ଟିମ୍ ଇଣ୍ଡିଆରେ ବୈଭବଙ୍କ ଡେବ୍ୟୁ ପୂର୍ବରୁ ବୟସକୁ ନେଇ ପ୍ରଶ୍ନ ଉଠାଇଲେ ପୂର୍ବତନ ପାକିସ୍ତାନୀ କ୍ରିକେଟର
ନୂଆଦିଲ୍ଲୀ: ବିଧ୍ବଂସୀ ବ୍ୟାଟ୍ସମ୍ୟାନ ବୈବଭ ସୂର୍ଯ୍ୟବଂଶୀ ଆଇପିଏଲରେ କମାଲ ବ୍ୟାଟିଂ କରିବା ପରେ ଇଣ୍ଡିଆ-ଏ ଟିମରେ ସାମିଲ ହୋଇଥିଲେ । ଶ୍ରୀଲଙ୍କାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ସିରିଜର ଫାଇନାଲରେ ବିସ୍ଫୋରକ ବ୍ୟାଟିଂ କରିବା ପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଉ ଏବେ ଟିମ୍ ଇଣ୍ଡିଆରେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି ଏହି ଯୁବ ବ୍ୟାଟ୍ସମ୍ୟାନ୍ । ୧୫ ବର୍ଷ ବୟସରେ ଡେବ୍ୟୁ କରିବା ପାଇଁ ଯାଉଥିବାବେଳେ ତାଙ୍କ ବୟସକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର ।
ଆୟାରଲ୍ୟାଣ୍ଡ ବିପକ୍ଷ ଟି-୨୦ରେ ବୈଭବ ଡେବ୍ୟୁ କରିବାକୁ ଯାଉଛନ୍ତି । ତେବେ ସେ କମ ବୟସରେ ଦଳରେ ସାମିଲ ହେବାକୁ ଯାଉଥିବାବେଳେ ଯେଭଳି ପ୍ରଦର୍ଶନ କରୁଛନ୍ତି ଅଭିଜ୍ଞ ଖେଳାଳି ମଧ୍ୟ ପଛରେ ପଡ଼ିଯିବେ । ସେପଟେ ଏହାରି ଭିତରେ ପାକିସ୍ତାନର ପୂର୍ବତନ କ୍ରିକେଟର ତନବୀର ଅହମ୍ମଦ ତାଙ୍କ ବୟସକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ ଦାବି କରିଛନ୍ତି କି, ବୈଭବଙ୍କ ବୟସ ୧୫ ନୁହେଁ ବରଂ ୨୧-୨୨ ହେବ । ଯାହାକୁ ନେଇ ସେ ଅଜବ ଯୁକ୍ତି ମଧ୍ୟ ବାଢ଼ିଛନ୍ତି ।
ଏକ ପାକିସ୍ତାନୀ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେବା ସମୟରେ ଏଭଳି ପ୍ରକାଶ କରିଛନ୍ତି ତନବୀର । ସେ ଯେଉଁଭଳି ଭାବେ ଛକା ମାରୁଛନ୍ତି ଏବଂ ବ୍ୟାଟ୍ ସ୍ବିଙ୍ଗ୍ କରୁଛନ୍ତି ଜଣେ ୧୫ ବର୍ଷୀୟ ବାଳକ କ’ଣ ସେଭଳି କରିପାରିବ ବୋଲି ସେ ପ୍ରକାଶ କରିଛନ୍ତି । ଏହାସହ ସେ କହିଛନ୍ତି କି, ବୈଭବ ଏବେ ଲମ୍ବା ଛକା ମାରୁଛନ୍ତି ଯାହା ଦେଖିବାକୁ ଭଲ ଲାଗୁଛି । ଯେଉଁଦିନ ସେ ବିଫଳ ହେବେ ବଲ ଖୋଜିବାରେ ଲାଗିପଡ଼ିବେ ।
ବୈଭବ ଏବେ ପିଲାଥିବା ବେଳେ ତାଙ୍କର ଦୃଷ୍ଟିଶକ୍ତି ତୀକ୍ଷ୍ଣ ରହିଛି । ଯଦି ସେ ସମୟ ସହ ଫର୍ମରୁ ବାହାରକୁ ଯାଆନ୍ତି ତାହେଲେ ପୁଣିଥରେ ଫେରିବା ଅସମ୍ଭବ ହୋଇପଡ଼ିବ । ଏହାସହ ବୈଭବଙ୍କ ପାଖରେ ଅନେକ ଗୁଡ଼ିଏ ତ୍ରୁଟି ରହିଛି ବୋଲି ସେ କହିଛନ୍ତି । ତାଙ୍କ ପାଖରେ କୌଶଳର ଅଭାବ ରହିଛି । ମିଡିଲ ଷ୍ଟମ୍ପ୍ ବାହାରେ ଯଦି ତାଙ୍କୁ ବୋଲିଂ କରାଯାଏ ତାହେଲେ ସେ ସହଜରେ ଧରାପଡ଼ିବେ ବୋଲି ଦାବି କରିଛନ୍ତି ।
ଏହାସହ ପଢ଼ନ୍ତୁ : FIFA 2026: ଫିଫା ବିଶ୍ୱକପରେ ୧୦୦ ବର୍ଷୀୟା ପ୍ରଶଂସକ; ମେସିଙ୍କୁ ଚିଡ଼ାଇବାକୁ ଚେଷ୍ଟା କରୁଥିବା ଦର୍ଶକଙ୍କୁ ଦେଲେ ଉଚିତ୍ ଜବାବ