01 AUGUST 2026

Welcome!

Unlock your personalized experience.
Sign Up

ବନ୍ୟା ପ୍ରଭାବିତ ଅଞ୍ଚଳର ଚାଷୀମାନେ କ୍ଷୟକ୍ଷତି ନେଇ ଭୟଭୀତ ନହେବାକୁ ଉପମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

Jul 31, 2026 - 21:29
ବନ୍ୟା ପ୍ରଭାବିତ ଅଞ୍ଚଳର ଚାଷୀମାନେ କ୍ଷୟକ୍ଷତି ନେଇ ଭୟଭୀତ ନହେବାକୁ ଉପମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର: କୃଷକମାନଙ୍କ ଜୀବିକାର ସୁରକ୍ଷାକୁ ଅଗ୍ରାଧିକାର ଦେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବନ୍ୟା ପରିସ୍ଥିତି ଯୋଗୁଁ ହୋଇଥିବା ଫସଲ କ୍ଷୟକ୍ଷତିର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

ଏହି ବୈଠକରେ କୃଷି ବିଭାଗ କମିଶନର-ତଥା-ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ, ଓୟୁଏଟି କୁଳପତି ଡ. ପ୍ରଭାତ ରାଉଳ, ଉଦ୍ୟାନକୃଷି ନିର୍ଦ୍ଦେଶକ କାଲୁଙ୍ଗେ ଗୋରଖ ୱାମନ, ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା, ଆପିକଲ ପରିଚାଳନା ନିର୍ଦ୍ଦେଶକ ଶୁଭ୍ରାଂଶୁ ମିଶ୍ର ଏବଂ ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ନିତି ରଂଜନ ସେନ ପ୍ରମୁଖ ଉପସ୍ଥିତ ଥିଲେ। ଚାଷୀ ଭାଇଭଉଣୀମାନଙ୍କୁ ଆଶ୍ୱାସନା ଦେଇ ଉପମୁଖ୍ୟମନ୍ତ୍ରୀ ଆପୋଷ ବ୍ୟକ୍ତ କରିଛନ୍ତି ଯେ ରାଜ୍ୟ ସରକାର "ପ୍ରଥମେ ଚାଷୀ" (Farmers First) ନୀତିକୁ କଡ଼ାକଡ଼ି ଭାବେ ଆପଣାଉଛନ୍ତି ଏବଂ ପ୍ରଭାବିତ ଅଞ୍ଚଳର କୃଷକମାନଙ୍କୁ କ୍ଷୟକ୍ଷତି ନେଇ ଭୟଭୀତ ନହେବା ପାଇଁ ଅନୁରୋଧ କରିଛନ୍ତି। ପ୍ରାରମ୍ଭିକ ଆକଳନ ଅନୁଯାୟୀ ୧୮ଟି ଜିଲ୍ଲାର ଚାଷ ଜମି ପ୍ରଭାବିତ ହୋଇଛିଏଥିପାଇଁ ତୁରନ୍ତ ଆବଶ୍ୟକୀୟ ଜରୁରୀକାଳୀନ ପଦକ୍ଷେପ ଏବଂ ସହାୟତା ବ୍ୟବସ୍ଥା ସକ୍ରିୟ କରାଯାଇଛି।

ତୁରନ୍ତ ଏବଂ ସ୍ୱଚ୍ଛ ମୂଲ୍ୟାଙ୍କନ ନିଶ୍ଚିତ କରିବା ପାଇଁ ସରକାର ଏକ ସ୍ୱତନ୍ତ୍ର ଆକଳନ କମିଟି ଗଠନ କରିଛନ୍ତି, ଯାହା ଶୀଘ୍ର ବିସ୍ତୃତ ଫସଲ କ୍ଷତିପୂରଣ ରିପୋର୍ଟ ପ୍ରଦାନ କରିବ। ଏହି ରିପୋର୍ଟ ଆଧାରରେ ଏକ ବ୍ୟାପକ କୃଷି ସହାୟତା ପ୍ୟାକେଜ୍ ଘୋଷଣା କରାଯିବ, ଯେଉଁଥିରେ ସର୍ବାଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ଅଗ୍ରାଧିକାର ଦିଆଯିବ। ପ୍ରାରମ୍ଭିକ କ୍ଷୟକ୍ଷତି ସମୟରେ ଚାଷୀଙ୍କୁ ସହାୟତା କରିବା ପାଇଁ ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ବିହନ ଉପଲବ୍ଧତା ସମ୍ପର୍କିତ ଏକ ସମ୍ପୂର୍ଣ୍ଣ ଜରୁରୀକାଳୀନ ରିପୋର୍ଟ ଉପସ୍ଥାପନ କରିଛନ୍ତି।

