ବିଷାକ୍ତ ଛତୁ ଖାଇ ୩ ଶିଶୁ ଗୁରୁତର: କଲ୍ୟାଣସିଂହପୁର ମେଡିକାଲରେ ଭର୍ତ୍ତି, ଚିକିତ୍ସା ପରେ ଅବସ୍ଥା ସ୍ଥିର

Jun 26, 2026 - 23:11
ବିଷାକ୍ତ ଛତୁ ଖାଇ ୩ ଶିଶୁ ଗୁରୁତର: କଲ୍ୟାଣସିଂହପୁର ମେଡିକାଲରେ ଭର୍ତ୍ତି, ଚିକିତ୍ସା ପରେ ଅବସ୍ଥା ସ୍ଥିର

କଲ୍ୟାଣସିଂହପୁର, ୨୬।୬ (ଦୀପକ କୁମାର ପରିଡା): ବିଷାକ୍ତ ଛତୁ ଖାଇ ୩ ଜଣ ଶିଶୁ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁନିପଙ୍ଗା ପଞ୍ଚାୟତ ଅନ୍ତର୍ଗତ କୋତାଗୁଡା କୁମ୍ଭାର ସାହିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଅସୁସ୍ଥ ଶିଶୁମାନେ ହେଲେ ରୁଦ୍ର କାଶୀ (୧୧), ଚିନୁ କାଶୀ (୮) ଏବଂ କ୍ଷୀରଦ କାଶୀ (୯)।

ପରିବାର ଲୋକଙ୍କ କହିବା ଅନୁସାରେ, ଶୁକ୍ରବାର ଦିନ ଘରେ କେହି ନଥିବା ସମୟର ସୁଯୋଗ ନେଇ ଏହି ୩ ଜଣ ପିଲା ଜଙ୍ଗଲରୁ କୌଣସି ଏକ ଅଜଣା ବନ୍ୟ ଛତୁ ତୋଳି ଆଣିଥିଲେ। ଏହାପରେ ସେମାନେ ନିଜେ ତାହାକୁ ରୋଷେଇ କରି ଖାଇ ଦେଇଥିଲେ। ତେବେ ଛତୁଟି ବିଷାକ୍ତ ଥିବାରୁ ସନ୍ଧ୍ୟା ସମୟରେ ହଠାତ୍ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା। ପିଲାମାନେ ଅସହ୍ୟ ବାନ୍ତି ଓ ପେଟ କାଟିବା ଯୋଗୁ ଛଟପଟ ହୋଇଥିଲେ।

ପିଲାମାନଙ୍କୁ ଅସୁସ୍ଥ ଅବସ୍ଥାରେ ଦେଖି ପରିବାର ଲୋକେ ତୁରନ୍ତ ସେମାନଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC)ରେ ଆଣି ଭର୍ତ୍ତି କରିଥିଲେ। ମେଡିକାଲରେ କାର୍ଯ୍ୟରତ ଡାକ୍ତର ତୁରନ୍ତ ସେମାନଙ୍କର ପ୍ରାଥମିକ ଚିକିତ୍ସା ଆରମ୍ଭ କରିଥିଲେ। ବର୍ତ୍ତମାନ ସମସ୍ତ ଶିଶୁ ବିପଦମୁକ୍ତ ଏବଂ ସୁସ୍ଥ ଥିବା କାର୍ଯ୍ୟରତ ଡାକ୍ତର ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily