New Moon Day: ଅମାବାସ୍ୟାର ଉପାସନା
'ମତ୍ସ୍ୟପୁରାଣ'ରେ ଅମାବାସ୍ୟାର ମାହାତ୍ମ୍ୟ ସୁନ୍ଦର ଭାବେ ବର୍ଣ୍ଣିତ ହୋଇଛି।
ଏହି ପୁରାଣ ଅନୁସାରେ, ଅମାବାସ୍ୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଓ ତର୍ପଣ ଆଦି କାର୍ଯ୍ୟ କଲେ ପିତୃଗଣ ତୃପ୍ତ ହୁଅନ୍ତି।
ଅମାବାସ୍ୟା ମଧ୍ୟ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିରେ ଏକ ଗୁରୁତ୍ବପୂର୍ଣ୍ଣ ତିଥି।
ଚିତାଲାଗି ଅମାବାସ୍ୟା ଦିନ ରତ୍ନଜଡ଼ିତ ସୁବର୍ଣ୍ଣ ଚିତା ତାଙ୍କର ମସ୍ତକରେ ଲାଗି କରାଯାଏ।
ସପ୍ତପୁରୀ ଅମାବାସ୍ୟାରେ ଜଗନ୍ନାଥଙ୍କ ପାଖରେ ସପ୍ତପୁରୀ ଭୋଗ ଲାଗିଥାଏ।
ସେହିପରି ପୌଷ ମାସର ବକୁଳ ଅମାବାସ୍ୟା ସମୟରେ ଆମ୍ବଗଛରେ ବଉଳ ଆସିବା ଆରମ୍ଭ ହୁଏ।
ଏହା ମଣିଷ ଓ ପ୍ରକୃତି ମଧ୍ୟରେ ଥିବା ସମ୍ପର୍କକୁ ଦର୍ଶାଏ।
ଅମାବାସ୍ୟାର ଅନ୍ଧାର ପଛରେ ରହିଛି ଆମର ଅନେକ ଉପାସନା- ଏହାକୁ ନେଇ ଏକ ଉପସ୍ଥାପନା...
ପ୍ରଜ୍ଞା ନିବେଦିତା ନାୟକ Advertisment ଆଜି ଦୀପାବଳି ଅମାବାସ୍ୟା।
ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ବକ ଅନ୍ଧକାରକୁ ଦୂରୀଭୂତ କରିବାର ପର୍ବ।
ପୁଣି ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରିବାର ପ୍ରକୃଷ୍ଟ ଅବସର।
ଭାରତୀୟ ସଂସ୍କୃତିରେ ଅମାବାସ୍ୟାର ଏକ ବିଶେଷ ମହତ୍ତ୍ବ ରହିଛି।
ପୁଣି ଏହାକୁ ନେଇ ଭୌଗୋଳିକ ଆଧାରରେ ଭିନ୍ନ ଭିନ୍ନ ପରମ୍ପରା ଓ ଲୋକବିଶ୍ୱାସ ମଧ୍ୟ ପ୍ରଚଳିତ।
ପଞ୍ଜିକା ଅନୁସାରେ ପ୍ରତି ମାସରେ ଥରେ ଅମାବାସ୍ୟା ପଡ଼ିଥାଏ ଏବଂ ଏହିଦିନ ଆକାଶରେ ଚନ୍ଦ୍ର ଦୃଶ୍ୟମାନ ହୁଅନ୍ତି ନାହିଁ।
ତେବେ ଉତ୍କଳୀୟ ଧର୍ମୀୟ ପରମ୍ପରାରେ ଅମାବାସ୍ୟାର ସ୍ଥାନ ସ୍ୱତନ୍ତ୍ର।
ଯଦିଓ ବର୍ଷରେ ପଡୁଥିବା ସବୁ ଅମାବାସ୍ୟାର ଗୁରୁତ୍ୱ ସମାନ ନୁହେଁ, କିନ୍ତୁ କିଛି ଅମାବାସ୍ୟା ଓଡ଼ିଶାରେ ଗୁରୁତ୍ବ ସହକାରେ ପାଳନ କରାଯାଏ।
