ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍: ଆଜି ଭାରତ -ବାଂଲାଦେଶ ମୁକାବିଲା, ସେମିଫାଇନାଲ ପାଇଁ ଟିମ୍‌ ଇଣ୍ଡିଆର ବିଜୟ ଜରୁରୀ

Jun 25, 2026 - 09:28
ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍: ଆଜି ଭାରତ -ବାଂଲାଦେଶ ମୁକାବିଲା, ସେମିଫାଇନାଲ ପାଇଁ ଟିମ୍‌ ଇଣ୍ଡିଆର ବିଜୟ ଜରୁରୀ

ମାଞ୍ଚେଷ୍ଟର,୨୫/୦୬: ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ଗ୍ରୁପ୍‌-୧ରେ ୨ଟି ମ୍ୟାଚ୍‌  ରହିଛି । ରାତି ୭ଟାରେ ଭାରତ ଓ  ବାଂଲାଦେଶ ସାମ୍ନାସାମ୍ନି ହେବେ ।  ସେହିପରି ରାତି ୧୧ଟାରୁ ଦକ୍ଷିଣ  ଆଫ୍ରିକା ଓ ନେଦରଲାଣ୍ଡ୍‌ସ ମ୍ୟାଚ୍‌  ଆରମ୍ଭ ହେବ । ଗ୍ରୁପ୍‌ ୧ରେ ଭାରତ, ଦକ୍ଷିଣ  ଆଫ୍ରିକା ଓ ବାଂଲାଦେଶ ସମାନ ୪ପଏଣ୍ଟ ଲେଖାଏଁ ପାଇ ଯଥାକ୍ରମେ ଦ୍ୱିତୀୟରୁ ଚତୁର୍ଥ ସ୍ଥାନରେ ରହିଛନ୍ତି । ଦକ୍ଷିଣ  ଆଫ୍ରିକା (-୦.୫୪୬) ଓ ବାଂଲାଦେଶ  (-୦.୬୪୧) ତୁଳନାରେ ଭାରତର  ରନ୍‌ରେଟ୍‌ +୨.୫୧୧) ଉନ୍ନତ  ରହିଛି । ଆଜି ବିଜେତା ଦଳ ସେମି ଦୌଡ଼ରେ ରହିବ  ଏବଂ ପରାଜିତ ଦଳ ବାଦ୍‌ ପଡ଼ିବା  ଏକପ୍ରକାର ନିଶ୍ଚିତ । ତେଣୁ ଉଭୟ  ମ୍ୟାଚ୍‌ କଡ଼ା ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି ।

ବାଂଲାଦେଶ ବିପକ୍ଷରେ ଭାରତର ପଲା ଭାରି ରହିବ । ଟି- ଟ୍ୱେଣ୍ଟିରେ ଉଭୟ ଦଳ ୨୩ଥର  -ସାମ୍ନାସାମ୍ନି ହୋଇଛନ୍ତି ଏବଂ ଭାରତ ୨୦ଟି ମ୍ୟାଚ୍‌ ଜିତିଛି । ଭାରତ ପୂର୍ବ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାଠୁ ପରାଜିତ ହୋଇଥିବାବେଳେ ବାଂଲାଦେଶ ଦଳ ପାକିସ୍ତାନକୁ ହରାଇ ସେମି ଆଶା  ଉଜ୍ଜୀବିତ ରଖିଛି । ଉଭୟ ଦଳରେ ଏକାଧିକ ତାରକା ଖେଳାଳି ରହିଛନ୍ତି ।  

ଅଧିକ ପଢ଼ନ୍ତୁ :-  ICC T20 Ranking: ଟି-ଟ୍ୱେଣ୍ଟି ରାଙ୍କିଂରେ ଭାରତର ଜଲୱା; ଟପ୍‌ ୭ ବ୍ୟାଟରରେ ୪ ଭାରତୀୟ, ଅଭିଷେକ ନଂ ୧

ଆଜି ଭାରତୀୟ ବ୍ୟାଟର ସ୍ମୃତି  ମନ୍ଧନା, ଶେଫାଳି ବର୍ମା ଓ ରିଚା  ଘୋଷଙ୍କ ଉପରେ ସମସ୍ତ ନଜର  ରହିବ । ଅଲରାଉଣ୍ଡର ରାଧା ଯାଦବ  ଏକାଦଶରେ ସ୍ଥାନ ପାଇବା ସମ୍ଭବନା  ରହିଛି । ବାଂଲାଦେଶ ଅପରିବର୍ତ୍ତିତ  ଦଳ ନେଇ ଖେଳିବା ଆଶା  କରାଯାଉଛି । ଓପନର ଜୁଆଇରିଆ  ଫିରଦ୍ଦୌସ ଭାରତୀୟ ବୋଲରଙ୍କ  ପାଇଁ ଆହ୍ୱାନପୂର୍ଣ୍ଣ ହେବେ ।

ସମ୍ଭାବ୍ୟ ଏକାଦଶ

ଭାରତ:  ଶେଫାଳି  ବର୍ମା, ସ୍ମୃତି ମନ୍ଧନା, ଜେମିମା  ରୋଡ୍ରିଗ୍ସ, ହର୍ମନପ୍ରୀତ କୌର  (ଅଧିନାୟିକା), ୟସ୍ତିକା ଭାଟିଆ/ ଭାରତୀ ଫୁଲମାଳି, ରିଚା ଘୋଷ,  ଦୀପ୍ତି ଶର୍ମା, ରାଧା ଯାଦବ, କ୍ରାନ୍ତି  ଗୌଡ଼/ଅରୁନ୍ଧତୀ ରେଡ୍ଡୀ, ନନ୍ଦନୀ  ଶର୍ମା, ଶ୍ରୀ ଚରଣୀ ।

ବାଂଲାଦେଶ:  ଦିଲାରା ଅକତର, ଜୁଆଇରିଆ  ଫିରଦ୍ଦୌସ, ଶର୍ମିନ ଅଖତର,  ନିଗାର ସୁଲତାନା (ଅଧିନାୟିକା),  ଶୋଭାନା ମୋସ୍ତାରି, ରିତୁ ମୋନି,  ଏସ୍‌. ଅକତର, ରାବେୟା ଖାନ,  ନାହିଦା ଅକତର, ମାରୁଫା ଅକତର,  ସଞ୍ଜିଦା ଅକତର ମେଘଲା ।