ଜୈବିକ ଖାଦ୍ୟର ପୃଥିବୀ

Jun 26, 2026 - 08:19
ଜୈବିକ ଖାଦ୍ୟର ପୃଥିବୀ

ଆଜିକାଲି ଲୋକଙ୍କ ଭିତରେ ଖାଦ୍ୟ ସଚେତନତା ବଢ଼ୁଛି। ରଙ୍ଗିନ, ଆଖିକୁ ଖୁସି ଦେଲାପରି ଖାଦ୍ୟ ସବୁ ଗ୍ରହଣ କରିବା ବଦଳରେ ଜୈବିକ ଖାଦ୍ୟ ପ୍ରତି ଲୋକମାନଙ୍କ ଆଗ୍ରହ ବଢ଼ୁଛି। ଏହା ଆମକୁ ଭଲଭାବେ ଜଣା ଯେ, ରାସାୟନିକ ସାର ଓ ପ୍ରଦୂଷଣ ଦିନକୁ ଦିନ ଖାଦ୍ୟକୁ ଯେଉଁ ବିଷାକ୍ତ କରୁଛି ତାହା ଜହର ସ୍ବରୂପ ପାଲଟି ଯାଉଛି। ଭାରତରେ ସବୁଜ ବିପ୍ଳବ ପୂର୍ବରୁ ଜୈବିକ ଖାଦ୍ୟ ପ୍ରସ୍ତୁତ ହେଉଥିଲା। ଦିନ ଥିଲା ଗୋବର ଖତ ଶସ୍ୟ କ୍ଷେତ୍ର ପାଇଁ ସବୁ କିଛି ଥିଲା। ଏଥିରେ ଅନେକ ଉପକାରୀ ଅଣୁଜୀବ ଓ ଜିଆମାନେ ରହୁଥିଲେ।
ଭାରତର ଅନେକ ରାଜ୍ୟରେ ଜୈବିକ ଫସଲ ଓ ପନିପରିବା ପ୍ରସ୍ତୁତ ହେଲାଣି। ୨୦୨୪ର ତଥ୍ୟ ଅନୁଯାୟୀ ଭାରତରେ ପ୍ରାୟ ୨ ଲକ୍ଷରୁ ଊର୍ଦ୍ଧ୍ୱ କୃଷକ ଜୈବିକ କୃଷି କରୁଛନ୍ତି। ଜୈବିକ ଖାଦ୍ୟରେ ବିକଶିତ ତାଲିକାରେ ସିକିମ୍‌ ଅଗ୍ରଣୀ ରହିଥିବାବେଳେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର ନଁା ରହିଛି। ଭାରତରେ ସିକିମ ହେଉଛି ପ୍ରଥମ ରାଜ୍ୟ, ଯେଉଁଠି ୨୦୧୪ରେ ରାସାୟନିକ ସାର ବ୍ୟବହାର ରାଜ୍ୟରେ ନିଷେଧ କରାଯାଇଛି। ପରବର୍ତ୍ତୀ ସମୟରେ ବାହାର ରାଜ୍ୟରୁ ଆସୁଥିବା ଅଣଜୈବିକ ଫଳ ଓ ପନିପରିବା ନିଷିଦ୍ଧ କରାଗଲା। ସିକିମ ୨୦୧୬ରେ ସମ୍ପୂର୍ଣ୍ଣ ଜୈବିକ ରାଜ୍ୟ ଭାବେ ନିଜକୁ ଘୋଷଣା କରିଥିଲା। ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୨୦୧୮ରେ ମିଳିତ ଜାତିସଂଘ ସିକିମର ଏହି ଜୈବିକ ସମ୍ଭାବନା ପାଇଁ ପ୍ରଶଂସା କରିବା ସହ ସମ୍ମାନିତ କରିଥିଲେ। ସୂଚନାଥାଉ କି ସିିକିମର କେବଳ ପ୍ରାକୃତିକ ପରିବେଶ ବା