ଅନଲାଇନ୍ ଫ୍ରଡ୍‌ର ଶିକାର ହେଲେ ମିଳିବ ୨୫ ହଜାର ଟଙ୍କାର କ୍ଷତିପୂରଣ, ଜାଣନ୍ତୁ କେବେଠୁ RBI ଆରମ୍ଭ କରିବ ଏହି ସୁବିଧା ?

Jun 25, 2026 - 18:21
ଅନଲାଇନ୍ ଫ୍ରଡ୍‌ର ଶିକାର ହେଲେ ମିଳିବ ୨୫ ହଜାର ଟଙ୍କାର କ୍ଷତିପୂରଣ, ଜାଣନ୍ତୁ କେବେଠୁ RBI ଆରମ୍ଭ କରିବ ଏହି ସୁବିଧା ?

ନୂଆଦିଲ୍ଳୀ,୨୫।୬: ଭାରତରେ ଡିଜିଟାଲ ପେମେଣ୍ଟ ବ୍ୟବହାର ଦୃତ ଗତିରେ ବଢିବାରେ ଲାଗିଛି। ୟୁପିଆଇ, ନେଟ୍ ବ୍ୟାଙ୍କିଙ୍ଗ, ମୋବାଇଲ ବ୍ୟାଙ୍କିଙ୍ଗ ଓ କାର୍ଡ ପେମେଣ୍ଟ କାରଣରୁ ସାଇବର ଠକେଇ ଓ ଅନଲାଇନ୍ ଫ୍ରଡ୍ ମାମଲା ଲଗାତାର ବୃଦ୍ଧି ଘଟୁଛି। ପ୍ରତିଦିନ ହଜାର ହଜାର ଲୋକ ନକଲି ଲିଙ୍କ, ନକଲି କଲ୍, ଓଟିପି ଓ ୟୁପିଆଇ ସ୍କାମ୍ର ଶିକାର ହେଉଛନ୍ତି। ଏହାଦ୍ବାରା ସେମାନେ ନିଜର କଷ୍ଟ ଉପାର୍ଜିତ ଧନକୁ ଗୋଟିଏ କ୍ଷଣରେ ହରାଇ ବସନ୍ତି। ଏଭଳି ସ୍ଥିତିରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ ଗ୍ରାହକଙ୍କୁ ଦେବାକୁ ଯାଉଛି ଆଶ୍ବସ୍ଥି। ଆରବିଆଇ ନିୟମ ଅନୁସାରେ, ସାଇବର ଠକେଇର ଶିକାର ଗ୍ରାହକଙ୍କୁ ମିଳିବ କ୍ଷତିପୂରଣ। ହରାଇଥିବା ଟଙ୍କାର ୮୫% କିମ୍ବା ୨୫ ହଜାର ଟଙ୍କାର ଦେବ ଆରବିଆଇ।

କେବେଠୁ ହେବ ଲାଗୁ ?

ଅନଲାଇନ୍ ବ୍ୟାଙ୍କିଙ୍ଗ ଏବଂ ଡିଜିଟାଲ୍ ପେମେଣ୍ଟରେ ଟଙ୍କା ହରାଇଥିବା ଲୋକଙ୍କୁ କ୍ଷତିପୂରଣ ଦେବ ଆରବିଆଇ। ୧ ଜାନୁଆରୀ ୨୦୨୭ ରୁ ଏହି ନିୟମ ଲାଗୁ କରିବାକୁ ଯାଉଛି ଆରବିଆଇ। ପ୍ରଥମେ ଏହାକୁ ଜୁଲାଇ ୨୦୨୬ ରୁ ଲାଗୁ କରିବାର ଯୋଜନା ଥିଲା, କିନ୍ତୁ ପରେ ୬ ମାସ ଆହୁରି ବଢାଇ ଦିଆଯାଇଛି। ଆରବିଆଣ ପ୍ରସ୍ତାବ ଅନୁସାରେ, ପୀଡିତ ଗ୍ରାହକଙ୍କ କ୍ଷତି ହୋଇଥିବା ଅର୍ଥତର ୮୫% କିମ୍ବା ସର୍ବାଧିକ ୨୫ ହଜାର ଟଙ୍କାର କ୍ଷତିପୂରଣ ହେବ। ଯଦି ୫୦ ହଜାର ଟଙ୍କାର କ୍ଷତି ହୋଇଛି ତେବେ ସର୍ବାଧିକ ୨୫ ହଜାର ଟଙ୍କା ଦିଆଯିବ। ତେବେ ଏହି କ୍ଷତିପୂରଣ ସବୁ ମାମଲାରେ ମିଳିବ। ଏଥିପାଇଁ ଆରବିଆଇ ଦ୍ବାରା ଥିବା ସର୍ତ୍ତ ପୂରଣ କରିବାକୁ ହେବ।

କେତେ ମିଳିବ କ୍ଷତିପୂରଣ ?