ବିଶେଷକରି ପିତୃପୁରୁଷଙ୍କୁ ଶ୍ରାଦ୍ଧଦାନ ଓ ସେମାନଙ୍କ ଉଦ୍ଦେଶ୍ୟରେ ତର୍ପଣ କରିବା ନିମନ୍ତେ ଏହାର ମହତ୍ତ୍ବ ଆମ ପରମ୍ପରା ଓ ସଂସ୍କୃତିରେ ସ୍ବୀକୃତ ହୋଇଆସିଛି।
ମତ୍ସ୍ୟ ପୁରାଣରେ ଅମାବାସ୍ୟା ଅମାବାସ୍ୟାର ଉତ୍ପତ୍ତି ସଂପର୍କରେ 'ମତ୍ସ୍ୟପୁରାଣ'ରେ ବର୍ଣ୍ଣନା ରହିଛି।
ପୁରାଣର ଚତୁର୍ଦ୍ଦଶ ଅଧ୍ୟାୟରେ ଅମାବାସ୍ୟାର ମାହାତ୍ମ୍ୟ ଅତି ସୁନ୍ଦର ଭାବେ କରାଯାଇଛି।
ଉଲ୍ଲେଖ ଅନୁସାରେ ଅମାବାସ୍ୟା ତିଥିର ଉତ୍ପତ୍ତି ଓ ମହତ୍ତ୍ବ ପିତୃପୁରୁଷ ଏବଂ ସେମାନଙ୍କର ମାନସ କନ୍ୟା 'ଅଚ୍ଛୋଦା' (ସତ୍ୟବତୀ)ଙ୍କ ଉପାଖ୍ୟାନ ସହ ଜଡ଼ିତ।
ପିତୃପୁରୁଷଗଣଙ୍କର ଅଚ୍ଛୋଦା ନାମ୍ନୀ ଜଣେ ମାନସ କନ୍ୟା ଥିଲେ।
ପିତୃଗଣଙ୍କୁ ପ୍ରସନ୍ନ କରିବା ପାଇଁ ସେ ହଜାର ହଜାର ବର୍ଷ ଧରି କଠୋର ତପସ୍ୟା କଲେ।
ତାଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଯେତେବେଳେ ସମସ୍ତ ପିତୃଗଣ ତାଙ୍କୁ ବରଦାନ ଦେବାକୁ ପ୍ରକଟ ହେଲେ, ସେତେବେଳେ ଅଚ୍ଛୋଦା ସେମାନଙ୍କ ମଧ୍ୟରୁ ଅମାବସୁ ନାମକ ଜଣେ ପିତୃପୁରୁଷଙ୍କ ଅଲୌକିକ ରୂପରେ ମୋହିତ ହୋଇ ତାଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କଲେ।
ମାତ୍ର ଅମାବସୁ ଧୈର୍ଯ୍ୟ ଅବଲମ୍ବନ ପୂର୍ବକ ଅଚ୍ଛୋଦାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ।
ଅମାବସୁଙ୍କର ଏହି ସଂଯମ ଓ ପବିତ୍ର ଆଚରଣ ଯୋଗୁଁ ସେହି ଦିନଟି ପିତୃପୁରୁଷଙ୍କ ପାଇଁ ଅତ୍ୟନ୍ତ ପ୍ରିୟ ହୋଇଗଲା।
ଅମାବସୁଙ୍କ ନାମାନୁସାରେ ହିଁ ଚାନ୍ଦ୍ରମାସର ସେହି ବିଶେଷ ଦିନଟିକୁ 'ଅମାବାସ୍ୟା' ଭାବେ ନାମିତ କରାଗଲା।
ଅଚ୍ଛୋଦା ନିଜର ଭୁଲ୍ ବୁଝିପାରି ଅନୁତାପ କରିବାରୁ ପିତୃଗଣ ତାଙ୍କୁ ଉଦ୍ଧାର କଲେ।
ସେମାନଙ୍କ ଆଶୀର୍ବାଦରୁ ସେ ମର୍ତ୍ତ୍ୟଲୋକରେ ଚେଦିରାଜା ଉପରିଚର ବସୁଙ୍କ କନ୍ୟା ଭାବେ ଏବଂ ଏକ ମାଛ ଗର୍ଭରୁ ଜନ୍ମ ନେଲେ।
