RPSC Hack : ଚାକିରି ପାଇବା ପାଇଁ ଏମିତି ଚଞ୍ଚକତା , RPSC ୱେବସାଇଟ୍ ହ୍ୟାକ୍ କରି ଜେଲ୍ ଗଲେ ଇଞ୍ଜିନିୟର
ନୂଆଦିଲ୍ଲୀ : ସରକାରୀ ଚାକିରି ପାଇବାର ନିଶା ମଣିଷକୁ କେଉଁ ସ୍ତରକୁ ଯେ, ନେଇ ଯାଇ ପାରେ, ତାର ଏକ ପ୍ରମୁଖ ଉଦାହରଣ ରାଜସ୍ଥାନରୁ ସାମ୍ନାକୁ ଆସିଛି। ଚାକିରି ପାଇବା ପାଇଁ ଜଣେ ପ୍ରାର୍ଥୀ ଏଭଳି ଚକ୍ରବ୍ୟୁହ ରଚିଥିଲେ ଯେ, ସେ ସରକାରୀ ଚାକିରି ପାଇବା ବଦଳରେ ଏବେ ଜେଲରେ। ରାହୁଲ ମୀଣା ନାମକ ଜଣେ ଯୁବକ ରାଜସ୍ଥାନ ଲୋକସେବା ଆୟୋଗ (RPSC) ର ୱେବସାଇଟ୍ ହ୍ୟାକ୍ କରି ହୋଇଛନ୍ତି ଗିରଫ। ନିଜର ସିଟ୍ ପକ୍କା କରିବା ପାଇଁ ସେ ୱେବସାଇଟ୍ ହ୍ୟାକ୍ କରି ନିଜ ଆଗରେ ଥିବା ଅନ୍ୟ ପ୍ରାର୍ଥୀଙ୍କ ଆବେଦନ ଫର୍ମକୁ 'ୱିଥଡ୍ରଲ୍' କରି ଦେଇ ଥିଲେ। ମାତ୍ର ସାଇବର ପୁଲିସ ଆଗରେ ତାଙ୍କର ଚତୁରତା ଧରାପଡ଼ି ଯାଇଛି।
ଉକ୍ତ ଘଟଣାଟି RPSC ଆସିଷ୍ଟାଣ୍ଟ ଇଞ୍ଜିନିୟରିଂ ନିଯୁକ୍ତି ସହ ଜଡ଼ିତ। ଦୌସା ନିବାସୀ ୨୭ ବର୍ଷୀୟ ରାହୁଲ ମୀଣା ଏହି ପଦବୀ ପାଇଁ ଆବେଦନ କରି ଥିଲେ। ପରୀକ୍ଷାର ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ RPSC ପକ୍ଷରୁ ଏକ ପ୍ରୋଭିଜନାଲ୍ ୱେଟିଂ ଲିଷ୍ଟ ଜାରି କରାଯାଇଥିଲା, ଯେଉଁଥିରେ ରାହୁଲଙ୍କ ନାମ ମଧ୍ୟ ସାମିଲ ଥିଲା।
ୱେଟିଂ ଲିଷ୍ଟରେ ନିଜ ନାମ ଉପରକୁ ଆଣିବା ପାଇଁ ରାହୁଲ AI ର ସାହାଯ୍ୟ ନେଇଥିଲେ। ସେ ପ୍ରଥମେ ନକଲି ଏସଏସଓ ଆଇଡି (SSO ID) ଏବଂ ଜିମେଲ୍ ଆଇଡି ପ୍ରସ୍ତୁତ କରିଥିଲେ। ଏହାପରେ AI ଟୁଲ୍ସ ବ୍ୟବହାର କରି କୋଡିଂ ପ୍ରସ୍ତୁତ କଲେ ଏବଂ RPSC ୱେବସାଇଟର ୱାନ୍ ଟାଇମ୍ ରେଜିଷ୍ଟ୍ରେସନ୍ (OTR) ପ୍ରକ୍ରିୟାକୁ ବାଇପାସ୍ କରି ୱେବସାଇଟ୍ ହ୍ୟାକ୍ କରି ଥିଲେ। ହ୍ୟାକ୍ କରିବା ପରେ ସେ ନିଜ ଆଗରେ ଥିବା ପ୍ରାର୍ଥୀଙ୍କ ଫର୍ମକୁ ୱିଥଡ୍ରଲ୍ କରି ଦେଇ ଥିଲେ, ଯାହା ଦ୍ୱାରା ଅନ୍ୟମାନେ ବାଦ୍ ପଡ଼ିଯିବେ ଏବଂ ତାଙ୍କ ସିଲେକ୍ସନ ହୋଇଯିବ।
