରାମର୍ଶ ଦିଆଯାଏ।

‘କର୍ମଚାରୀଙ୍କୁ ମଣିଷ ବୋଲି ଭାବନ୍ତି’

ୟାମିକାଙ୍କ କହିବା ଅନୁସାରେ, ନ୍ୟୁଜିଲାଣ୍ଷର କର୍ମଚାରୀଙ୍କୁ କେବଳ ମେସିନ ନୁହେଁ, ବଂର ମଣିଷ ଭାବରେ ଦେଖାଯାଏ। ଯଦି କୌଣସି କର୍ମଚାରୀ କିଛି ସମସ୍ୟା ଦେଇ ଗତି କରୁଛି କିମ୍ବା ଠିକ୍ ନାହାନ୍ତି ତେବେ ମ୍ୟାନେଜର ଓ ସହକର୍ମୀ ତାଙ୍କର ସ୍ଥିତି ବିଷୟରେ ପଚାରି ବୁଝନ୍ତି ଏବଂ ଦରକାର ପଡିରେ ସାହାଯ୍ୟ ବି କରନ୍ତି।’

ଭାରତ ଓ ନ୍ୟୁଜିଲାଣ୍ଡର ଓ୍ବାର୍କ କଲଚର ପୁରା ଅଲଗା

ୟାମିକା ନିଜ ଅନୁଭବ ଆଧାରରେ କହିଛନ୍ତି, ଭାରତର ବହୁ କାର୍ଯ୍ୟସ୍ଥଳରେ କାମ କରୁଥିବା କର୍ମଚାରୀଙ୍କୁ ଓଭରଟାଇମ୍ ଓ କେବେ କେବେ ଓ୍ବିକଏଣ୍ଡରେ ବି କାମ କରିବାର ଆଶା କରାଯାଏ। ବହୁ ସ୍ଥାନରେ ପରିଶ୍ରମର ଆକଳନ କାମର ଗୁଣବତ୍ତା ତୁଳନାରେ ଅଫିସରେ ବିତାଇଥିବା ସମୟ ସହ ଯୋଡାଯାଏ। ତେବେ ଅଲଗା ଅଲଗା କମ୍ପାନୀରେ ଓ୍ବାର୍କ କଲଚର ଅଲଗା ହୋଇପାରେ ଓ ପ୍ରତି କର୍ମଚାରୀଙ୍କ ଅନୁଭବ ଏକା ଭଳି ହୋଇନପାରେ।

ୟାମିକାଙ୍କ ଏହି ଭିଡିଓ ଭାଇରାଲ ପରେ ସୋସିଆଲ ମିଡିଆରେ ଅନେକ ଭିନ୍ନ ଭିନ୍ନ ମତ ରଖିଛନ୍ତି। ବହୁ ୟୁଜର୍ସ ଲେଖିଛନ୍ତି, ତାଙ୍କୁ ବି ଏଭଳି ଓ୍ବାର୍କ କଲଚର ଦରକାର, ଯେଉଁଠାରେ କର୍ମଚାରୀଙ୍କ କାମ ସହିତ ତାଙ୍କର ବ୍ୟକ୍ତିଗତ ଜୀବନକୁ ମଧ୍ୟ ସମ୍ମାନ ଦିଆଯାଏ। ତେବେ ଆଉ କିଛି ୟୁଜର ଅଲଗା ରାୟ ଦେଇଛନ୍ତି। ତାଙ୍କର କହିବା ଅନୁସାରେ, କୌଣସି ଜଣେ କର୍ମଚାରୀଙ୍କ ଅନୁଭବ ଆଧାରରେ ପୁରା ଦେଶର ଓ୍ବାର୍କ କଲଚର ବିଷୟରେ ନିଷ୍କର୍ସରେ ପହଁଞ୍ଚିବା ଉଚିତ ନୁହେଁ, କାରଣ ପ୍ରତି କମ୍ପାନୀର ଓ୍ବାର୍କ କଲଚର ଅଲଗା ଥାଏ। ତେବେ ବର୍ତ୍ତମାନ ୟାମିକାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

ଆହୁରି ପଢନ୍ତୁ :ଗୋଟେ ଘଣ୍ଟାରେ ୧୦ହଜାର ଟଙ୍କା: ଛତା ବେପାରୀଙ୍କ ବ୍ୟବସାୟୀ ବୁଦ୍ଧି, ପାଉଛନ୍ତି ଡବଲ ଲାଭ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।