ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏ ରୋଗୀସେବା ବନ୍ଦ, ହନ୍ତସନ୍ତ ହେଉଛନ୍ତି ରୋଗୀ
ବଞ୍ଚୋ,୧।୭(ପ୍ରଦୋଷ ବିଶ୍ୱାଳ ): ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନ (ଓମ୍ସା)ର ୮ ଦଫା ଦାବି ପୂରଣ ନ ହେବା ପ୍ରତିବାଦରେ ଜାତୀୟ ଡାକ୍ତର ଦିବସ ଅବସରରୁ ବୁଧବାର ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟକାଳ ପାଇଁ ରୋଗୀସେବା ବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି। ଏହାର ପ୍ରଭାବ କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ମଧ୍ୟ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ଓମ୍ସା ସହ ଜଡିତ ଡାକ୍ତରମାନେ ହସ୍ପିଟାଲ ପରିସରରେ ଧାରଣାରେ ବସିଥିବା ବେଳେ ନିୟମିତ ରୋଗୀସେବା ବ୍ୟାହତ ହୋଇଛି।
ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର କୃଷ୍ଣଚନ୍ଦ୍ର ଦାଶ କହିଛନ୍ତି ଯେ, ଦୀର୍ଘଦିନ ଧରି ଡାକ୍ତରମାନଙ୍କ ବିଭିନ୍ନ ନ୍ୟାୟସଙ୍ଗତ ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲେ ମଧ୍ୟ ସେଗୁଡ଼ିକର ସମାଧାନ ହୋଇନାହିଁ । ବାଧ୍ୟ ହୋଇ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟକାଳୀନ ଆନ୍ଦୋଳନରେ ସାମିଲ ହେବାକୁ ପଡ଼ିଛି । ସରକାର ଶୀଘ୍ର ଦାବି ପୂରଣ କଲେ ସ୍ୱାଭାବିକ ଭାବେ ରୋଗୀସେବା ପୁନର୍ବାର ଆରମ୍ଭ ହେବ ବୋଲି ସେ କହିଛନ୍ତି।
ଡାକ୍ତରମାନଙ୍କ କାର୍ଯ୍ୟବନ୍ଦ ଯୋଗୁଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଆସିଥିବା ଶହ ଶହ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଚିକିତ୍ସା ପାଇଁ ଦୂରଦୂରାନ୍ତରୁ ଆସିଥିବା ରୋଗୀମାନେ ନିରାଶ ହୋଇ ଫେରିଯାଉଥିବା ବେଳେ ଅନେକ ବିକଳ୍ପ ଚିକିତ୍ସା ବ୍ୟବସ୍ଥା ଖୋଜୁଥିବା ଦେଖିବାକୁ ମିଳିଛି। ସରକାର ଓ ଓମ୍ସା ମଧ୍ୟରେ ଶୀଘ୍ର ଆଲୋଚନା ମାଧ୍ୟମରେ ସମାଧାନ ବାହାରିବ ବୋଲି ରୋଗୀ ଓ ସାଧାରଣ ଲୋକ ଆଶା ପ୍ରକାଶ କରିଛନ୍ତି।