ସାଇବର ପୁଲିସର ସୂଚନା ଅନୁଯାୟୀ, ୱେଟିଂ ଲିଷ୍ଟରେ ରାହୁଲଙ୍କ ସ୍ଥାନ ଦ୍ୱିତୀୟ ନମ୍ବରରେ ଥିଲା। ରାହୁଲ ଭାବି ଥିଲେ ଯେ ଯଦି ସେ କେବଳ ପ୍ରଥମ ସ୍ଥାନରେ ଥିବା ପ୍ରାର୍ଥୀଙ୍କ ଫର୍ମ ୱିଥଡ୍ରଲ୍ କରିବେ, ତେବେ ସନ୍ଦେହ ସିଧାସଳଖ ତାଙ୍କ ଉପରକୁ ଆସିବ। ଏଥିପାଇଁ ସେ ଚତୁରତା ଦେଖାଇ ୱେଟିଂ ଲିଷ୍ଟର ୧ ମ ସ୍ଥାନ ସହିତ ୪ର୍ଥ ଏବଂ ୬ଷ୍ଠ ସ୍ଥାନରେ ଥିବା ପ୍ରାର୍ଥୀଙ୍କ ଫର୍ମ ମଧ୍ୟ କ୍ୟାନ୍ସଲ୍ କରିଦେଇଥିଲେ। ଯେତେବେଳେ ସେହି ପ୍ରାର୍ଥୀମାନେ ଏ ବିଷୟରେ ଜାଣିବାକୁ ପାଇଲେ, ସେମାନେ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ। ପୁଲିସ ସାଇବର ଏକ୍ସପର୍ଟଙ୍କ ସାହାଯ୍ୟରେ ଯାଞ୍ଚ କରି ଶେଷରେ ରାହୁଲଙ୍କ ପାଖରେ ପହଞ୍ଚିଥିଲା ଏବଂ ତାଙ୍କୁ ଗିରଫ କରିଥିଲା।
ସରକାରୀ ଚାକିରି ପାଇଁ ଏମିତି ଅନ୍ଧଭାବେ ପାଗଳାମି ଯୋଗୁଁ, ରାହୁଲ ନିଜର ଭବିଷ୍ୟତ ନଷ୍ଟ କରି ଦେଇଛନ୍ତି। ସେ ପ୍ରତିଷ୍ଠିତ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (BHU) ରୁ ମାଇନିଂ ଇଞ୍ଜିନିୟରିଂରେ ବିଟେକ୍ କରିଥିଲେ। କେବଳ ସେତିକି ନୁହେଁ, ସେ ବର୍ତ୍ତମାନ ଝାଡ଼ଖଣ୍ଡରେ SAIL ଭଳି ବଡ଼ ସଂସ୍ଥାରେ ମାଇନିଂ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ। ମାତ୍ର ରାଜସ୍ଥାନରେ ସରକାରୀ ଚାକିରି ପାଇବା ଲୋଭରେ ସେ ଏଭଳି ସାଇବର ଅପରାଧ କରି ଏବେ ଜେଲର ଚାରିକାନ୍ଥ ଭିତରେ ।
ଆହୁରି ମଧ୍ୟ ପଢନ୍ତୁ : ବାରମ୍ୱାର କାହିଁକି ମୁଣ୍ଡ ବୁଲାଇ ଥାଏ, ଶରୀରରେ କେଉଁ ଭିଟାମିନ ଅଭାବର ସଙ୍କେତ କି ?