ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

Jun 21, 2026 - 20:33
ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

ଜଗନ୍ନାଥପ୍ରସାଦ,୨୧ା୬(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପୁତୁରା ଏବଂ ତାଙ୍କ ବୋହୂ ମିଶି ବିଧବା ଖୁଡ଼ୀ ରେବତୀ ପ୍ରଧାନଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ନେଇ ଥାନାରେ ସଙ୍ଗୀନ ଅଭିଯୋଗ ହୋଇଛି। ସୂଚନା ପାଇବା ପରେ ଜଗନ୍ନାଥପ୍ରସାଦ ଥାନା ପୋଲିସ ଅଧିକାରୀ ପ୍ରମୋଦ କୁମାର ଲେଙ୍କା ଓ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ପ୍ରକ୍ରିୟା ଜୋରଦାର କରିଛି I

ସୂଚନା ଅନୁଯାୟୀ, ଏକଘରିଆ ପଲ୍ଲୀ ଗ୍ରାମର ଦାଦାଙ୍କ ପୂର୍ବରୁ ମୃତ୍ୟୁ ଘଟିଥିବା ବେଳେ ଖୁଡ଼ୀ ଘରେ ଏକୁଟିଆ ରହୁଥିଲେ ଦୀର୍ଘଦିନ ହେବ ପୁତୁରା ଓ ଖୁଡ଼ୀ ଉଭୟଙ୍କ ମଧ୍ୟରେ ଜମିବାଡ଼ି ଏବଂ ସମ୍ପତ୍ତି ଭାଗବଣ୍ଟାକୁ ନେଇ ବିବାଦ ଲାଗି ରହିଥିଲା। ରବିବାର ଏହି ଜମି ବିବାଦ ଉଗ୍ରରୂପ ଦେଖିବାକୁ ମିଳିଥିଲା ନାଳକୁଳ ଘାଇ ତଳ କେନାଲରେ ଆଜି ସକାଳେ ଜଙ୍ଗଲ ଗୁଡ଼ି ଗୋଟାଇବାକୁ ଆସିଥିବା ବେଳେ ଖୁଡ଼ୀଙ୍କୁ ଜୀବନରୁ ହଟାଇବା ନେଇ ପୂର୍ବ ପ୍ରସ୍ତୁତି କରି ଛକି ଥିବା ପତୁରା ଓ ବୋହୂ ରେବତୀଙ୍କୁ ଏକା ଦେଖି ପୁତୁରା ବ୍ୟବହାର ନିଜ ଗାମୁଛା ସାହାଯ୍ୟରେ ରେବତୀଙ୍କ ଗଳାଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାତି ବୀରେନ୍ଦ୍ର ଓ କୈଳାସ ଏନେଇ ଜଗନ୍ନାଥପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଜମି ହଡ଼ପ କରିବା ଉଦ୍ଦେଶ୍ୟରେ ହିଁ ପୁତୁରା ଏବଂ ବୋହୂ ଯୋଜନାବଦ୍ଧ ଭାବେ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି। ପୋଲିସ ଏହି ଅଭିଯୋଗକୁ ଭିତ୍ତିକରି ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Dharitri – Odisha’s No.1 Odia Daily