ପରବର୍ତ୍ତୀ ସମୟରେ ସେ ମତ୍ସ୍ୟଗନ୍ଧା ବା ସତ୍ୟବତୀ ଭାବେ ପରିଚିତା ହେଲେ।
ଏହି ସତ୍ୟବତୀ ହିଁ ମହର୍ଷି ପରାଶରଙ୍କ ସଂସର୍ଗରେ ଆସି 'ମହାଭାରତ'ର ରଚୟିତା ଭଗବାନ ବେଦବ୍ୟାସଙ୍କୁ ଜନ୍ମ ଦେଇଥିଲେ।
ପିତୃଗଣଙ୍କ ଆଶିଷ ଯୋଗୁଁ ପରବର୍ତ୍ତୀ କାଳରେ ସେ ଅଚ୍ଛୋଦା ନାମକ ଏକ ପୁଣ୍ୟସଲିଳା ନଦୀ ହୋଇଥିଲେ।
ମତ୍ସ୍ୟ ପୁରାଣ ଅନୁସାରେ, ଅମାବାସ୍ୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ, ପିଣ୍ଡଦାନ ଓ ତର୍ପଣ ଆଦି କାର୍ଯ୍ୟ କଲେ ପିତୃଗଣ ଅତ୍ୟନ୍ତ ତୃପ୍ତ ହୁଅନ୍ତି।
ଏହି ତିଥିରେ ପିତୃପୂଜା କଲେ ପରିବାରରେ ସୁଖ, ସମୃଦ୍ଧି, ଆୟୁଷ ଓ ସନ୍ତାନ ପ୍ରାପ୍ତି ହୁଏ ବୋଲି ମତ୍ସ୍ୟପୁରାଣରେ ଉଲ୍ଲେଖ ରହିଛି।
ଏହି ପ୍ରସଙ୍ଗ ଆମକୁ ଶିକ୍ଷା ଦିଏ ଯେ ଅମାବାସ୍ୟା ଏକ ଅଶୁଭ ଦିନ ନୁହେଁ।
ବରଂ ଏହା ଆମ ପୂର୍ବପୁରୁଷଙ୍କ ପ୍ରତି କୃତଜ୍ଞତା ଜଣାଇବାର ଏକ ପବିତ୍ର ଓ ମହାନ ଆଧ୍ୟାତ୍ମିକ ଦିନ।
କାର୍ତ୍ତିକ ଅମାବାସ୍ୟାର ମାହାତ୍ମ୍ୟ ଧାର୍ମିକ ବିଶ୍ୱାସ ଅନୁସାରେ, କାର୍ତ୍ତିକ ଅମାବାସ୍ୟା ଦୀପଦାନ ପାଇଁ ଉତ୍କୃଷ୍ଟ।
ଶାସ୍ତ୍ର ମତରେ- ''ତୁଳାଂ ପ୍ରତ୍ୟାଗତେ ସୂେର୍ଯ୍ୟ ଅମାବାସ୍ୟା ତିଥିର୍ଭବେତ୍ ଉପାସ୍ତ ସମୟେ ଦୀପାନ୍ ପିତୃନ୍ ଦଦ୍ୟାତ୍ ଶୁଚିଃ ଶୁଚିଃ।'' ଅର୍ଥାତ୍ ସୂର୍ଯ୍ୟ ତୁଳା ରାଶିକୁ ଆସିବା ପରେ ଯେଉଁ ଅମାବାସ୍ୟା ତିଥି ଆସିଥାଏ, ତାହାର ଉପାସ୍ତ ସମୟରେ (ସନ୍ଧ୍ୟା ସମୟରେ) ପିତୃପୁରୁଷମାନଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ବିଧେୟ।
ସେହିପରି ଶାସ୍ତ୍ରେର ରହିଛି- ''ପିତୃଲୋକଂ ପରିତ୍ୟଜ୍ୟ ଆଗତା ଯେ ମହାଳୟେ ଉଜ୍ଜ୍ବଳେ ଜ୍ୟୋତିଷାଂ ମାର୍ଗେ ସାବଧାନା ବ୍ରଜନ୍ତୁ ତେ।'' ଅର୍ଥାତ୍, ପିତୃପକ୍ଷ ସରିବା ପରେ ଯେଉଁ ପିତୃପୁରୁଷମାନେ ପୁଣି ନିଜ ଲୋକକୁ ଫେରିଥାଆନ୍ତି, ସେମାନଙ୍କୁ ଠିକ୍ ମାର୍ଗ ଦେଖାଇବା ପାଇଁ ଏହି ଆଲୋକ ପ୍ରଦର୍ଶନର ପ୍ରଥା ରହିଛି।
