ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

Aug 03, 2026 - 22:17
ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ ସେମାନଙ୍କୁ ମିଳୁଥିବା ଭତ୍ତା ରାଶି ଜମା ହୋଇ ନଥିବା କୁହାଯାଉ ଥିବାବେଳେ ଆଉ କେବେ ଆଙ୍ଗୁଠି ଛାପ (ଫିଙ୍ଗର୍‌ ପ୍ରିଣ୍ଟ) ଭଲଭାବେ ଆସୁନାହିଁ ବୋଲି ବିଭାଗୀୟ ଅଧିକାରୀମାନେ କହୁଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ଜିଲାର ଅନେକ ବୃଦ୍ଧାବୃଦ୍ଧଙ୍କୁ ଭତ୍ତା ପାଇଁ ହଟହଟା ହେବାକୁ ପଡୁଛି।
ସୋମବାର ଜିଲାର ବରପାଲି ବ୍ଲକ ଅନ୍ତର୍ଗତ କୁଶନପୁରୀ ଏବଂ ବରଗଡ଼ ବ୍ଲକର ବନ୍ଦା ଗ୍ରାମରୁ ଏଭଳି ଅଭିଯୋଗ ନେଇ ଅନେକ ବୃଦ୍ଧାବୃଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ତେବେ ଜିଲାପାଳଙ୍କ କାର୍ଯ୍ୟାଳୟ ରାସ୍ତାରେ ବର୍ଷା ପାଣି ଜମି ରହିଥିବାରୁ ବୃଦ୍ଧାବୃଦ୍ଧଙ୍କୁ ସେଠାକୁ ଯିବା ପାଇଁ ମଧ୍ୟ ହଟହଟା ହେବାକୁ ପଡିଥିଲା। କୁଶନପୁରୀ ଗ୍ରାମର ଜଣେ ହିତାଧିକାରୀ ଗକୁଳ ଷାଣ୍ଢ କହିଛନ୍ତି, ବ୍ୟାଙ୍କକୁ ଗଲେ ତାଙ୍କ ଆଙ୍ଗୁଠି ଛାପ ଆସୁ ନ ଥିବା କହୁଛନ୍ତି। ଫଳରେ ସେଠାକୁ ଯାଇ ନିରାଶରେ ଘରକୁ ଫେରିବାକୁ ପଡୁଛି। ଏଭଳିସ୍ଥଳେ ନଗଦ ଭାବେ ଭତ୍ତା ଟଙ୍କା ଦିଆଯାଉ ବୋଲି ସେ ନିବେଦନ କରିଛନ୍ତି । ସେହିପରି ବନ୍ଦା ଗ୍ରାମର ଅନ୍ୟଜଣେ ହିତାଧିକାରୀ ସୁନାଧର ରୋହିଦାସ କହିଛନ୍ତି, ୩ମାସ ହେଲା ତାଙ୍କୁ ଭତ୍ତା ଟଙ୍କା ମିଳିନାହିଁ। ତାଙ୍କ ଭଳି ଗ୍ରାମର ଅନେକ ବୃଦ୍ଧାବୃଦ୍ଧ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ଥିବା ଯୋଗୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ରୋହିଦାସ କହିଛନ୍ତି ଏବଂ ତୁରନ୍ତ ତାହା ପ୍ରଦାନ କରିବା ପାଇଁ ଜିଲାପାଳଙ୍କୁ ନିବେଦନ କରିଛନ୍ତି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।