ଭୁବନେଶ୍ୱରକୁ ଜଗିଛି ଅଦୃଶ୍ୟ ଶକ୍ତି! ଚମକାଇଲା ବିଶେଷଜ୍ଞଙ୍କ ଆକଳନ, ଆଗକୁ ଭୟଙ୍କର…
ଭୁବନେଶ୍ୱର,୧୭।୬: ଭୁବନେଶ୍ୱରବାସୀ ବର୍ଷାକୁ ଚାହିଁ ଚାହିଁ ନିରାଶ। ଆକାଶରେ ମେଘ ଆସୁଛି, ପବନ ବହୁଛି, ବର୍ଷା ହେବ ବୋଲି ଆଶା ଜାଗୁଛି। କିନ୍ତୁ ଠିକ ସେତିକିବେଳେ ମେଘ ଉଭାନ ହୋଇଯାଉଛି। ମୌସୁମୀ ଉପକୂଳ ଓଡ଼ିଶାକୁ ଛୁଇଁଥିଲେ ମଧ୍ୟ ରାଜଧାନୀରେ ବର୍ଷାର ଦେଖା ନାହିଁ। ବରଂ ତାତି ଓ ଗୁଳୁଗୁଳି ଦିନକୁ ଦିନ ବଢ଼ୁଛି। ତେବେ ଭୁବନେଶ୍ୱରରେ ବର୍ଷାକୁ କିଏ ଅଟକାଉଛି? କାହିଁକି ସହର ସୀମାରେ ମେଘ ଆସି ଫେରିଯାଉଛି? ବିଶେଷଜ୍ଞମାନେ ଏହା ପଛରେ ଦେଖାଉଛନ୍ତି ଏକ ଅଦୃଶ୍ୟ ‘ଉତ୍ତପ୍ତ ବଳୟ’ର ପ୍ରଭାବ।
ଭୁବନେଶ୍ୱରବାସୀ ଏବେ ମେଘକୁ ଚାହିଁ ଚାହିଁ ଚାତକ ଭଳି ଅପେକ୍ଷା କରିଛନ୍ତି, ହେଲେ ବର୍ଷା ଠିକ ସହର ମୁହାଁ ହେବା ବେଳକୁ ବାଟ ବଦଳାଇ ଦେଉଛି। ରାଜଧାନୀରେ ‘ଉତ୍ତପ୍ତ ବଳୟ’ (Urban Heat Island) ର କରାଳ ରୂପବିଶେଷଜ୍ଞମାନେ କହୁଥିବା ଏହି ଅଦୃଶ୍ୟ ‘ଉତ୍ତପ୍ତ ବଳୟ’ କୌଣସି କାଳ୍ପନିକ କଥା ନୁହେଁ। ବିଗତ ୧୫-୨୦ ବର୍ଷ ମଧ୍ୟରେ ଭୁବନେଶ୍ୱରରେ ଅହେତୁକ କଂକ୍ରିଟକରଣ ଏବଂ ସବୁଜିମା ହ୍ରାସ ଯୋଗୁଁ ସହରଟି ଏକ Urban Heat Island ବା ଉତ୍ତାପ ପିଣ୍ଡରେ ପରିଣତ ହୋଇଛି। ଆଇଆଇଟି ଭୁବନେଶ୍ୱର (IIT Bhubaneswar) ର ଗବେଷଣା ଅନୁଯାୟୀ, ଗ୍ରାମାଞ୍ଚଳ ତୁଳନାରେ ସହରର ତାପମାତ୍ରା ପ୍ରାୟ 1.8 ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।
ମୌସୁମୀ ଉପକୂଳ ଓଡ଼ିଶାରେ ପହଞ୍ଚିଥିବା କୁହାଯାଉଛି। ହେଲେ ଭୁବନେଶ୍ୱରରେ ତାହାର ପ୍ରଭାବ ଦେଖାଯାଉନି। ସୋମବାର ୩୭ ଡିଗ୍ରୀ ଥିବା ତାପମାତ୍ରା ମଙ୍ଗଳବାର ୩୯ ଦଶମିକ ୨ ଡିଗ୍ରୀକୁ ଛୁଇଁଥିଲା। ଉଚ୍ଚ ଆର୍ଦ୍ରତା କାରଣରୁ ଅନୁଭୂତ ତାପମାତ୍ରା ୫୦ ଡିଗ୍ରୀ ପର୍ଯ୍ୟନ୍ତ ମନେ ହେଉଥିଲା। ଫଳରେ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି ସହରବାସୀ।
ବିଶେଷଜ୍ଞଙ୍କ ମତରେ, ଦ୍ରୁତ ସହରୀକରଣ ଏବଂ ବ୍ୟାପକ କଂକ୍ରିଟକରଣ ଯୋଗୁ ଭୁବନେଶ୍ୱର ଉପରେ ଏକ ଉତ୍ତପ୍ତ ବଳୟ ବା ‘ହିଟ ଡୋମ’ ସୃଷ୍ଟି ହୋଇଛି। ଏହି ଉତ୍ତାପ ବଳୟ ସହରକୁ ଆସୁଥିବା ମେଘକୁ ଭାଙ୍ଗି ଦେଉଛି କିମ୍ୱା ଦିଗ ବଦଳାଇ ଦେଉଛି। ସେଥିପାଇଁ ପଶ୍ଚିମ ପଟୁ ଆସୁଥିବା ମେଘ ଭୁବନେଶ୍ୱର ଛାଡ଼ି କଟକ, ମାହାଙ୍ଗା କିମ୍ୱା ସାଲେପୁର ଆଡ଼କୁ ଯାଇ ବର୍ଷା କରାଉଛି। ଅନ୍ୟପଟେ ଜଳୀୟବାଷ୍ପ ଉପରକୁ ଉଠିପାରୁନଥିବାରୁ ତଳ ବାୟୁମଣ୍ଡଳରେ ଗୁଳୁଗୁଳି ବଢ଼ାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।