ଏହାକୁ ନେଇ ଓଡ଼ିଶାରେ ନିଆରା ପରମ୍ପରା ଅଛି, ଯାହାକୁ 'ବଡ଼ବଡ଼ୁଆ ଡାକ' କୁହାଯାଏ।
ପରିବାରର ଲୋକେ କାଉଁରିଆ କାଠି ଜାଳି ତାହାକୁ ଉପରକୁ ଟେକି ବଡ଼ବଡ଼ୁଆଙ୍କୁ ଡାକି କହନ୍ତି- ''ବଡ଼ବଡୁଆ ହୋ, ଅନ୍ଧାରରେ ଆସ ଆଲୁଅରେ ଯା', ପୁରୁଷୋତ୍ତମରେ ମହାପ୍ରସାଦ ଖାଇ ବାଇଶି ପାବଛେ ଗଡ଼ଗଡ଼ାଉ ଥା'....'' ଏହାର ଅର୍ଥ ହେଉଛି, ଆମ ପୂର୍ବପୁରୁଷମାନେ ଅନ୍ଧାରରେ ଘରକୁ ଆସନ୍ତୁ ଏବଂ ଆଲୋକର ପଥ ଧରି ଫେରିଯାଆନ୍ତୁ।
ଏହି ଦିନ ଅନେକ ସ୍ଥାନରେ କାଳୀପୂଜା ମଧ୍ୟ ହୁଏ।
ତେବେ ଦୀପାବଳୀ ପର୍ବର ଉତ୍ପତ୍ତି ବିଷୟରେ ଅନେକ ପୌରାଣିକ ମତବାଦ, ଧାର୍ମିକ ବିଶ୍ବାସ, ଐତିହାସିକ ତଥ୍ୟ ତଥା ସାମାଜିକ ବିଧିବ୍ୟବସ୍ଥା ପ୍ରଚଳିତ ରହିଛି।
ଏହାକୁ ଅନୁଶୀଳନ କଲେ ଜଣାପଡ଼େ ଏହି ପର୍ବ ପାଳନ ଅତ୍ୟନ୍ତ ପ୍ରାଚୀନ।
ଶ୍ରୀଜଗନ୍ନାଥ ଓ ଅମାବାସ୍ୟା ପରମ୍ପରା ଅମାବାସ୍ୟା ମଧ୍ୟ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିରେ ଏକ ଗୁରୁତ୍ବପୂର୍ଣ୍ଣ ତିଥି।
ଆଷାଢ଼ ଅମାବାସ୍ୟାର ଅନ୍ୟ ନାମ 'ଚିତାଲାଗି' ଅମାବାସ୍ୟା।
କାରଣ, ସ୍ନାନପୂର୍ଣ୍ଣିମାର ସମସ୍ତ ନୀତି ଶେଷ ହୋଇ ଠାକୁରମାନେ ଅଣସର ଘରକୁ ଯିବା ପରେ, ସେମାନଙ୍କର ମସ୍ତକରୁ ଯେଉଁ ରତ୍ନଜଡ଼ିତ ସୁବର୍ଣ୍ଣ ଚିତା ଉଲାଗି କରିଦିଆଯାଇଥାଏ, ଏହି ଅମାବାସ୍ୟା ଦିନ ହିଁ ତାହାକୁ ପୁନଶ୍ଚ ତାଙ୍କର ମସ୍ତକରେ ଲାଗି କରାଯାଏ।
ଆଉ ଏକ ସ୍ନାନଯାତ୍ରା ପର୍ଯ୍ୟନ୍ତ ସେହି ଚିତା ରତ୍ନବେଦିରେ ବିରାଜିତ ଠାକୁରମାନଙ୍କର ମସ୍ତକରେ ସ୍ଥାନ ପାଇଥାଏ।
ମାର୍ଗଶିର ଅମାବାସ୍ୟା ଏହାର ଅନ୍ତର୍ଭୁକ୍ତ।
କାରଣ, ଏହି ମାସରେ ଶ୍ରୀମନ୍ଦିରରେ ତିିନିଦିନ ଧରି ଦେବ ଦୀପାବଳି ପାଳିତ ହୋଇଥାଏ।
ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀଠାରୁ ମାର୍ଗଶିର ଶୁକ୍ଳ ପ୍ରତିପଦା ପର୍ଯ୍ୟନ୍ତ ଏହା ପାଳିତ ହୁଏ।
