ବିଜେଡ଼ିରେ ଥାଇ ବିଜେଡ଼ି ମଙ୍ଗ ଧରିବାକୁ ପଛଘୁଞ୍ଚା: ଛତ୍ରପୁର ସାଙ୍ଗଠନିକ ବୈଠକକୁ ନେଇ ଚର୍ଚ୍ଚା ଜୋର
ଛତ୍ରପୁର, ୨୩ା୭(ଦିଲ୍ଲୀପ ସାମଲ / ଦ୍ଵାରକା ପଟ୍ଟନାୟକ): ବିଗତ ଦିନର ସର୍ବବୃହତ ଆଞ୍ଚଳିକ ରାଜନୈତିକ ଦଳ ଭାବେ ବେଶ୍ ପରିଚିତ ଥିବା ବିଜୁ ଜନତା ଦଳ (ବିଜେଡ଼ି)ରେ ସମୟ ବଦଳିବା ସାଙ୍ଗେ ସାଙ୍ଗେ ପରିସ୍ଥିତି ମଧ୍ୟ ବଦଳିବାରେ ଲାଗିଛି। ୨୦୨୪ ନିର୍ବାଚନ ପରେ ସରକାର ପରିବର୍ତ୍ତନ ହେବା ପରଠାରୁ ଦଳର ଆଭ୍ୟନ୍ତରୀଣ ସ୍ଥିତି ଏବଂ ନେତାମାନଙ୍କ ଭୂମିକାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି।
ସୂଚନା ଅନୁଯାୟୀ, ଗତ ବୁଧବାର ଦିନ ଛତ୍ରପୁରର ସ୍ଥାନୀୟ ତାମ୍ପରାଠାରେ ଏକ ଗୁରୁତ୍ଵପୂର୍ଣ୍ଣ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦଳର ଅନେକ ଆଗଧାଡ଼ିର ନେତା ଓ କର୍ମୀ ଯୋଗଦେଇଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ରଣନୀତି, କୌଶଳ ଏବଂ ପ୍ରସ୍ତୁତି ଉପରେ ଏହି ବୈଠକରେ ଗଭୀର ଆଲୋଚନା ହୋଇଥିଲା। ସରକାରରେ ଥିବା ସମୟର ଉନ୍ନୟନମୂଳକ କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ପୁନର୍ବାର ଜନସାଧାରଣଙ୍କ ବିଶ୍ଵାସ ଜିଣିବା ପାଇଁ ପ୍ରୟାସ ଜୋରଦାର କରିବାକୁ ଗୁରୁତ୍ଵ ଦିଆଯାଇଥିଲା।
ଏତେ ସଂଖ୍ୟାରେ ନେତା ଓ କର୍ମୀ ଉପସ୍ଥିତ ଥିଲେ ହେଁ, କିଛି ପ୍ରମୁଖ ନେତା ଏହି ବୈଠକରୁ ଦୂରେଇ ରହିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସ୍ଥାନୀୟ ରାଜନୈତିକ ମହଲରେ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା ପ୍ରକାଶ ପାଇଛି।
ଦିନେ ଯେଉଁ ନେତାମାନେ ଦଳର ସବୁକିଛି ପରିଚାଳନା କରୁଥିଲେ, ଆଜି ଦଳୀୟ ବୈଠକରେ ସେମାନଙ୍କ ଅନୁପସ୍ଥିତି ଅନେକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ସେମାନେ କୌଣସି କାରଣବଶତଃ ଅନୁପସ୍ଥିତ ଥିଲେ, ନା ଦଳରେ ଥାଇ ମଧ୍ୟ ଦଳର ମଙ୍ଗ ଧରିବାକୁ ପଛଘୁଞ୍ଚା ଦେଉଛନ୍ତି—ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାର ପ୍ରକୃତ କାରଣ ଆଗାମୀ ଦିନର ରାଜନୈତିକ ପଦକ୍ଷେପ ଓ ନିର୍ବାଚନୀ ଫଳାଫଳ ଉପରେ ନିର୍ଭର କରୁଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।