Times Health Icons : ସୁସ୍ଥ ଜୀବନଯାପନ, ଉତ୍ତମ ଚିକିତ୍ସା ପଦ୍ଧତି ଦ୍ବାରା ସୁସ୍ଥ ସମାଜ ଗଠନ ହୋଇପାରିବ : ମୁଖ୍ୟମନ୍ତ୍ରୀ

Jun 25, 2026 - 22:31
Times Health Icons  : ସୁସ୍ଥ ଜୀବନଯାପନ, ଉତ୍ତମ ଚିକିତ୍ସା ପଦ୍ଧତି ଦ୍ବାରା ସୁସ୍ଥ ସମାଜ ଗଠନ ହୋଇପାରିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୫।୬ : ସ୍ବାସ୍ଥ୍ୟ ହିଁ ପ୍ରକୃତ ସମ୍ପଦ। ଆମେ ସମସ୍ତେ ଏକଥା ଜାଣିଛେ। କିନ୍ତୁ କେତେଜଣ ବାସ୍ତବ ଜୀବନରେ ଏହାକୁ ଗୁରୁତ୍ବ ଦିଅନ୍ତି ? ତେଣୁ ଆମକୁ ସୁସ୍ଥ ଜୀବନ ଯାପନ, ଉତ୍ତମ ଚିକିତ୍ସା ପଦ୍ଧତି ଓ ଶ୍ରେଷ୍ଠ ଚିକିତ୍ସା ସେବା ଉପରେ ଗୁରୁତ୍ବଆରୋପ କରିବାକୁ ପଡିବ । ଏ ସବୁର ସମନ୍ବୟରେ ଆମେ ଏକ ସୁସ୍ଥ ସମାଜ ଗଠନ କରିପାରିବା । ସମୃଦ୍ଧ ଓଡିଶା ଗଠନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛୁ। ସାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ବିକଶିତ ଭାରତ ଗଠନ ପଥରେ, ଆମେ ଅଗ୍ରସର ହେଉଛୁ । ଏହାର ମୂଳଭିତ୍ତି ହେଉଛି, ଏକ ସୁସ୍ଥ ଓଡିଶା, ଏକ ସୁସ୍ଥ ଭାରତ । ଓଡିଶା ସୁସ୍ଥ ନହେଲେ ସମୃଦ୍ଧ ହେବ ନାହିଁ । ଭାରତ ସୁସ୍ଥ ନହେଲେ, ବିକଶିତ ହେବ ନାହିଁ  ବୋଲି ଟାଇମ୍‌ସ ହେଲ୍‌ଥ ଆଇକନ୍‌ସ ଓଡିଶା କାର୍ଯ୍ୟକ୍ରମରେ  ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଟାଇମ୍‌ସ ଅଫ ଇଣ୍ଡିଆର ହେଲ୍‌ଥ ଆଇକନ୍ କାର୍ଯ୍ୟକ୍ରମ ଏକ ପ୍ରଶଂସନୀୟ ଉଦ୍ୟମ । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯେଉଁ ଡାକ୍ତର, ସ୍ବାସ୍ଥ୍ୟ ବିଶେଷଜ୍ଞ, ହସ୍ପିଟାଲ ଏବଂ ସ୍ବାସ୍ଥ୍ୟ ସେବା କର୍ମଚାରୀମାନେ ବୃତ୍ତିଗତ ଦକ୍ଷତା, ସେବା ଓ କର୍ତ୍ତବ୍ୟ ପରାୟଣତାର ଉଦାହରଣ ସୃଷ୍ଟି କରିଛନ୍ତି, ସେମାନଙ୍କୁ ସମ୍ମାନିତ କରିବା ଏକ ମହତ ଉଦ୍ୟମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସ୍ବାସ୍ଥ୍ୟ କ୍ଷେତ୍ରରେ ଆମର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ। ସ୍ବାସ୍ଥ୍ୟ ସମସ୍ୟା ଆସିଲେ, ତାହାର ଖର୍ଚ୍ଚ କଥା ଭାବି କୌଣସି ଗୋଟିଏ ବି ଲୋକ ଭୟଭୀତ ନହେଉ । ସେଥିପାଇଁ ଆମେ ଆମର ଯୋଜନା ଗୁଡିକୁ ଅତ୍ୟନ୍ତ ସତର୍କତାର ସହିତ ପ୍ରସ୍ତୁତ କରିଛୁ ।