Welcome!

Unlock your personalized experience.
Sign Up

କଲେଜ ସ୍ୱପ୍ନ ବ୍ୟୟବହୁଳ : ମୋଟା କୋଚିଂ ଫି’ରେ ଦବିଗଲେଣି ଅଭିଭାବକ

Jul 31, 2026 - 20:25
କଲେଜ ସ୍ୱପ୍ନ ବ୍ୟୟବହୁଳ : ମୋଟା କୋଚିଂ ଫି’ରେ ଦବିଗଲେଣି ଅଭିଭାବକ
  • ଗତ ଦଶନ୍ଧିରେ ବାର୍ଷିକ ପାରିବାରିକ ଆୟ ବଢ଼ିଛି ୧୧.୯%
  • ପିଲାଙ୍କ ଶିକ୍ଷା ବାବଦ ବ୍ୟୟ ୧୫.୭% ବୃଦ୍ଧି ପାଇଛି
  • ହାରାହାରି ଭାରତୀୟ ପରିବାରଙ୍କ ଶିକ୍ଷା ବାବଦ ଖର୍ଚ୍ଚ ଆୟର ୩%

ନୂଆଦିଲ୍ଲୀ,୩୧/୦୭: ଦିଲ୍ଲୀରେ ପ୍ରତିବାଦ ପରେ ଏବେ ଦେଶର ଘରୋଇ କୋଚିଂ ପ୍ରତିଷ୍ଠାନଗୁଡ଼ିକର ମୋଟା ଟ୍ୟୁସନ ଫି କୁ ନେଇ ଚର୍ଚ୍ଚା ହୋଇଛି ସରଗରମ । ସ୍କୁଲ ପରେ ପିଲାଙ୍କ କଲେଜ୍ ସ୍ୱପ୍ନ ପାଲଟିଛି ବ୍ୟୟବହୁଳ । କିଭଳି ପିଲାଙ୍କ ପାଠପଢ଼ା ଖର୍ଚ୍ଚରେ ପରିବାରଗୁଡ଼ିକ ଦବିଗଲେଣି ତାହା ଆଲୋଚନାର ବିଷୟବସ୍ତୁ ।

ଭାରତରେ ପାରିବାରିକ ବଜେଟରେ ଏକ ବଡ଼ ଅଂଶ ନେଉଛି ସ୍କୁଲ-ପରବର୍ତ୍ତୀ ଟ୍ୟୁସନ ଖର୍ଚ୍ଚ । ପ୍ରତିଷ୍ଠିତ କଲେଜ୍ର ସୀମିତ ସିଟ୍ ପାଇଁ ଲକ୍ଷ ଲକ୍ଷ ପିଲାଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି (ସିଏମ୍ଆଇଇ) ତଥ୍ୟ ଅନୁସାରେ, ଗତ ଦଶନ୍ଧିରେ ଭାରତୀୟ ପରିବାରର ବାର୍ଷିକ ଆୟ ହାରାହାରି ୧୧.୯% ହାରରେ ବଢ଼ିଛି । ଅନ୍ୟପକ୍ଷରେ, ପିଲାଙ୍କ ପାଠପଢ଼ା ବାବଦ ଖର୍ଚ୍ଚ ୧୫.୭% ହାରରେ ବଢ଼ିଛି। ଅର୍ଥାତ୍ ଆୟଠୁ ଦ୍ରୁତ ବେଗରେ ବଢ଼ିଛି ଶିକ୍ଷା ବାବଦ ବ୍ୟୟ । ଭାରତରେ ହାରାହାରି ପରିବାର ସେମାନଙ୍କ ଆୟର ୩% ଶିକ୍ଷାରେ ଖର୍ଚ୍ଚ କରୁଛନ୍ତି। ଏହା ଦଶନ୍ଧିରେ ସର୍ବୋଚ୍ଚ। ୨୦୧୪-୧୫ରେ ଏହା ଥିଲା ୧.୯୫% । ତେବେ ପରିବାରର ଶିକ୍ଷା ବଜେଟରେ ସବୁଠୁ ଅଧିକ ଅଂଶ ନେଉଛି ଘରୋଇ ଟ୍ୟୁସନ। ଏ ବାବଦ ଖର୍ଚ୍ଚ ଦ୍ରୁତ ବେଗରେ ବଢ଼ିଚାଲିଛି। ବର୍ଷକୁ ହାରାହାରି ୧୬.୭% ହାରରେ ବଢିଛ ଘରୋଇ ଟ୍ୟୁସନ ଫି। । ସ୍କୁଲ ଓ କଲେଜ୍ ଫି ୧୪% ହାରରେ ବଢ଼ିଥିବାବେଳେ ବହିଖାତାରେ ଖର୍ଚ୍ଚ ବର୍ଷକୁ ୧୭.୫% ହାରରେ ବଢ଼ିଛି। ଏକ ସୁଲଭ ଏବଂ ପ୍ରତିଷ୍ଠିତ ସରକାରୀ କଲେଜ୍ରେ ସିଟ୍ ଟିଏ ପାଇବା ପାଇଁ ଅଧିକାଂଶ ପରିବାର ଏହି ଖର୍ଚ୍ଚ ବହନ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି ।

