ଓଡ଼ିଶାରେ ବନ୍ୟା ବିଭୀଷିକା: ପରିଚାଳନାକୁ ନବୀନଙ୍କ କଟାକ୍ଷ, ମୁହଁତୋଡ ଜବାବ ଦେଲେ ସୁରେଶ
ଭୁବନେଶ୍ବର: ଓଡ଼ିଶାରେ ବନ୍ୟା ପରିସ୍ଥିତିକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ । ବନ୍ୟା ପରିଚାଳନାରେ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ନବୀନ ଅଭିଯୋଗ କରିଛନ୍ତି । ଏପରିକି ସେ କଟାକ୍ଷ କରିଛନ୍ତି କି, ରାଜ୍ୟବାସୀ ବନ୍ୟାରେ ହନ୍ତସନ୍ତ ହେଉଥିବାବେଳେ ମୁଖ୍ୟମନ୍ତ୍ରୀ ଓ ବିଜେପି ସାଂସଦମାନେ ଦିଲ୍ଲୀରେ ବସିଛନ୍ତି । ତେବେ ଏହାର ମୁହଁତୋଡ଼ ଜବାବ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ, ସେ କହିଛନ୍ତି ରାଜ୍ୟ ସରକାର ଗମ୍ଭୀରତାର ସହ ବନ୍ୟାର ମୁକାବିଲା କରୁଛନ୍ତି। ଏଭଳି ବିପଦ ସମୟରେ ନବୀନବାବୁ ହୀନ ରାଜନୀତିର ନ କରନ୍ତୁ ବୋଲି ସୁରେଶ ପୂଜାରୀ କହିଛନ୍ତି ।
ନବୀନ କଟାକ୍ଷ କରି କହିଛନ୍ତି କି, ଲଗାଣ ବର୍ଷା ଯୋଗୁଁ ସାରା ରାଜ୍ୟରେ ବନ୍ୟାର ସ୍ଥିତି ଦେଖାଦେଇଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିର ଶୀର୍ଷ ନେତା ତଥା ସାଂସଦମାନେ ଏବେ ଦିଲ୍ଲୀରେ । ଏପରି ଅସମୟରେ ନିଜ ଲୋକଙ୍କ ସୁରକ୍ଷାଠାରୁ ଅଧିକ ଗମ୍ଭୀର ବିଷୟ କ'ଣ ହୋଇପାରେ ? ବନ୍ୟା ପାଇଁ ମୟୂରଭଞ୍ଜ, ବାଲେଶ୍ୱରରୁ ନେଇ ଭଦ୍ରକ, ଯାଜପୁର, ଝାରସୁଗୁଡ଼ା, ଢେଙ୍କାନାଳ, ସମ୍ବଲପୁର ଆଦି ବିଭିନ୍ନ ଜିଲ୍ଲାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବନ୍ୟାରେ ଏକାଧିକ ନିରୀହ ଜୀବନ ଯିବାର ଖବର ଆସିବା ମୋ ସହିତ ସମଗ୍ର ଓଡ଼ିଶାବାସୀଙ୍କୁ ମଧ୍ୟ ବ୍ୟଥିତ କରିଛି । ଏପରି ଅସମୟରେ ଲୋକଙ୍କ ସାଥିରେ ଦୃଢ଼ ଭାବେ ଛିଡ଼ା ହେବା ବଦଳରେ ସରକାରୀ ଅବହେଳାର ମାଳ ମାଳ ଅଭିଯୋଗ ଆସୁଛି ।
ବନ୍ୟା ପରିଚାଳନା ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆକ୍ରମଣର ଦୃଢ଼ ଜବାବ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ନବୀନଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରି ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛତିଶଗଡ଼ ସହ ଉଚ୍ଚସ୍ଥରୀୟ ଆଲୋଚନା ଏବଂ ମୁଖ୍ୟ ଶାସନ ସଚିବ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପାଇଁ ଯାଇଛନ୍ତି ଓ ସେମାନେ ନିରନ୍ତର ଯୋଗାଯୋଗରେ ଅଛନ୍ତି। 'ସବକା ସାଥ୍, ସବକା ବିକାଶ' ନୀତିରେ ଚାଲୁଥିବା ବିଜେପି ସରକାରର ମନ୍ତ୍ରୀ ଓ ପ୍ରଶାସନ ଜୀବନକୁ ବାଜି ଲଗାଇ ଡଙ୍ଗାରେ ବନ୍ୟାଞ୍ଚଳକୁ ଯାଇ ଲୋକଙ୍କ ସେବା କରୁଛନ୍ତି। ୨୪ ବର୍ଷ ଧରି ରାଜ୍ୟ ଶାସନ କରିଥିବା ନବୀନବାବୁ ନବୀନ ନିବାସର ଚାରିକାନ୍ଥ ଭିତରେ ନରହି ପ୍ରଭାବିତ ଲୋକଙ୍କ ପାଖକୁ ଆସନ୍ତୁ ଏବଂ ବିରୋଧୀ ଦଳ ନେତାଙ୍କ ପ୍ରକୃତ କର୍ତ୍ତବ୍ୟ ତୁଲାନ୍ତୁ । ଏଭଳି ସମୟରେ ନବୀନ ବାବୁ ରାଜନୀତି ରୁଟି ନ ସେକନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।
ଏହାସହ ପଢ଼ନ୍ତୁ : ମହାନଦୀ ଜଳବଣ୍ଟନ ଓ ପରିଚାଳନା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।