ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ଜିଲାସ୍ତରୀୟ ସ୍ୱନିଧି ମହୋତ୍ସବ: ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼…
ଛତ୍ରପୁର, ୩୦।୬ (ଦିଲ୍ଲୀପି ସାମଲ): ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସ୍ୱନିଧି (ପିଏମ୍ ସ୍ୱନିଧି) ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ମଙ୍ଗଳବାର ଗଞ୍ଜାମ ଜିଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ‘ସ୍ୱନିଧି ମହୋତ୍ସବ’ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଇଛି।
ଜିଲା ନଗର ଉନ୍ନୟନ ସଂସ୍ଥା (ଡୁଡା), ଗଞ୍ଜାମର ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବିଧାୟକ ତଥା ଜିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ୬ ବର୍ଷ ପୂର୍ବେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଏହା ଦ୍ୱାରା ରାସ୍ତାକଡ଼ର କ୍ଷୁଦ୍ର ବ୍ୟବସାୟୀମାନେ ସହଜରେ ଋଣ ପାଇ ନିଜ ବ୍ୟବସାୟକୁ ଆଗକୁ ବଢ଼ାଇପାରୁଛନ୍ତି।
ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଛୋଟ ବ୍ୟବସାୟୀମାନଙ୍କ ଆର୍ଥିକ ସଶକ୍ତିକରଣ ଓ ବିକାଶ ପାଇଁ ପିଏମ୍ ସ୍ୱନିଧି ଯୋଜନା ଏକ ମାଇଲଖୁଣ୍ଟ। ବ୍ୟାଙ୍କମାନେ ଯେପରି ସହଜ ଓ ସମୟୋପଯୋଗୀ ଭାବେ ଋଣ ପ୍ରଦାନ କରିବେ, ସେଥିପାଇଁ ସେ ଅନୁରୋଧ କରିଥିଲେ।
ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର କହିଥିଲେ ଯେ, ପିଏମ୍ ସ୍ୱନିଧି ଯୋଜନା ଯୋଗୁଁ ହଜାର ହଜାର କ୍ଷୁଦ୍ର ବ୍ୟବସାୟୀ ଆର୍ଥିକ ଭାବେ ସଶକ୍ତ ହୋଇ ନିଜ ପରିବାରର ଜୀବିକାକୁ ସୁଦୃଢ଼ କରିପାରୁଛନ୍ତି।
କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲା ପାଳ ଭି. କୀର୍ତ୍ତି ଭାସନ କହିଥିଲେ ଯେ, କୋଭିଡ୍ ମହାମାରୀ ପରେ ପଥ ବିକ୍ରେତାମାନଙ୍କ ଜୀବିକାକୁ ପୁନରୁଦ୍ଧାର କରିବା ପାଇଁ ପିଏମ୍ ସ୍ୱନିଧି ଯୋଜନା ଆରମ୍ଭ କରାଯାଇଥିଲା। ଆଗାମୀ ଦୁଇରୁ ତିନି ମାସ ମଧ୍ୟରେ ୨୫ରୁ ୩୦ ଜଣ ପଥ ବିକ୍ରେତାଙ୍କୁ ନେଇ ଆଧୁନିକ ଷ୍ଟ୍ରିଟ୍ ଭେଣ୍ଡିଂ ଜୋନ୍ ଗଠନ କରିବାକୁ ଯୋଜନା ରହିଛି। ସେ କହିଥିଲେ, ଗଞ୍ଜାମ ଜିଲା ର ହଜାର ହଜାର ପଥ ବିକ୍ରେତା ଏହି ଯୋଜନା ମାଧ୍ୟମରେ ସ୍ୱଳ୍ପ ସୁଧରେ ଋଣ ପାଇ ବ୍ୟବସାୟକୁ ପୁନର୍ବାର ଆରମ୍ଭ କରିବା ସହ ଡିଜିଟାଲ୍ ଲେଣଦେଣ ସହିତ ଯୋଡ଼ି ହୋଇପାରିଛନ୍ତି, ଯାହା ଆତ୍ମନିର୍ଭର ଭାରତର ଲକ୍ଷ୍ୟକୁ ସାକାର କରୁଛି।
ଏହି ଅବସରରେ ପଥ ବିକ୍ରେତାମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ୨୦୨୦ ମସିହା ଜୁନ୍ ୧ରେ ଆରମ୍ଭ ହୋଇଥିବା ପିଏମ୍ ସ୍ୱନିଧି ଯୋଜନାର ସଫଳତା ଓ ବିଭିନ୍ନ ଉପଲବ୍ଧି ଉପରେ ଆଲୋଚନା କରାଯାଇଥିଲା।
କାର୍ଯ୍ୟକ୍ରମରେ ମୋଟ ୩୪ ଜଣ ହିତାଧିକାରୀଙ୍କୁ ଋଣ ବଣ୍ଟନ କରାଯାଇଥିଲା। ସେଥିମଧ୍ୟରୁ ୧୮ ଜଣଙ୍କୁ ପ୍ରଥମ କିସ୍ତିରେ ୧୫ ହଜାର ଟଙ୍କା, ୧୪ ଜଣଙ୍କୁ ଦ୍ୱିତୀୟ କିସ୍ତିରେ ୨୫ ହଜାର ଟଙ୍କା ଏବଂ ୨ ଜଣଙ୍କୁ ତୃତୀୟ କିସ୍ତିରେ ୫୦ ହଜାର ଟଙ୍କା ଲେଖାଏଁ ଋଣ ପ୍ରଦାନ କରାଯାଇଥିଲା। ଏହା ସହ ଜଣେ ମହିଳା ଷ୍ଟ୍ରିଟ୍ ଭେଣ୍ଡରଙ୍କୁ କ୍ରେଡିଟ୍ କାର୍ଡ ସୁବିଧା ମଧ୍ୟ ପ୍ରଦାନ କରାଯାଇଥିଲା।
ଡିଜିଟାଲ୍ ପେମେଣ୍ଟ, ଋଣ ପରିଶୋଧ ଏବଂ ପରବର୍ତ୍ତୀ କିସ୍ତି ଋଣ ପାଇବା ସମ୍ପର୍କରେ ହିତାଧିକାରୀମାନଙ୍କୁ ସଚେତନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ସମୀର କୁମାର ଜେନା, ବିଭିନ୍ନ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲାସ୍ତରୀୟ ଅଧିକାରୀ, ବ୍ୟାଙ୍କ ପ୍ରତିନିଧି ଓ ବହୁ ସଂଖ୍ୟକ ପଥ ବିକ୍ରେତା ଉପସ୍ଥିତ ଥିଲେ। ଶେଷରେ ଛତ୍ରପୁର ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।