ଅଧିକ ପଢ଼ନ୍ତୁ: ତଥ୍ୟ କହୁଛି: ପ୍ରତି ଦଶଜଣରେ ଜଣେ ବେରୋଜଗାର ; ସହରୀ ଯୁବକଙ୍କ ପାଇଁ ଚାକିରି ପାଲଟିଛି ବଡ଼ ଚ୍ୟାଲେଞ୍ଜ

ସରକାରୀ କଲେଜରେ ୫ ବର୍ଷିଆ ମେଡିକାଲ ଡିଗ୍ରୀ ପାଇଁ ୫୦,୦୦୦ ଟଙ୍କାରୁ ସାମାନ୍ୟ ଅଧିକ ଖର୍ଚ୍ଚ ହୋଇଥାଏ । ଅନ୍ୟପକ୍ଷରେ, ଘରୋଇ କଲେଜ୍ରେ ଅନ୍ୟୁନ ୫୦ ଲକ୍ଷ ଟଙ୍କା ପକେଟରୁ ଯିବା ଥୟ । ଏଭଳି ସ୍ଥିତିରେ ଅଭାଭାବକ ଚାହାନ୍ତି, ଯାହା ଖର୍ଚ୍ଚ ହେଉ ପଛେ ଭଲ ଘରୋଇ କୋଚିଂ ପ୍ରତିଷ୍ଠାନରେ ନାଁ ଲେଖାଇ ପିଲା ସରକାରୀ କଲେଜରେ ସିଟ୍ ପାଇଯାଉ । ଭାରତରେ ମେଡିକାଲ ଏବଂ ଇଞ୍ଜିନିୟରିଂ ଡିଗ୍ରୀର ଚାହିଦା ଢେର । ଏ ବର୍ଷ ବାତିଲ ହୋଇଥିବା ମେଡିକାଲ ପ୍ରବେଶିକା ପରୀକ୍ଷା ଏନ୍ଇଇଟି ପାଇଁ ପ୍ରାୟ ୨୩ ଲକ୍ଷ ଛାତ୍ରଛାତ୍ରୀ ରହିଥିଲେ । ସେମାନେ ଦେଶବ୍ୟାପୀ ପ୍ରାୟ ୧,୪୦,୦୦୦ ଅଣ୍ଡର୍ଗ୍ରାଜୁଏଟ୍ ମେଡିକାଲ ସ୍କୁଲ୍ ସିଟ୍ ପାଇଁ ପ୍ରତିଯୋଗିତା କରୁଥିଲେ । ଏହି ସିଟ୍ ମଧ୍ୟରୁ ୧୦,୦୦୦ରୁ କମ୍ ଦେଶର ଶ୍ରେଷ୍ଠ ୫୦ ମେଡିକାଲ କଲେଜ ପାଇଁ ରହିଥିଲା । ପ୍ରତିଷ୍ଠିତ ସରକାରୀ କଲେଜରେ ନାଁ ଲେଖାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ପ୍ରଶ୍ନପତ୍ର ଲିକ୍ ହେବା ଉକ୍ତ ପରିବାରଗୁଡ଼ିକ ପାଇଁ ନିଶ୍ଚିତ ଭାବେ ଯନ୍ତ୍ରଣାଦାୟକ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: LPG : ଅଗଷ୍ଟ ୧ ରୁ ବଢିପାରେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦର, ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଦେବାକୁ ପଡିପାରେ ଅତିରିକ୍ତ ୩ ଶହ ଟଙ୍କା…

