ନିର୍ମାଣାଧୀନ ପାଇଖାନା ଟାଙ୍କି ଖାଲରେ ପଡି ଚାଲିଗଲା ଭାଇ-ଭଉଣୀଙ୍କ ଜୀବନ
କୋଇଡା, ୩୦।୭ : କୋଇଡ଼ା ଥାନା ଅନ୍ତର୍ଗତ କାଦଡିହା ଗ୍ରାମରେ ଗୁରୁବାର ସକାଳେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ପାଇଖାନା ଟାଙ୍କି ନିର୍ମାଣ ପାଇଁ ଖୋଳାଯାଇଥିବା ବର୍ଷା ଜଳପୂର୍ଣ୍ଣ ଖାଲରେ ଖସିପଡ଼ି ଦୁଇ ନାବାଳକ ଭାଇ-ଭଉଣୀଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତ ଶିଶୁ ଦ୍ୱୟ ହେଲେ କାଡୋଡିହା ଗ୍ରାମର ଶମ୍ଭୁ ଭୂମିଜଙ୍କ ୫ ବର୍ଷର ଝିଅ ପ୍ରିୟା ଭୂମିଜ ଓ ୩ ବର୍ଷର ପୁଅ ମନୋଜ ଭୂମିଜ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରିୟା ଓ ମନୋଜ ଘର ନିକଟରେ ଥିବା ପଡିଆକୁ ଶୌଚ କରିବାକୁ ଯାଇଥିଲେ। ତେବେ ପଡିଆ ନିକଟରେ ପଡୋଶୀ ଘରର ନୂଆ କରି ଖୋଳାଯାଇଥିବା ଗଭୀର ଖାଲଟି ବର୍ଷା ଜଳରେ ସମ୍ପୂର୍ଣ୍ଣ ଭର୍ତ୍ତି ହୋଇ ରହିଥିଲା। ଦୁଇ ଶିଶୁ ଅସାବଧାନତା ବଶତଃ ସେହି ଖାଲ ନିକଟକୁ ଚାଲିଯିବାରୁ ଗୋଡ଼ ଖସି ପାଣି ଭିତରକୁ ଖସିପଡ଼ିଥିଲେ।
କିଛି ସମୟ ପରେ ଦୁଇ ଶିଶୁ ପାଣିରେ ବୁଡ଼ି ଯାଉଥିବା ନେଇ ପରିବାର ଲୋକ ଓ ସ୍ଥାନୀୟ ଗ୍ରାମବାସୀ ଖବର ପାଇଥିଲେ। ସଙ୍ଗେ ସଙ୍ଗେ ଗ୍ରାମବାସୀମାନେ ଘଟଣାସ୍ଥଳକୁ ଦୌଡ଼ିଆସି ଦୁହିଁଙ୍କୁ ଖାଲ ଭିତରୁ ଉଦ୍ଧାର କରିଥିଲେ। ଅତି ଗୁରୁତର ଅବସ୍ଥାରେ ସେମାନଙ୍କୁ ତୁରନ୍ତ କୋଇଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ଦୁଇ ଭାଇ-ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ।
ଗୋଟିଏ ପରିବାରର ଦୁଇ ଦୁଇଟି କୋମଳମତି ଶିଶୁଙ୍କର ଏଭଳି ଦୁଃଖଦ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ଗ୍ରାମବାସୀମାନେ ସ୍ତବ୍ଧ ହୋଇପଡ଼ିଛନ୍ତି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
ଆହୁରି ପଢନ୍ତୁ : ରେଙ୍ଗାଲି ଡ୍ୟାମରୁ ନିଷ୍କାସନ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।