ଏହି ତିନିଦିନ ଶ୍ରୀଜଗନ୍ନାଥ ତାଙ୍କର ସତ୍ୟଯୁଗର ବାମନ ଅବତାରର ପିତାମାତା କଶ୍ୟପ ଓ ଅଦିତିଙ୍କୁ, ତ୍ରେତାଯୁଗର ପିତାମାତା ଦଶରଥ ଓ କୌଶଲ୍ୟାଙ୍କୁ, ଦ୍ବାପରଯୁଗର ପିତାମାତା ଦେବକୀ ଓ ବସୁଦେବ ଏବଂ ନନ୍ଦ ଓ ଯଶୋଦାଙ୍କୁ ଏବଂ କଳିଯୁଗର ଦାରୁବ୍ରହ୍ମ ରୂପର ନିୟାମକ ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚାଙ୍କୁ ଦୀପଦାନ କରିଥାନ୍ତି।
ଏହାବ୍ୟତୀତ ଅମାବାସ୍ୟାର ଆଉ ଏକ ଗୁରୁତ୍ବ ଶ୍ରୀମନ୍ଦିରର ରୀତିନୀତିରେ ରହିଛି।
ଏଥି ମଧ୍ୟରୁ ଗୋଟିଏ ମାସିକ ନୀତି ହେଉଛି ସାଗର ବିଜେ।
ଏହାର ଅନ୍ୟନାମ 'ଅମାବାସ୍ୟା ନୀତି'।
ଏଥିରେ ଶ୍ରୀଜଗନ୍ନାଥଙ୍କ ବିଜେପ୍ରତିମା ଶ୍ରୀନାରାୟଣ ପାଲିଙ୍କିରେ ସାଗରବିଜେ କରିଥାଆନ୍ତି।
ସେ 'ଅମାବାସ୍ୟା ନାରାୟଣ' ଭାବରେ ଖ୍ୟାତ।
ସାଗରତଟରେ ସମୁଦ୍ରର ଜଳ ନିର୍ଦ୍ଦିଷ୍ଟ ବିଧିରେ ତାଙ୍କୁ ଲାଗି କରାଯାଏ।
ମାସକୁ ଅନ୍ତତଃ ଥରେ ଶ୍ରୀଜଗନ୍ନାଥଙ୍କର ଏହି ଶ୍ବଶୁରାଳୟ ଯାତ୍ରା ଆମକୁ ଏକ ସାମାଜିକ ଓ ପାରିବାରିକ ସହାବସ୍ଥାନର ବାର୍ତ୍ତା ଦିଏ।
ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା ନାମରେ ପାଳନ କରାଯାଏ।
ଏହି ଅମାବାସ୍ୟାରେ ଜଗନ୍ନାଥଙ୍କ ପାଖରେ ସପ୍ତପୁରୀ ଭୋଗ ଲାଗିଥାଏ।
ଶ୍ରୀଜୀଉଙ୍କର ଏହିଦିନ ବିଶେଷ ପୂଜାନୀତି ଅନୁଷ୍ଠିତ ହେବା ସହ ସେବାୟତଙ୍କଦ୍ୱାରା ଏକ ବଡ଼ ସପ୍ତପୁରୀ (ସାତପୁରୀ) ପ୍ରସ୍ତୁତ କରାଯାଇ ଠାକୁରଙ୍କଠାରେ ଭୋଗଲାଗି ହୋଇଥାଏ।
ଏହାକୁ ସପ୍ତପୁରୀ ତାଡ଼ କୁହାଯାଇଥାଏ।
ଅଠରନଳା ନିକଟସ୍ଥ ଅଲାମଚଣ୍ଡୀ ମନ୍ଦିରରୁ ସପ୍ତପୁରୀ ଅମାବାସ୍ୟାରେ ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ ତାଡ଼ ଶ୍ରୀମନ୍ଦିରକୁ ଯାଇଥାଏ।
ସେହିପରି ପୌଷ ମାସର ଅମାବାସ୍ୟାକୁ ବଉଳ ଅମାବାସ୍ୟା ବା ବକୁଳ ଅମାବାସ୍ୟା କୁହାଯାଏ।
ଏହି ସମୟରେ ଆମ୍ବଗଛରେ ନୂଆ ବଉଳ ଆସିବା ଆରମ୍ଭ ହୁଏ।
ତେଣୁ ଆମ୍ବଗଛରେ ଅଧିକ ଫୁଲ ଓ ଫଳ ହେବାର କାମନା କରି ଏହି ପର୍ବ ପାଳନ କରାଯାଏ।