ଆରବିଆଇର ନୂଆ ନିୟମ ଅନୁସାରେ, ଠିକ୍ ସମୟରେ ଅଭିଯୋଗ ଦାଖଲ କରିବାକୁ ହେବ। ଯଦି ଗ୍ରାହକ ଠକେଇ ହେବାର ୫ ଦିନ ଭିତରେ ବ୍ୟାଙ୍କ କିମ୍ବା ସମ୍ପର୍କିତ ଶାଖାରେ ଅଭିଯୋଗ କରେ ତେବେ ତାଙ୍କୁ କ୍ଷତିପୂରଣ କରିବାର ସମ୍ଭାବନା ବଢିଯିବ। ସାଇବର ଠକେଇ ବିଷୟରେ ଜଣାପଡିବା ମାତ୍ରେ ଗ୍ରାହକଙ୍କୁ ତୁରନ୍ତ ବ୍ୟାଙ୍କ ହେଲପଲାଇନ୍, ସାଇବର ହେଲପଲାଇନ୍ ୧୯୩୦ ଓ ରାଷ୍ଟ୍ରୀୟ ସାଇବର ଅପରାଧ ପୋର୍ଟାଲରେ ଅଭିଯୋଗ କରିବାକୁ ହେବ।

ସାଇବର ଠକେଇରୁ ବଞ୍ଚିବା ପାଇଁ ଧ୍ୟାନ ରଖନ୍ତୁ

କେବଳ କ୍ଷତି ପୂରଣ ଉପରେ ଭରସା କରିବା ବଦଳରେ ସାବଧାନ ରହିବା ବି ଜରୁରୀ । କୌଣସି ଅଜଣା ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ। କାହା ସହ ଓଟିପି ସେୟାର କରିବାଠାରୁ ଦୂରେଇ ରୁହନ୍ତି। ସ୍କ୍ରିନ୍ ସେୟାରିଂ ଆପ୍ ଡାଉନଲୋଡ୍ କରନ୍ତୁ ନାହିଁ। ବ୍ୟାଙ୍କ ଅଧିକାରୀ ହୋଇ କଲ୍ କରୁଥିବା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ।

ଏହି ପରିସ୍ଥିତିରେ କ୍ଷତିପୂରଣ ଦିଆଯିବ ନାହିଁ।

-ଯଦି ଆପଣ କୌଣସି ଜିନିଷ କିଣିଛନ୍ତି, ଯାହା ଖରାପ ବାହାରିଛି ଓ ସର୍ଭିସ ଠିକ୍ ସମୟରେଯ ମିଳୁନି, ତେବେ ଏହି ବିବାଦରେ କ୍ଷତିପୂରଣ ମିଳିବନି।

-ଚେକ୍ ଜରିଆରେ ହୋଇଥିବା ଠକେଇକୁ ଇଲୋକ୍ଟେ୍ରାନିକ୍ସ ଓ୍ବାର୍କିଂ ଫ୍ରେମଓ୍ବାର୍କଠାରୁ ଅଲଗା ରଖାଯାଇଛି।

ବ୍ୟାଙ୍କକୁ ମିଳି ଅଧିକ ସମୟ

ବ୍ୟାଙ୍କ ପାଖରେ ଏବେ ଘରୋଇ ଠକେଇ ଅଭିଯୋଗଗୁଡ଼ିକର ତଦନ୍ତ ଏବଂ ସମାଧାନ ପାଇଁ ୪୫ ଦିନ ସମୟ ମିଳିବ। ପୂର୍ବ ଡ୍ରାଫ୍ଟରେ ୩୦ ଦିନର ସୀମା ଥିଲା। ବିଦେଶୀ କାରବାର ସମ୍ବନ୍ଧୀୟ ମାମଲାଗୁଡ଼ିକର ସମାଧାନ ପାଇଁ ବ୍ୟାଙ୍କଗୁଡ଼ିକ ୬୦ ଦିନ ପାଇବେ।