ଜେଇଇରେ ପଞ୍ଜୀକରଣ ୨୦୨୬ରେ ୧୬ ଲକ୍ଷ ରହିଥିଲା । ଆଶ୍ଚର୍ଯ୍ୟର କଥା ହେଉଛି ଦେଶର ଶ୍ରେଷ୍ଠ ୧୦୦ ଇଞ୍ଜିନିୟରିଂ କଲେଜରେ ମାତ୍ର ୧,୩୪,୦୦୦ ସିଟ୍ ରହିଛି । ଟପ୍ କଲେଜରେ ଏଣ୍ଟ୍ରି ପାଇବା ପାଇଁ ପିଲାଙ୍କ ଘରୋଇ କୋଚିଂ ପାଇଁ ମୋଟା ଆକାରରେ ବ୍ୟୟ କରୁଛନ୍ତି ପରିବାର । ଏହି କୋଚିଂ ପ୍ରତିଷ୍ଠାନଗୁଡ଼ିକର ଫି’ ଢାଞ୍ଚାକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ କ୍ଷମତା ସୀମିତ ରହିଛି । ୨୦୧୮ରେ ୩୦% ମାଧ୍ୟମିକ ସ୍କୁଲ ଛାତ୍ରଛାତ୍ରୀ ଘରୋଇ ଟ୍ୟୁସନ ନେଇଥିବାବେଳେ ୨୦୨୫ରେ ଏହା ୩୮% କୁ ବୃଦ୍ଧି ପାଇଛି । ୨୦୨୫ରେ ପରିବାରଗୁଡ଼ିକ ସେମାନଙ୍କ ପିଲାର ମୋଟ ଶିକ୍ଷା ବଜେଟର ହାରାହାରି ୧୬% ଘରୋଇ କୋଚିଂରେ ଖର୍ଚ୍ଚ କରିଛନ୍ତି, ଯାହାକି ୨୦୧୮ରେ ଥିଲା ୧୨.୫% ।

ଗ୍ରାମାଞ୍ଚଳରେ ବିତ୍ତୀୟ ଚାପ ଆହୁରି ଅଧିକ । ପିଲାର ଗ୍ରେଡ୍ ବଢ଼ିବା ସହିତ କୋଚିଂ ଖର୍ଚ୍ଚ ବଢ଼ିଚାଲିଛି । ଉଚ୍ଚ ମାଧ୍ୟମିକ ସ୍କୁଲରେ ଥିବା ପିଲାମାନଙ୍କ ପରିବାର ୨୦୨୫ରେ ସେମାନଙ୍କ ଶିକ୍ଷା ବଜେଟର ଏକ ତୃତୀୟାଂଶ ଘରୋଇ କୋଚିଂରେ ବ୍ୟୟ କରିଛନ୍ତି, ଯାହାକି ୨୦୧୮ରେ ଥିଲା ୧୮% । ଶିକ୍ଷା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବଜେଟ ବରାଦ କମୁଥିବାବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି । ଶିକ୍ଷା ମନ୍ତ୍ରାଳୟକୁ ୨୦୨୬- ୨୭ ବଜେଟରେ ମିଳିଛି ୧.୩୯ ଲକ୍ଷ କୋଟି ଟଙ୍କା, ଯାହାକି ମୋଟ ବଜେଟ ବରାଦର ମାତ୍ର ୨.୬% ।

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ୨୦୨୦ ଗଲୱାନ୍ ଘାଟି ସଂଘର୍ଷ ପରେ ଏହା ହେବ ତାଙ୍କର ପ୍ରଥମ ଗସ୍ତ…

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।