ସ୍ବାସ୍ଥ୍ୟ ସେବା ପାଇବା ହେଉଛି ଲୋକଙ୍କ ଅଧିକାର। ସେ ଅଧିକାରର ସୁରକ୍ଷାକୁ ଆମେ ଆମର ଦାୟିତ୍ବ ଭାବେ ଗ୍ରହଣ କରିଛୁ। ପୂର୍ବରୁ ଆମର ସ୍ବାସ୍ଥ୍ୟନୀତିର ଲକ୍ଷ୍ୟ ଥିଲା ଲୋକଙ୍କୁ ଭଲ ସ୍ବାସ୍ଥ୍ୟସେବା ପାଇଁ ଭିତ୍ତିଭୂମି ସୃଷ୍ଟି କରିବା। ବର୍ତ୍ତମାନ ଆମର ନୀତି ଆଉ ଟିକେ ଉପରକୁ ଚିନ୍ତା କରିଛି । ଭଲ ଭିତ୍ତିଭୂମି, ଭଲ ହସ୍ପିଟାଲ, ଭଲ ଇନ୍‌ଷ୍ଟ୍ରୁମେଣ୍ଟ ଆଦି ଅତ୍ୟନ୍ତ ଆବଶ୍ୟକ ଏବଂ ଏହାର ବିକାଶ ମଧ୍ୟ କରାଯାଉଛି । କିନ୍ତୁ, ତାହାଠୁ ମଧ୍ୟ ଆହୁରି ଅଧିକ ଗୁରୁତ୍ବପୂର୍ଣ୍ଣ ହେଉଛି, ବ୍ୟବସ୍ଥା ଉପରେ ଭରସା । ରୋଗୀଙ୍କୁ ଠିକ୍ ସମୟରେ ଚିକିତ୍ସା, ସେବାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ ଉପରେ ଗୁରୁତ୍ବ ଆରୋପ କରାଯାଉଛି ।  ଗାଁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ସହରର ସୁପର ସ୍ପେସିଆଲ୍‌ଟି ହସ୍ପିଟାଲ ପର୍ଯ୍ୟନ୍ତ ଆମର ସମ୍ପୂର୍ଣ୍ଣ ହେଲ୍‌ଥ କେୟାର ନେଟୱାର୍କକୁ ଦକ୍ଷ ଓ ବିଶ୍ବସନୀୟ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି ।

ଯୋଗ ହେଉଛି ଆମର ପ୍ରାଚୀନ ଜ୍ଞାନ ଭଣ୍ଡାରର ସମଗ୍ର ବିଶ୍ବକୁ ଏକ ମହାନ ଅବଦାନ । ଆୟୁର୍ବେଦ, ଯୋଗ, ପ୍ରାଣାୟମ ଇତ୍ୟାଦି ମଣିଷକୁ ଶରୀର, ମନ ଓ ଆତ୍ମା... ଏହି ୩ଟିର ସମନ୍ବୟରେ ସମ୍ପୂର୍ଣ୍ଣ ସୁସ୍ଥତା ପ୍ରଦାନ କରେ । ଏହା ହେଉଛି ପ୍ରିଭେଣ୍ଟିଭ୍ ହେଲ୍‌ଥ କେୟାରର ମୂଳସୂତ୍ର । ଉତ୍ତମ ଖାଦ୍ୟ, ଉତ୍ତମ ଚିନ୍ତାଧାରା, ଉତ୍ତମ ଜୀବନଶୈଳୀ ଆମ ଜୀବନର ମାନକୁ ଉତ୍ତମ କରିଥାଏ ।  