ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

Jun 26, 2026 - 22:13
ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ,  ଖେଳିଗଲା ଆତଙ୍କ
ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ସ୍ଥାନୀୟ ସମୟ ସନ୍ଧ୍ୟା ୫:୧୫ ମିନିଟ୍‌ରେ ଜାରି କରାଯାଇଥିବା ଏହି ଚେତାବନୀର ପ୍ରକୃତ କାରଣ ଏଯାବତ ସ୍ପଷ୍ଟ ହୋଇପାରିନାହିଁ।
ଆନ୍ତର୍ଜାତୀୟ ଖବରଦାତା ସଂସ୍ଥା ’ଏପି’ ଅନୁଯାୟୀ, ୟୁଏଇର ଗୃହ ମନ୍ତ୍ରଣାଳୟ ପକ୍ଷରୁ ହଠାତସ୍ଥାନୀୟ ଲୋକଙ୍କ ମୋବାଇଲ ଫୋନକୁ ମିସାଇଲ ଆକ୍ରମଣ ସମ୍ପର୍କିତ ଏକ ଜରୁରୀକାଳୀନ ସତର୍କ ସନ୍ଦେଶ ପଠାଯାଇଥିଲା। ଇରାନ ସହିତ ଚାଲିଥିବା ସାମ୍ପ୍ରତିକ ତିକ୍ତତା ମଧ୍ୟରେ ଏହା ପ୍ରଥମ ଥର ପାଇଁ ଏଭଳି ଏକ ଆଲର୍ଟ ଥିଲା, ଯାହା ଦୁବାଇବାସୀଙ୍କୁ ଚକିତ ଓ ସ୍ତବ୍ଧ କରିଦେଇଥିଲା।ଏହି ଆଲର୍ଟ ଜାରି ହେବାର ମାତ୍ର କିଛି ମିନିଟ ପରେ କର୍ତ୍ତୃପକ୍ଷ କୌଣସି ବିସ୍ତୃତ ସୂଚନା ନ ଦେଇ ସବୁକିଛି ସ୍ବାଭାବିକ ଥିବା ଅର୍ଥାତ ‘ଅଲ କ୍ଲିୟର’ର ସଙ୍କେତ ଦେଇଥିଲେ।
କହିରଖୁଛୁ, ଗୁରୁବାର ଓମାନ ଉପକୂଳ ନିକଟରେ ଏକ ତେଲ ଟାଙ୍କର ଉପରେ ଡ୍ରୋନ ଆକ୍ରମଣ କରାଯାଇଥିଲା, ଯାହା ପଛରେ ଇରାନ ଥିବା ସନ୍ଦେହ କରାଯାଉଛି। ହର୍ମୁଜ ଉପରେ ନିଜର ନିୟନ୍ତ୍ରଣକୁ ନେଇ ଇରାନ କ୍ରମାଗତ ଭାବେ ଏହି ଅଞ୍ଚଳ ଏବଂ ଆମେରିକାକୁ ଚ୍ୟାଲେଞ୍ଜ କରୁଛି। ଅପରପକ୍ଷେ ଇରାନ ଯୁଦ୍ଧକୁ ଏଡ଼ାଇବା ପାଇଁ ବର୍ତ୍ତମାନ ଏକ ମଧ୍ୟବର୍ତ୍ତୀକାଳୀନ ଚୁକ୍ତି ମଧ୍ୟ ବଳବତ୍ତର ରହିଛି।
Dharitri – Odisha’s No.1 Odia Daily