ଡାକ୍ତର ଦିବସ; କଳାହାଣ୍ଡିରେ ସ୍ୱାସ୍ଥ୍ୟ ସେବା ଠପ୍, ରୋଗୀ ହନ୍ତସନ୍ତ
ଭବାନୀପାଟଣା,୧।୭(ଉତ୍ତମ କୁମାର ଦାଶ): ଜାତୀୟ ଡାକ୍ତର ଦିବସରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବୁଧବାର ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ ସମେତ କଳାହାଣ୍ଡି ଜିଲାର ସମସ୍ତ ସରକାରୀ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ଗୁରୁତର ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଓମସା ଆକ୍ସନ କମିଟିର ଆହ୍ବାନ କ୍ରମେ ତଥା କଳାହାଣ୍ଡି ଏସୋସିଏସନର ସଭାପତି ଡାକ୍ତର ନିହାରେନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ଜିଲାର ସମସ୍ତ ସରକାରୀ ଚିକିତ୍ସାଳୟର ଡାକ୍ତରମାନେ ୧୦ ଦଫା ଦାବି ନେଇଁ ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅର୍ନିଦ୍ଦିଷ୍ଟକାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି।
ଜିଲାରେ ୬ ଶହ ଡାକ୍ତର ଅନୁମୋଦନ ପଦବୀ ରହିଥିବାବେଳେ ଏବେ ମାତ୍ର ୨ ଶହ ଡାକ୍ତର ରହିଛନ୍ତି। କମ ସଂଖ୍ୟକ ଡାକ୍ତର ଯୋଗୁଁ ଜିଲାରେ ସ୍ୱାସ୍ଥ୍ୟ ସେବା ପରିଚାଳନାରେ ବାଧା ଉପୁଜିଛି। ତେଣୁ ଖାଲି ପଡିଥିବା ଡାକ୍ତର ପଦବୀକୁ ଶୀଘ୍ର ପୂରଣ କରିବାକୁ ଦାବି କରିଛନ୍ତି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଏହି ଆନ୍ଦୋଳନ ସମୟରେ ସାଧାରଣ ଚିକିତ୍ସା ସେବା ସହିତ ଜରୁରୀକାଳୀନ ସେବାକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି। ଫଳରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଉଦବେଗ ଓ ଆତଙ୍କ ସୃଷ୍ଟି ହୋଇଛି। ଓମସା ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଡାକ୍ତରମାନଙ୍କର ଦୀର୍ଘଦିନର ନ୍ୟାୟସଙ୍ଗତ ଓ ବୈଧ ଦାବି ପ୍ରତି ସରକାର ଏବଂ ପ୍ରଶାସନ କ୍ରମାଗତ ଭାବେ ଅବହେଳା କରିଆସୁଛନ୍ତି।
ବାରମ୍ବାର ଦାବି ଜଣାଇବା ସତ୍ତ୍ୱେ କୌଣସି ସକାରାତ୍ମକ ପଦକ୍ଷେପ ନିଆଯାଇ ନଥିବାରୁ ବାଧ୍ୟ ହୋଇ ସଂଘ ଏହି ଚରମ ନିଷ୍ପତ୍ତି ନେଇଥିବା କହିଛି । ସଂଘର କହିବା ଅନୁସାରେ, ଡାକ୍ତରମାନଙ୍କ ପାଇଁ ଉତ୍ତମ କାର୍ଯ୍ୟ ପରିବେଶ, ସମ୍ମାନଜନକ କାର୍ଯ୍ୟ ପରିସ୍ଥିତି ଏବଂ ରୋଗୀଙ୍କୁ ସୁରକ୍ଷିତ ଓ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟରେ ଏହି ଆନ୍ଦୋଳନ ଜାରି ରହିବ। ଆନ୍ଦୋଳନ ଯୋଗୁଁ ଜିଲାର ସମସ୍ତ ସରକାରୀ ଚିକିତ୍ସା ପ୍ରତିଷ୍ଠାନରେ ଓପିଡି (ବାହ୍ୟ ରୋଗୀ ବିଭାଗ), ଆଇପିଡି (ଆନ୍ତଃରୋଗୀ ବିଭାଗ), ର୍ନିଦ୍ଧାରିତ ଅସ୍ତ୍ରୋପଚାର, ବିଭିନ୍ନ ନିଦାନମୂଳକ ସେବା (ଯଥା ରକ୍ତ ପରୀକ୍ଷା, ଏକ୍ସ-ରେ, ସ୍କାନିଂ ଆଦି) ଏବଂ ଜରୁରୀକାଳୀନ ସେବା ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଓମସା ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଏହି ଆନ୍ଦୋଳନ ଯୋଗୁ ଜନସାଧାରଣ ଓ ରୋଗୀମାନଙ୍କୁ ହେଉଥିବା ଅସୁବିଧା ପାଇଁ ଓମସା ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି। ସେହିପରି ନିଜର ନ୍ୟାୟସଙ୍ଗତ ଦାବି ଏବଂ ସ୍ବାସ୍ଥ୍ୟସେବାର ମାନ ରକ୍ଷା ପାଇଁ ଚାଲିଥିବା ଏହି ଆନ୍ଦୋଳନକୁ ସମର୍ଥନ କରିବାକୁ ରାଜ୍ୟବାସୀଙ୍କୁ ସଂଘ ନିବେଦନ କରିଛି । କଳାହାଣ୍ଡି ଜିଲାର ଦୂରଦୂରାନ୍ତ ଓ ଗ୍ରାମାଞ୍ଚଳରୁ ଜିଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ଶତାଧିକ ଗରିବ ରୋଗୀ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ବିଶେଷକରି ଜରୁରୀକାଳୀନ ସେବା ବନ୍ଦ ରହିଥିବାରୁ ପରିସ୍ଥିତି ଅଧିକ ସଙ୍କଟଜନକ ହେବାର ଆଶଙ୍କା ପ୍ରକାଶ ପାଇଛି। ଏଭଳି ପରିସ୍ଥିତିରେ ସରକାର ଓମସା ସହ ଆଲୋଚନା କରି କେବେ ଓ କିପରି ସମସ୍ୟାର ସମାଧାନ କରୁଛନ୍ତି, ସେଥିପ୍ରତି ରୋଗୀ, ସାଧାରଣ ଜନତା ଏବଂ ସ୍ବାସ୍ଥ୍ୟ ମହଲର ନଜର ରହିଛି।