ସ୍ବାସ୍ଥ୍ୟ କ୍ଷେତ୍ରରେ ଡିଜିଟାଲ ହେଲଥ୍ ସିଷ୍ଟମ ଓ ଟେଲିମେଡିସିନ୍ ସେବାର ଉପଯୋଗ କରାଯାଉଛି । ଡାଇଗ୍ନୋଷ୍ଟିକ୍ ଓ ଚିକିତ୍ସା ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସର ପ୍ରୟୋଗ କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି । ଆଧୁନିକ ଚିକିତ୍ସା ପ୍ରଣାଳୀ ସହିତ ଆୟୁଷ ବ୍ୟବସ୍ଥାକୁ ଯୋଡା ଯାଇଥିବାରୁ ରୋଗୀମାନେ ଚିକିତ୍ସା କରିବାର ବିଭିନ୍ନ ପ୍ରକାର ବିକଳ୍ପ ପାଇପାରୁଛନ୍ତି ।

ଚିକିତ୍ସା ବ୍ୟବସ୍ଥାକୁ ଅଧିକ ଦକ୍ଷ କରିବା ପାଇଁ ଅଧିକ ଡାକ୍ତରଙ୍କ ଆବଶ୍ୟକତା ରହିଛି । ଓଡିଶାରେ ବର୍ତ୍ତମାନ ୧୫ଟି ସରକାରୀ ମେଡିକାଲ କଲେଜ ଅଛି। ନବରଙ୍ଗପୁରରେ ଏକ  ମେଡିକାଲ କଲେଜ ପାଇଁ ଭିତ୍ତିପ୍ରସ୍ତର ଦିଆଯାଇଛି । ଏହା ସହିତ ଢେଙ୍କାନାଳ, ଜଗତସିଂହପୁର ଓ ଭଦ୍ରକରେ ମଧ୍ୟ ଖୁବଶୀଘ୍ର ମେଡିକାଲ କଲେଜ ସ୍ଥାପନ କରାଯିବ। ଏହା ସହିତ ୮ଟି ନର୍ସିଂ କଲେଜ, ୩ଟି ଆୟୁର୍ବେଦିକ କଲେଜ ଓ ୨ଟି ହୋମିଓପାଥିକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି । ଗତ ୨ ବର୍ଷ ମଧ୍ୟରେ ରାଜ୍ୟରେ ୫,୧୯୭ ମେଡିକାଲ ଅଫିସର ଓ ପାରାମେଡିକ୍ସ ନିଯୁକ୍ତି ଦିଆଯାଇଛି ।  ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ୬,୬୭୫ଟି ନୂଆ ପଦବୀ ସୃଷ୍ଟି କରାଯାଇଛି। ୧୨,୧୨୧ଟି ପଦବୀ ପୂରଣ ପାଇଁ ବିଭିନ୍ନ ନିଯୁକ୍ତି ଆୟୋଗକୁ ପ୍ରସ୍ତାବ ଦିଆଯାଇଛି।

ଆମର ଭିଜନ୍ ହେଉଛି, ସ୍ୱାସ୍ଥ୍ୟ କ୍ଷେତ୍ରରେ ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନର୍‌ସିପ୍ ଜରିଆରେ ଓଡ଼ିଶାକୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ହବ୍ ଭାବରେ ବିକଶିତ କରିବା । ଏ ଦିଗରେ ଆମର ଅଭିଯାନ ଆରମ୍ଭ ହୋଇସାରିଛି । ଏହି ଭିଜନ କାର୍ଯ୍ୟକାରୀ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇ ଆମେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଇକୋନୋମିକ ରିଜିଅନ୍‌ରେ ଏକ ବିଶ୍ୱସ୍ତରୀୟ ମେଡି-ସିଟି ସ୍ଥାପନ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛୁ  ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।