ବଦଳିଲା ୟୁପିଆଇ ପେମେଣ୍ଟ ନିୟମ, ଟ୍ରାଞ୍ଜାକ୍ସନ୍ ପୂର୍ବରୁ ବ୍ୟାଙ୍କ ପଚାରିବ Yes/No ପ୍ରଶ୍ନ…

Aug 03, 2026 - 18:43
ବଦଳିଲା ୟୁପିଆଇ ପେମେଣ୍ଟ ନିୟମ, ଟ୍ରାଞ୍ଜାକ୍ସନ୍ ପୂର୍ବରୁ ବ୍ୟାଙ୍କ ପଚାରିବ Yes/No ପ୍ରଶ୍ନ…

ନୂଆଦିଲ୍ଲୀ,୩।୮: ଆପଣଙ୍କର ପରବର୍ତ୍ତୀ UPI ପେମେଣ୍ଟ (Payment) ହୁଏତ ସବୁବେଳେ ଗୋଟିଏ ଟ୍ୟାପ୍‌ରେ ସମ୍ପୂର୍ଣ୍ଣ ନହୋଇପାରେ। ଦେଶରେ ବୃଦ୍ଧି ପାଉଥିବା ଡିଜିଟାଲ୍‌ ପେମେଣ୍ଟ ଠକେଇକୁ ରୋକିବା ଏବଂ ରିଏଲ-ଟାଇମ୍ ପେମେଣ୍ଟ ସିଷ୍ଟମର ଗତିକୁ ସ୍ୱାଭାବିକ ରଖିବା ପାଇଁ ବ୍ୟାଙ୍କଗୁଡ଼ିକ କିଛି ସନ୍ଦେହଜନକ  High-risk UPI ନେଣଦେଣ ପାଇଁ ଏକ ସାଧାରଣ “Yes/No” (ହଁ/ନା) ନିଶ୍ଚିତକରଣ ପପ୍‌-ଅପ୍ (Pop-up) ଆଣିବାକୁ ପ୍ରସ୍ତାବ ଦେଇଛନ୍ତି। ‘ଦି ଇକୋନୋମିକ୍ ଟାଇମ୍ସ’ (The Economic Times) ର ଏକ ରିପୋର୍ଟରୁ ଏହି ସୂଚନା ମିଳିଛି।

ଏହି ପ୍ରସ୍ତାବକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପାଖକୁ ପଠାଯାଇଛି, ଯିଏକି ଅନଲାଇନ୍ ଆର୍ଥିକ ଠକେଇରୁ ସୁରକ୍ଷା ପାଇଁ ନୂଆ ନିୟମାବଳୀ ଉପରେ କାର୍ଯ୍ୟ କରୁଛି।

ଯଦି କୌଣସି କାରବାର ବ୍ୟାଙ୍କର ଫ୍ରଡ୍ ସିଷ୍ଟମ୍‌ (Fraud detection engine) ଦ୍ୱାରା ସନ୍ଦେହଜନକ ମନେହୁଏ, ତେବେ ଗ୍ରାହକଙ୍କ ସ୍କ୍ରିନ୍‌ରେ ଏକ ପପ୍-ଅପ୍ ଆସିବ, ଯେଉଁଥିରେ ପଚରାଯିବ ଯେ ସେ ପ୍ରକୃତରେ ଏହି ପେମେଣ୍ଟ କରିବାକୁ ଚାହୁଁଛନ୍ତି କି ନାହିଁ। ଗ୍ରାହକ “Yes” (ହଁ) କ୍ଲିକ୍ କରିବା ପରେ ହିଁ ପେମେଣ୍ଟ ସମ୍ପୂର୍ଣ୍ଣ ହେବ।

ଏହି ଅତିରିକ୍ତ ପ୍ରମ୍ପ୍ଟ କେବଳ ସେହି କାରବାରଗୁଡ଼ିକରେ ଲାଗୁ ହେବ ଯାହା ବ୍ୟାଙ୍କର ରିସ୍କ ଆସେସମେଣ୍ଟ ଅନୁଯାୟୀ ଅସାଧାରଣ କିମ୍ବା ସନ୍ଦେହଜନକ ମନେହେବ।

UPI ସହ ଜଡ଼ିତ ସାଇବର ଠକେଇ ବ୍ରୁଦ୍ଧି ପାଉଥିବାରୁ ଏହି ପଦକ୍ଷେପ ନିଆଯାଉଛି। ଏଥିମଧ୍ୟରୁ ଅଧିକାଂଶ ଠକେଇ ବୈଷୟିକ ହ୍ୟାକିଂ ବଦଳରେ ‘ସୋସିଆଲ୍‌ ଇଞ୍ଜିନିୟରିଂ’ (ଲୋକଙ୍କୁ ପ୍ରଲୋଭିତ କିମ୍ବା ଭୟଭୀତ କରି) ମାଧ୍ୟମରେ କରାଯାଉଛି।

ଠକମାନେ ପ୍ରାୟତଃ ଫୋନ୍ କଲ୍, ମେସେଜିଂ ଆପ୍ କିମ୍ବା ନକଲି କଷ୍ଟମର-କେୟାର ନମ୍ବର ମାଧ୍ୟମରେ ଗ୍ରାହକଙ୍କୁ ତୁରନ୍ତ ଟଙ୍କା ପଠାଇବାକୁ ବାଧ୍ୟ କରନ୍ତି। ଯେହେତୁ UPI ପେମେଣ୍ଟ ତୁରନ୍ତ ହୋଇଥାଏ, ଟଙ୍କା ଆକାଉଣ୍ଟରୁ ଚାଲିଯିବା ପରେ ହିଁ ଲୋକେ ଠକେଇର ଶିକାର ହୋଇଥିବା ଜାଣିପାରନ୍ତି।

ବ୍ୟାଙ୍କଗୁଡ଼ିକର ବିଶ୍ୱାସ ଯେ ସନ୍ଦେହଜନକ କାରବାର ପୂର୍ବରୁ ଏପରି ଏକ ଛୋଟ ପପ୍-ଅପ୍ ଗ୍ରାହକଙ୍କୁ ଟିକିଏ ଭାବିବାକୁ ସୁଯୋଗ ଦେବ, ଯାହାଦ୍ୱାରା ସେମାନେ ଠକେଇରୁ ବଞ୍ଚିପାରିବେ।

ସବୁ ବଡ଼ ନେଣଦେଣ ପାଇଁ ବାଧ୍ୟତାମୂଳକ ‘କୁଲିଂ-ଅଫ୍ ପିରିୟଡ୍’ (Cooling-off period) କିମ୍ବା ବିଳମ୍ବ ଭଳି ନିୟମ ଲାଗୁ କରିବାକୁ ବ୍ୟାଙ୍କଗୁଡ଼ିକ ବିରୋଧ କରୁଛନ୍ତି। ନୂଆ ଡିଜିଟାଲ୍ ପେମେଣ୍ଟ ସୁରକ୍ଷା ମାର୍ଗଦର୍ଶିକା ଜାରି କରିବା ପୂର୍ବରୁ ଆରବିଆଇ (RBI) ବର୍ତ୍ତମାନ ବ୍ୟାଙ୍କଗୁଡ଼ିକର ଏହି ପ୍ରସ୍ତାବକୁ ଅନୁଧ୍ୟାନ କରୁଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।