ଇପିଏଫ କି ପେନସନ ନାହିଁ: ୪୧ ବର୍ଷ ସରକାରୀ ସେବାପରେ ବିନା ସୁବିଧାରେ ଅବସର ନେଲେ ତ୍ରିନାଥ

Jun 30, 2026 - 15:49
ଇପିଏଫ କି ପେନସନ ନାହିଁ: ୪୧ ବର୍ଷ ସରକାରୀ ସେବାପରେ ବିନା ସୁବିଧାରେ ଅବସର ନେଲେ ତ୍ରିନାଥ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ କାର୍ଯ୍ୟରତ ଥିବା ପିଅନ ତ୍ରିନାଥ ପ୍ରଧାନ ମଙ୍ଗଳବାର କର୍ମମୟ ଜୀବନରୁ ଅବସର ନେଇଛନ୍ତି। ଏନେଇ ମହାବିଦ୍ୟାଳୟ ପକ୍ଷରୁ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ତ୍ରିନାଥ ୧୯୮୫ ମସିହାରେ ଉଦ୍ଭିଦ ବିଜ୍ଞାନ ବିଭାଗ ପ୍ରୟୋଗଶାଳା ସହାୟକ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ପରିଚାଳନା କମିଟି ଅଧୀନରେ ଦୀର୍ଘ ବର୍ଷ ଧରି ସରକାରୀ ସେବା ଯୋଗାଇବା ପରେ ୧୯୯୩ ମସିହାରେ ବ୍ଲକ ଗ୍ରାଣ୍ଡ ଅଧିନକୁ ଆସିଥିଲେ। ଏହାର କିଛି ବର୍ଷ ପରେ ତାଙ୍କର ଆଉ ଇପିଏଫ ଟଙ୍କା କଟିଲା ନାହିଁ। ବ୍ଲକ ଗ୍ରାଣ୍ଡ ପରେ ଇପିଏଫ କଟିବ ନାହିଁ ବୋଲି ତାଙ୍କୁ କୁହାଗଲା। କେଉଁ କାରଣରୁ ତାଙ୍କର ଆଉ ଇପିଏଫ ଟଙ୍କା କଟିଲା ନାହିଁ ଅଶିକ୍ଷିତ ତ୍ରିନାଥ ଏନେଇ ଜାଣିପାରିଲେ ନାହିଁ। ଆଜି ତ୍ରିନାଥ ବିନା ସରକାରୀ ସୁବିଧାରେ ଅବସର ନେଇଛନ୍ତି। ତାଙ୍କୁ ପେନସନ ମଧ୍ୟ ମିଳିବ ନାହିଁ। ଇପିଏଫ ଅର୍ଥ ଥିଲେ ହୁଏତ ସେଥିରୁ କିଛି ପେନସନ ବାବଦକୁ ମିଳିଥାନ୍ତା। ଏହିଭଳି ପରିସ୍ଥିତିରେ ଆଜି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ତ୍ରିନାଥ ଯୋଗଦେଇ ନିଜର ଦୁଃଖ ବ୍ୟକ୍ତ କରିଥିଲେ। ଅନ୍ୟ କର୍ମଚାରୀ ମଧ୍ୟ ତ୍ରିନାଥଙ୍କ ସମସ୍ୟା ସମ୍ପର୍କରେ କହିବା ସହ ସହାୟତାର ହାତ ବଢ଼ାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଅଧ୍ୟକ୍ଷ ଡଃ ଗଗନ ବିହାରୀ ପୁରୋହିତ ସଭାରେ ଅଧ୍ୟକ୍ଷତା କରି ଆଇନ ଅନୁଯାୟୀ, ଯାହା ସମ୍ଭବ ତାହା ତ୍ରିନାଥଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ହର ପ୍ରସାଦ ଶତପଥି, ପ୍ରଶାନ୍ତ ରଥ, ଡ ରବିନ୍ଦ୍ର ମିଶ୍ର, ରଜତ ମିଶ୍ର, ପ୍ରତ୍ୟୁଷ କାର୍ଜୀ, ଅଧ୍ୟାପିକା ସୁନିତା ରାଣୀ ଖଣ୍ଡୁଆଳ ପ୍ରମୁଖ ଆଲୋଚନାରେ ଭାଗ ନେଇ ନିଜର ବକ୍ତବ୍ୟ ରଖିଥିଲେ।

 

Dharitri – Odisha’s No.1 Odia Daily