‘ମୁଁ କନଭର୍ଟ ହେବାକୁ ଚାହୁଁଛି…’ କଙ୍ଗନାଙ୍କ ଗୋଟିଏ ବୟାନ ସୋସିଆଲ ମିଡିଆରେ ଲଗାଇଲା ନିଆଁ, ଜାଣନ୍ତୁ ମାମଲା

Aug 03, 2026 - 18:43
‘ମୁଁ କନଭର୍ଟ ହେବାକୁ ଚାହୁଁଛି…’ କଙ୍ଗନାଙ୍କ ଗୋଟିଏ ବୟାନ ସୋସିଆଲ ମିଡିଆରେ ଲଗାଇଲା ନିଆଁ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ,୩।୮: ବଲିଉଡ୍‌ ଅଭିନେତ୍ରୀ BJP ସାଂସଦ କଙ୍ଗନା ରଣାୱତ ପୁଣି ଥରେ ନିଜର ସ୍ପଷ୍ଟବାଦୀ ଅନ୍ଦାଜ ପାଇଁ ଚର୍ଚ୍ଚାରେ। ଏଥର କାରଣ ହେଉଛି ତାଙ୍କର ସୋସିଆଲ୍‌ ମିଡିଆ ଭିଡିଓ ଭାଇରାଲ ହେବା, ବିଚାରଧାରାରେ ଆସିଥିବା ପରିବର୍ତ୍ତନ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ଭିନ୍ନ ଧର୍ମରେ ବିବାହ (Interfaith Marriages) କୁ ନେଇ ଖୋଲାଖୋଲି ନିଜର ମତ ରଖିଛନ୍ତି।

ଭିଡିଓରେ ସେ କହିଛନ୍ତି, “ମୁଁ କନଭର୍ଟ ହେବାକୁ ଚାହୁଁଛି…”  ଏହି ଗୋଟିଏ ଧାଡ଼ି ସୋସିଆଲ ମିଡିଆରେ ନୂଆ ବିତର୍କ ସୃଷ୍ଟି କରିଛି। ଅନେକ ଲୋକ ତାଙ୍କ ବକ୍ତବ୍ୟକୁ ସମର୍ଥନ କରିଥିବା ବେଳେ, କେତେକ ୟୁଜର୍ସ ଏହାକୁ ନେଇ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି।

ବାସ୍ତବରେ, କଙ୍ଗନା ନିଜ ଭିଡିଓର ଆରମ୍ଭ ସେହି ଲୋକମାନଙ୍କୁ ଜବାବ ଦେଇ କରିଛନ୍ତି, ଯେଉଁମାନେ ତାଙ୍କର ପୁରୁଣା ଇଣ୍ଟରଭ୍ୟୁ ଓ ଭିଡିଓ ସେୟାର କରୁଛନ୍ତି। ସେ କହିଛନ୍ତି ଯେ ସମୟ ସହ ମଣିଷ ଶିଖେ, ବଦଳେ ଏବଂ ତା’ର ଚିନ୍ତାଧାରା ମଧ୍ୟ ବଦଳିପାରେ। କାହାକୁ ତା’ର ପୁରୁଣା କଥା ଆଧାରରେ ସବୁବେଳେ ଆକଳନ (Judge) କରିବା ସଠିକ୍‌ ନୁହେଁ।

ଭିଡିଓରେ କଙ୍ଗନା କହିଛନ୍ତି ଯେ, ସେ ପ୍ରାୟତଃ ଦେଖିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ହିନ୍ଦୁ ଅଭିନେତ୍ରୀ ମୁସଲିମ୍‌ ପୁରୁଷଙ୍କୁ ବିବାହ କରିବା ପରେ ନିଜର ବିଚାରଧାରା ବଦଳାଇ ଦିଅନ୍ତି। ତାଙ୍କ କହିବା ଅନୁଯାୟୀ, ବିବାହ ପରେ ଅନେକ ଲୋକ ବାମପନ୍ଥୀ ଚିନ୍ତାଧାରା ଆପଣାଇ ନିଅନ୍ତି ଏବଂ ସେହି ବିଚାରଧାରାକୁ ସମର୍ଥନ ମଧ୍ୟ କରନ୍ତି। କଙ୍ଗନା ପ୍ରଶ୍ନ ଉଠାଇଛନ୍ତି ଯେ ଯଦି ଅନ୍ୟ ଲୋକମାନଙ୍କୁ ନିଜ ଚିନ୍ତାଧାରା ବଦଳାଇବାର ସ୍ୱାଧୀନତା ଅଛି, ତେବେ ତାଙ୍କର ବିଚାର ବଦଳିବା ଉପରେ ଆପତ୍ତି କାହିଁକି ଉଠାଯାଉଛି?