ସହାୟତା ପଦକ୍ଷେପ ସହିତ, ଚାଷୀମାନଙ୍କୁ ଫସଲର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ଓୟୁଏଟି ଏବଂ କୃଷି ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞଙ୍କ ମାଧ୍ୟମରେ ଦୈନନ୍ଦିନ ଫସଲ ପରାମର୍ଶ (Crop Advisory) ଜାରି କରାଯାଉଛି। କୃଷକମାନଙ୍କୁ ବିଦ୍ୟମାନ ଧାନ ତଳିଘରର ଯତ୍ନ ନେବା, ସ୍ୱଳ୍ପ ଅବଧି ବିଶିଷ୍ଟ ବିହନ ବ୍ୟବହାର କରିବା ଏବଂ ଗୁରୁତର ଭାବେ କ୍ଷତିଗ୍ରସ୍ତ ଜମିରେ ଅଣ-ଧାନ ଫସଲ ଆପଣେଇବା ପାଇଁ ପରାମର୍ଶ ଦିଆଯାଇଛି। ଖରିଫ ଫସଲର କ୍ଷତିପୂରଣ ପାଇଁ ଆଗାମୀ ରବିଋତୁ ଉପରେ ସରକାର ସ୍ୱତନ୍ତ୍ର ଧ୍ୟାନ ଦେବେ। କ୍ଷେତ୍ରସ୍ତରୀୟ ସମସ୍ୟା ଏବଂ ଅଭିଯୋଗର ସମାଧାନ ପାଇଁ ମୁଖ୍ୟାଳୟରେ ଜଣେ ନୋଡାଲ ଅଫିସର ଏବଂ ବ୍ଲକ ସ୍ତରରେ ନିୟୋଜିତ ଅଧିକାରୀଙ୍କୁ ନେଇ ଏକ ତ୍ରିସ୍ତରୀୟ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଚାଷୀମାନେ ପରାମର୍ଶ ଏବଂ ସହାୟତା ପାଇଁ ସକାଳ ୮:୦୦ ରୁ ସନ୍ଧ୍ୟା ୮:୦୦ ପର୍ଯ୍ୟନ୍ତ ଟୋଲ୍-ଫ୍ରି କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର *୧୫୫୩୩୩* ରେ ଯୋଗାଯୋଗ କରିପାରିବେ।

ଏହି ବୈଠକରେ କୃଷି ନିର୍ଦ୍ଦେଶାଳୟ, ଜଳସମ୍ପଦ ବିଭାଗ ଏବଂ ଏସଆରସି କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ, 'ପିଏମ୍-କିଷାନ' (PM-KISAN) ଯୋଜନାକୁ ଆଉ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରିବା ଏବଂ ଏନର୍ଜି ଷ୍ଟୋରେଜ୍ ସିଷ୍ଟମ୍ (ଶକ୍ତି ସଂରକ୍ଷଣ ପ୍ରଣାଳୀ) ସହିତ ଭାସମାନ ସୌର ଫୋଟୋଭୋଲ୍ଟାଇକ୍ ପ୍ରକଳ୍ପର ବିକାଶ ପାଇଁ 'ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ସରୋବର ଯୋଜନା (PM-SSY)' କୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଥିବାରୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀ ଏବଂ କୃଷକମାନଙ୍କ ତରଫରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।