ଅନନ୍ୟ ଜୈବ ବିବିଧତା ନୁହଁ ବରଂ ଜୈବିକ ଖାଦ୍ୟ ଓ ପନିପରିବା ପାଇଁ ଏହାର ବଡ଼ ବଜାର ରହିଛି। ଲୋକମାନଙ୍କ ଭିତରେ ଏହି ଜୈବିକ ଖାଦ୍ୟ ପ୍ରତି ଆଗ୍ରହ ବଢ଼ିବାରୁ ଭାରତୀୟ ଜୈବିକ ବଜାର ଲାଭବାନ ହୋଇଛି। ଅନ୍ତର୍ଜାତୀୟ ସ୍ତରରେ ୧୮୭ରୁ ଊର୍ଦ୍ଧ୍ୱ ଦେଶ ଜୈବିକ କୃଷିରେ ସକ୍ରିୟ; ଯେଉଁଥିରେ ଭାରତର ସ୍ଥାନ ପଞ୍ଚମ। ଭାରତୀୟ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଜୈବିକ ଖାଦ୍ୟର ଚାହିଦା ବଢ଼ିବାରେ ଲାଗିଛି। ଲୋକଙ୍କ ଭିତରେ ସଚେତନତା ବଢ଼ିବାରୁ ଘରେ ବାହାରେ ଥିବା ଫାଙ୍କା ସ୍ଥାନ କିମ୍ବା ଛାତ ଉପରେ ଜୈବିକ ଉପାୟରେ ପରିବା ଉପତ୍ାଦନ କରୁଛନ୍ତି। ଜୈବିକ ଖାଦ୍ୟ ଦ୍ୱାରା ଆମେ ବାସ୍ତବିକ ଆମର ପୁରୁଣା ସମୟର ଖାଦ୍ୟ ଓ ପନିପରିବା ଉପତ୍ନ୍ନ କରିପାରିବା। ଏହା ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ଅତ୍ୟନ୍ତ ରୋଗ ପ୍ରତିରୋଧକ ଶକ୍ତି ଦେଇଥାଏ। ତେବେ ବଜାରରେ ଅର୍ଗାନିକ ବା ଜୈବିକ ଟ୍ୟାଗ ଦେଖାଇ କିଛି କମ୍ପାନୀ ଠକାମି କରୁଥିବାର ଖବର ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଉଛି। ଜୈବିକ ଖାଦ୍ୟର ଏକ ବଡ଼ ଲାଭକ୍ଷେତ୍ର ହେଉଛି ଏହା ସମ୍ପୂର୍ଣ୍ଣ ପ୍ରକୃତିଗତ, ଯାହା ଫଳ ଓ ପନିପରିବାକୁ ଦୀର୍ଘଦିନ ପର୍ଯ୍ୟନ୍ତ ସତେଜ ରଖିବାର ଶକ୍ତି ରଖିଥାଏ ଓ ଏହି ଖାଦ୍ୟ ଅତ୍ୟନ୍ତ ସୁସ୍ବାଦୁ।
ଭାରତରେ ଜୈବିକ ଖାଦ୍ୟର ଭଲବଜାର ରହିଛି। ପ୍ରାୟତଃ ଅନେକ ଫଳ ଓ ପନିପରିବା ସହ ଚା’, କଫି, ତୁଳା ଭଲ ରୋଜଗାର ଦେଇଥାଏ ଜୈବିକ ଖାଦ୍ୟ ବଜାର ନିମିତ୍ତ। ଭାରତରେ ଜୈବିକ କୃଷି ପାଇଁ ମିଶ୍ରିତ ଚାଷ, ସୋପାନ ଚାଷ ପରି ପଦ୍ଧତି ଅବଲମ୍ବନ କରାଯାଉଥିବା ସମୟରେ ଜୈବିକ ସାର ଓ କୀଟ ନାଶକ ପ୍ରତି ଗୁରୁତ୍ୱ ଦିଆଯାଉଛି। ଏହା ସହିତ କୃଷକମାନେ କିପରି ଜୈବିକ ଉପାୟରେ ଖାଦ୍ୟ ଉତ୍ପାଦନ ନିମନ୍ତେ ଉତ୍ସାହିତ ହେବେ ଓ ଫସଲରେ ରାସାୟନିକ ସାର ଯଥା ସମ୍ଭବ ଅଳ୍ପ ପ୍ରୟୋଗ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ସାଧାରଣ ପ୍ରକ୍ରିୟାରେ ଉପତ୍ାଦିତ ଖାଦ୍ୟ ପଦାର୍ଥ ଅପେକ୍ଷା ଜୈବିକ ଖାଦ୍ୟ ପଦାର୍ଥର ମୂଲ୍ୟ ଅଧିକ ହୋଇଥିବା କାରଣରୁ ଏହା ସମସ୍ତଙ୍କ ପକ୍ଷରେ କିଣିବା ସମ୍ଭବ ହୋଇ ନ ଥାଏ। ମୂଲ୍ୟ ଅଧିକ ହୋଇଥିବା ସତ୍ତ୍ୱେ ଏପରି ଖାଦ୍ୟ ବାଛିବାର ଅନେକ କାରଣ ରହିଛି। ଯାହା ମଧ୍ୟରୁ ପରିବେଶ ଚିନ୍ତା ତଥା ସର୍ବୋପରି ସ୍ବାସ୍ଥ୍ୟ ସଚେତନତା ପ୍ରଧାନ କାରଣ।
ବର୍ତ୍ତମାନର ପାଣିପାଗର ପରିଣତି ଆମେମାନେ ଅନୁଭବ କରୁଛୁ। ଅନେକ ଋତୁଜାତୀୟ ଫସଲ ଓ ପନିପରିବା ଆଉ ପୂର୍ବପରି ବଜାରରେ ଦିଶୁ ନାହିଁ। ତେବେ ଜୈବିକ ଚାଷ ଓ ଜୈବିକ ଖାଦ୍ୟ କଥା ଉଠିଲେ, ଅନେକଙ୍କର ବେଶ୍‌ ଭଲ ଭାବେ ମନେଥିବ ଚାଷ କ୍ଷେତକୁ ବା ବାରିରେ ଥିବା ପନିପରିବା କ୍ଷେତ୍ରରେ ପ୍ରତିଦିନ ଏକ ବଡ଼ ଖାତରେ ରଖାଯାଉଥିବା ଗୋବର ବ୍ୟବହାର ହୋଇଥାଏ। ଆଜିକା ପରି ମୋ ପିଲା ଦିନ ସମୟରେ ଯେଉଁ ପୋକଙ୍କ ଫସଲ ହାନି କଥା କୁହାଯାଉଛି ସେତେବେଳେ ଆଜିକା ପରି ପୋକମାନଙ୍କ ପରି ପ୍ରାଦୁର୍ଭାବ ନ ଥିଲା। କଥା ହେଉଛି ଘରର ଅଗଣାରେ କିଛି ଜାଗା ହେଉ ବା ଘରର ଛାତ ଉପର, ସବୁ ସୁବିଧା ରହୁଛି ପୁରୁଣା ସାମଗ୍ରୀକୁ ନେଇ ସେଇଠି ହିଁ ସବୁଜ ଜୈବିକ ସବୁଜିମା ତିଆରି କରନ୍ତୁ। ଜୈବିକ ଖାଦ୍ୟ ପାଇଁ ସଚେତନତା ବଢ଼ିବା ଜରୁରୀ।

ବାଦଲ ଭୂୟାଁ
ପୁରୁଣା ସୋନାରୀ, ଜାମସେଦ୍‌ପୁର ମୋ:୯୨୦୪୬୫୨୦୫୫

 

Dharitri – Odisha’s No.1 Odia Daily