ଏହି ସମୟରେ ସେ କହିଥିଲେ, “ମୁଁ କନଭର୍ଟ ହେବାକୁ ଚାହୁଁଛି। ମୋତେ ‘ସଂଘୀ’ ହେବାର ଅଛି। ମୁଁ ଜଣେ ଜାଗ୍ରତ ହିନ୍ଦୁ…” କଙ୍ଗନାଙ୍କ କହିବା କଥା ହେଉଛି, ନିଜର ବୈଚାରିକ ଚିନ୍ତାଧାରା ବଦଳାଇବା ଏବଂ ଏହାକୁ ସାର୍ବଜନୀନ ଭାବେ ସ୍ୱୀକାର କରିବାର ସମ୍ପୂର୍ଣ୍ଣ ଅଧିକାର ତାଙ୍କର ରହିଛି।

କଙ୍ଗନା ଭିଡିଓରେ କହିଛନ୍ତି ଯେ ପୂର୍ବରୁ ତାଙ୍କ ଚିନ୍ତାଧାରା ଭିନ୍ନ ହୋଇଥାଇପାରେ, କିନ୍ତୁ ଏବେ ସେ ନିଜକୁ ଜଣେ ଜାଗ୍ରତ ହିନ୍ଦୁ ମାନନ୍ତି। ଜୀବନର ଅଭିଜ୍ଞତା, ପଢ଼ାପଢ଼ି ଏବଂ ପରିସ୍ଥିତି ମଣିଷକୁ ବଦଳାଇଥାଏ। ଏପରି ସ୍ଥିତିରେ କାହାର ପୁରୁଣା ବକ୍ତବ୍ୟ ଦେଖାଇ ସେ ସବୁବେଳେ ସେପରି ରହିବ ବୋଲି କହିବା ସଠିକ୍‌ ନୁହେଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ନିଜ ପସନ୍ଦର ବିଚାରଧାରା ବାଛିବା ଏବଂ ନିଜର ମତ ବଦଳାଇବାର ସ୍ୱାଧୀନତା ଦେଇଛି, ତେଣୁ ଯଦି ତାଙ୍କ ଚିନ୍ତାଧାରା ବଦଳିଛି, ତେବେ ଏଥିରେ ଭୁଲ୍‌ କ’ଣ ଅଛି?

କଙ୍ଗନା କହିଛନ୍ତି ଯେ ସୋସିଆଲ ମିଡିଆରେ ତାଙ୍କର ବହୁ ବର୍ଷ ପୁରୁଣା ଭିଡିଓ ସେୟାର କରି ପ୍ରମାଣ କରିବାକୁ ଚେଷ୍ଟା କରାଯାଉଛି ଯେ ସେ ପୂର୍ବରୁ ଅନ୍ୟ କଥା କହୁଥିଲେ। ସେ ସ୍ୱୀକାର କରିଛନ୍ତି ଯେ ତାଙ୍କ ଚିନ୍ତାଧାରା ବଦଳିଛି ଏବଂ ଏଥିପାଇଁ ତାଙ୍କର କୌଣସି ଦ୍ୱିଧା ନାହିଁ। ତାଙ୍କ ଅନୁଯାୟୀ, ଯେଉଁ ବ୍ୟକ୍ତି ଶିଖିବା ବନ୍ଦ କରିଦିଏ, ସେ ଆଗକୁ ବଢ଼ିପାରେ ନାହିଁ।

ଭିଡିଓ ଆସିବା ପରେ ସୋସିଆଲ ମିଡିଆରେ ଲୋକଙ୍କର ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିଛି ୟୁଜର କହିଛନ୍ତି ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜ ମତ ବଦଳାଇବାର ଅଧିକାର ଅଛି ଏବଂ କଙ୍ଗନା ଖୋଲାଖୋଲି ନିଜ କଥା ରଖିଛନ୍ତି। ଅନ୍ୟପଟେ, କେତେକ ଲୋକ ତାଙ୍କ ବକ୍ତବ୍ୟକୁ ସମାଲୋଚନା କରି କହିଛନ୍ତି ଯେ ଅନ୍ତଃଧର୍ମୀୟ ବିବାହ ଏବଂ ଅଭିନେତ୍ରୀମାନଙ୍କୁ ନେଇ ଏପରି ଟିପ୍ପଣୀ ଦେବା ଉଚିତ ନୁହେଁ। କିଛି ୟୁଜର ତାଙ୍କର ପୁରୁଣା ଇଣ୍ଟରଭ୍ୟୁ ସେୟାର କରି ବର୍ତ୍ତମାନର ବକ୍ତବ୍ୟ ସହ ତୁଳନା ମଧ୍ୟ କରିଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।