ଲୋମହର୍ଷଣକାରୀ ହତ୍ୟା, ଲୁଟ୍ ଘଟଣା: ହତ୍ୟାକାରୀଙ୍କ ଗାଡି ଦୁର୍ଘଟଣା, ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ…

Jun 30, 2026 - 13:14
ଲୋମହର୍ଷଣକାରୀ ହତ୍ୟା, ଲୁଟ୍ ଘଟଣା: ହତ୍ୟାକାରୀଙ୍କ ଗାଡି ଦୁର୍ଘଟଣା, ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ…

ସୁନ୍ଦରଗଡ଼, ୩୦।୬ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାରେ ଘଟିଥିବା ଏକ ଲୋମହର୍ଷଣକାରୀ ହତ୍ୟା ଓ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏନେଇ ମଙ୍ଗଳବାର ସୁନ୍ଦରଗଡ଼ ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲାପୋଲିସ ଅଧୀକ୍ଷକ (ଏସ୍‌ପି) ଅମୃତ ପାଲ କୌର ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି।

ଏସ୍‌ପିଙ୍କ ସୂଚନା ଅନୁଯାୟୀ, ତଲସରା ଅଞ୍ଚଳର ଅନମୋଲ ମଲ୍ଲିକ ଓ ତାଙ୍କ ବନ୍ଧୁ ଶିବଧନ ଲୋହାର ଜଣେ ରୋଗୀଙ୍କୁ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ (GMCH)ରେ ଭର୍ତ୍ତି କରାଇ ଗତ ଜୁନ୍ ୨୮ ତାରିଖ ରାତିରେ ନିଜ ନିଜ ଗାଡ଼ିରେ ଘରକୁ ଫେରୁଥିଲେ। ସେହି ସମୟରେ ସବଡେଗା ଓ ତଲସରା ମଧ୍ୟରେ ତିନିଜଣ ଦୁର୍ବୃତ୍ତ ବାଇକ୍‌ରେ ସେମାନଙ୍କୁ ପିଛା କରିଥିଲେ।

ଦୁର୍ବୃତ୍ତମାନେ ପ୍ରଥମେ ଅନମୋଲଙ୍କ ସ୍କର୍ପିଓ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ସେଥିରେ ବିଫଳ ହେବା ପରେ ସେମାନେ ଶିବଧନ ଲୋହାରଙ୍କ ଆଲ୍ଟୋ କାରକୁ ଅଟକାଇ ତାଙ୍କୁ ଗାଡ଼ିରୁ ଟାଣି ବାହାରକୁ ଆଣିଥିଲେ। ତାଙ୍କଠାରୁ ନଗଦ ଟଙ୍କା ଥିବା ପର୍ସ ଓ ମୋବାଇଲ ଫୋନ୍ ଲୁଟି ନେବା ସହ ଛୁରିରେ ଆକ୍ରମଣ କରିଥିଲେ।

ପରେ ଦୁର୍ବୃତ୍ତମାନେ ଶିବଧନଙ୍କୁ ପୁଣି ତାଙ୍କ କାର ଭିତରକୁ ନେଇ ଡୁଡୁକା ରେଳ ଓଭରବ୍ରିଜ୍‌ ନିକଟକୁ ଯାଇ ବାରମ୍ବାର ଛୁରି ଭୁସି ହତ୍ୟା କରିଥିଲେ। ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ରେଳ ଓଭରବ୍ରିଜ୍‌ ନିକଟସ୍ଥ ଏକ ଜଳସ୍ରୋତରେ ଫିଙ୍ଗି ଦେଇଥିଲେ।ଏହାପରେ ଲୁଟ୍ ହୋଇଥିବା ଆଲ୍ଟୋ କାରରେ ଫେରାର ହେଉଥିବା ବେଳେ ଜୁନ୍ ୨୯ ତାରିଖ ଭୋର ପ୍ରାୟ ୫ଟା ସମୟରେ ଭଷ୍ମା ଥାନା ଅନ୍ତର୍ଗତ ଖମାରବାହାଲ ନିକଟ କୋଇଲା କରିଡର ରାସ୍ତାରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଖବର ପାଇ ଭଷ୍ମା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ସୁନ୍ଦରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଦୁର୍ଘଟଣାରେ ଅଭିଯୁକ୍ତ ଶୁଭେନ୍ଦୁ ଶେଖର ମାଝୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଅଭିଯୁକ୍ତ ଭୁମେଶ୍ୱର ବେହେରା ରାଉରକେଲାର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି।

ତଦନ୍ତ ବେଳେ ପୋଲିସ ହତ୍ୟାରେ ବ୍ୟବହୃତ ଛୁରି, ଲୁଟ୍ ହୋଇଥିବା ଆଲ୍ଟୋ କାର ଓ ମୃତକଙ୍କ ପର୍ସ ଜବତ କରିଛି। ସାଇଣ୍ଟିଫିକ୍‌ ଟିମ୍‌ର ସହାୟତାରେ ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରାଯାଇଥିବା ବୋଲି ଏସ୍‌ପି ଅମୃତ ପାଲ କୌର ସୂଚନା ଦେଇଛନ୍ତି। ସୁନ୍ଦରଗଡ଼ ଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗଠିତ ଏକ ସ୍ୱତନ୍ତ୍ର ପୋଲିସ ଟିମ୍‌ ମାମଲାର ତଦନ୍ତ କରୁଛି। ଏହି ହତ୍ୟା ଓ ଲୁଟ୍ ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Dharitri – Odisha’s No.1 Odia Daily