ଏଟିଏମ୍‌ ଅଚଳ, ୧୫ ଦିନ ହେଲା ଗ୍ରାହକ ହନ୍ତସନ୍ତ

Jun 21, 2026 - 20:33
ଏଟିଏମ୍‌ ଅଚଳ, ୧୫ ଦିନ ହେଲା ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ପ୍ରମୁଖ ବଜାର ସିମନବାଡ଼ି ଛକରେ ଥିବା ୧ ମାତ୍ର ଏଟିଏମ୍‌ ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଏଟିଏମ୍‌ ଉପରେ ନିର୍ଭର କରୁଥିବା ପ୍ରାୟ ୧୦ ପଞ୍ଚାୟତବାସୀ ହନ୍ତସନ୍ତ ହେଉଛନ୍ତି। ପ୍ରକାଶ ଯେ, ସିମନବାଡ଼ି ସମେତ ବାଡ଼ାବାଙ୍ଗା, କିରିକୁଟି, ତିଲୋରୀ, ବୁଡ଼ାଗୁଡା, ଗୁମିକିଆ, ଶ୍ରାନିକେତା, କୋଟଗଡ଼ ବ୍ଲକ ପକାରୀ, ବାଲିଗୁଡା ବ୍ଲକ ଋତୁଙ୍ଗିଆ ପଞ୍ଚାୟତବାସୀ ସିମନବାଡ଼ି ଏସ୍‌ବିଆଇ ଶାଖା ଉପରେ ନିର୍ଭର କରୁଛନ୍ତି ହଜାର ହଜାର ହିତାଧିକାରୀଙ୍କ ପାଇଁ ସିମନବାଡ଼ି ବଜାର ଛକ ଉପରେ ଏକମାତ୍ର ଏଟିଏମ୍‌ ରହିଛି ତେବେ ବିଦ୍ୟୁତ୍‌ ବିଭ୍ରାଟ ହେଲେ ଏଟିଏମ୍‌ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୧୫ ଦିନ ହେଲା ଏହି ଏଟିଏମ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଏହାର ମରାମତି କିମ୍ବା ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ଅଞ୍ଚଳର ହଜାର ହଜାର ଗ୍ରାହକ ଏହି ସେବାରୁ ବଞ୍ଚିତ ହୋଇ ହଇରାଣ ଭୋଗୁଛନ୍ତି। ସିମନବାଡ଼ିରେ ମଙ୍ଗଳବାର ସାପ୍ତାହିକ ହାଟ ହେଉଥିବା ବେଳେ ବଜାରକୁ ଦୈନିକ ଆସୁଥିବା ଲୋକ ଟଙ୍କା ଉଠାଣ କରି ନ ପାରି ବଜାରରୁ କୌଣସି ସାମଗ୍ରୀ କିଣା ବିକା କରିପାରୁନାହାନ୍ତି। ସେହିପରି ଜରୁରୀକାଳୀନ ପରିସ୍ଥିତିରେ ଲୋକ ସ୍ବାସ୍ଥ୍ୟସେବା ପାଇଁ ଟଙ୍କା ଉଠାଣ କରି ନ ପାରି ହଇରାଣ ଭୋଗୁଥିବା ଅମରେନ୍ଦ୍ର ପ୍ରଧାନ, ଉମାକାନ୍ତ ଦିଗାଲ, ସୁବାସ ପ୍ରଧାନ, ଦିଲୀପ ପ୍ରଧାନ, ଚିତ୍ତରଞ୍ଜନ ପ୍ରଧାନ, ସରୋଜ କୁମାର ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି। ଉକ୍ତ ବ୍ଲକର ପ୍ରମୁଖ ଜନଗହଳି ବଜାର ମଧ୍ୟରେ ସିମନବାଡ଼ି ଅନ୍ୟତମ। ମାତ୍ର ଗୋଟିଏ ବ୍ୟାଙ୍କ ରହିଥିବାରୁ ବ୍ୟାଙ୍କରେ ଭିଡ଼ କାରଣରୁ ଲୋକମାନେ ପଇସା ଉଠାଣ ପାଇଁ ଏଟିଏମ୍‌ ଉପରେ ନିର୍ଭର କରୁଥିବା ବେଳେ ଅତି ପୁରାତନ ଭର୍ସନ ସିଷ୍ଟମ ରହିଥିବା ଏଟିଏମ୍‌ ବାରମ୍ବାର ହ୍ୟାଙ୍ଗ ହେବା ସହ ଇନଭୋଟର ନ ଥିବାରୁ କେବଳ ବିଦ୍ୟୁତ୍‌ ଉପରେ ନିର୍ଭର ଏହି ଏଟିଏମ୍‌ ବାରମ୍ବାର ଅଚଳ ହୋଇପଡୁଛି। ଶୀତତାପ ନିୟନ୍ତ୍ରଣ ପାଇଁ ଏସି ନ ଥିବାରୁ ଏହା ବାରମ୍ବାର ହିଟ୍‌ ଯୋଗୁ ମଧ୍ୟ ହ୍ୟାଙ୍ଗ ହେଉଥିବା କୁହାଯାଉଛି।

ଏନେଇ ସିମନବାଡ଼ି ଏସ୍‌ବିଆଇ ଶାଖା ପରିଚାଳକ ଗୌରୀ ଶଙ୍କର ନାୟକଙ୍କ ପ୍ରତିକ୍ରିୟା ନିଆଯିବାରୁ ସେ କହିଛନ୍ତି ଯେ, ବିଦ୍ୟୁତ ବାରମ୍ବାର ବିଭ୍ରାଟ କାରଣରୁ ଏହା ଅଚଳ ହୋଇପଡ଼ିଛି ଉକ୍ତ ଏଟିଏମ୍‌ ବାଲିଗୁଡ଼ା ବ୍ରାଞ୍ଚ ଦ୍ୱାରା ପରିଚାଳିତ ଏ ସମ୍ପର୍କରେ ତାଙ୍କୁ ଅବଗତ କରାଯାଇଥିବା ସେ କହିଛନ୍ତି। ଏଟିଏମ୍‌ ଅଚଳ ଯୋଗୁ ବ୍ୟବସାୟ ଓ ଏସବିଆଇର ଗ୍ରାହକମାନେ ହଇରାଣ ଭୋଗୁଛନ୍ତି ଏହାର ସମାଧାନ କରାନଗଲେ ଆଗାମୀ ଦିନରେ ଏହାକୁ ନେଇ ଆନ୍ଦୋଳନ କରାଯିବ ବୋଲି ବଣିକ ସଂଘ ସଭାପତି ମହେଶ କୁମାର ସାହୁ, ସମ୍ପାଦକ ଏସ୍‌. ସୁନୀଲ କୁମାର ସୁବୁଦ୍ଧି ପ୍ରମୁଖ ଚେତାବନୀ ଦେଇଛନ୍ତି।

Dharitri – Odisha’s No.1 Odia Daily