ଏହି ଦିନ ଗଇଁଠା ପିଠା ବା କ୍ଷୀର ଗଇଁଠା ତିଆରି କରାଯାଏ।
ଏହାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭୋଗ ଲଗାଯିବା ସହ ଆମ୍ବଗଛ ମୂଳରେ ମଧ୍ୟ ଅର୍ପଣ କରାଯାଏ।
ଏହି ପରମ୍ପରା ମଣିଷ ଓ ପ୍ରକୃତି ମଧ୍ୟରେ ଥିବା ସମ୍ପର୍କକୁ ଦର୍ଶାଏ।
ସାବିତ୍ରୀ, ମୌନୀ ଓ ଜାଗର ଅମାବାସ୍ୟା ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ଓଡ଼ିଶାର ଏକ ଲୋକପ୍ରିୟ ଓଷା।
ବିବାହିତ ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରି ଏହି ବ୍ରତ ପାଳନ କରନ୍ତି।
ମହାସତୀ ସାବିତ୍ରୀ ନିଜ ନିଷ୍ଠା ବଳରେ ଯମରାଜଙ୍କଠାରୁ ସ୍ୱାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିବା କାହାଣୀ ଏହି ବ୍ରତ ସହ ଜଡ଼ିତ।
ସାବିତ୍ରୀ ଅମାବାସ୍ୟାରେ ମହିଳାମାନେ ସକାଳୁ ସ୍ନାନ କରି ନୂଆ ବସ୍ତ୍ର, ଚୁଡ଼ି ଓ ସିନ୍ଦୂର ଧାରଣ କରି ସୂର୍ଯ୍ୟୋଦୟରୁ ଉପବାସ (ନିର୍ଜଳା ବା ଫଳାହାର) ରହିଥାଆନ୍ତି ଏବଂ ବ୍ରତକଥା ପାଠ ପରେ ରାତ୍ରିରେ ଉପବାସ ଶେଷ କରିଥାଆନ୍ତି।
ଏହି ଦିନ ବଟବୃକ୍ଷ (ବରଗଛ) ମୂଳରେ ପୂଜା କରାଯାଇ ନଅ ପ୍ରକାର ଫଳ ଓ ନଅ ପ୍ରକାର ଫୁଲ ଅର୍ପଣ କରିବାର ପ୍ରଥା ମଧ୍ୟ ରହିଛି।
ମାଘ ଅମାବାସ୍ୟା ମୌନୀ ଅମାବାସ୍ୟା ବା ତ୍ରିବେଣୀ ଅମାବାସ୍ୟା ଭାବେ ଅଭିହିତ।
ଏହି ଦିନ କୁମ୍ଭମେଳାର ଶ୍ରଦ୍ଧାଳୁମାନେ ବୁଡ଼ ପକାଇଥା'ନ୍ତି।
ଅନେକ ତ୍ରିବେଣୀ ସଙ୍ଗମରେ ସ୍ନାନ ପୂର୍ବକ ମୌନବ୍ରତ ପାଳନ କରନ୍ତି।
ଜ୍ୟୋତିଷଶାସ୍ତ୍ର ଅନୁସାରେ ମୌନୀ ଅମାବାସ୍ୟାରେ ଆମ ମନ ଓ ଭାବର ଦେବତା ଚନ୍ଦ୍ର ଦେଖାଯା'ନ୍ତି ନାହିଁ ଏବଂ ଦୁର୍ବଳ ରହନ୍ତି।
ତେଣୁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏହିଦିନ ନେବା ସମୀଚିନ ନୁହେଁ।
ଓଡ଼ିଶାର ଶୈବ ପରମ୍ପରାରେ ଜାଗର ଅମାବାସ୍ୟା ଏକ ଗୁରୁତ୍ବପୂର୍ଣ୍ଣ ପର୍ବ।
ଫାଲ୍ଗୁନ ମାସରେ ପାଳନ କରାଯାଉଥିବା ଜାଗର ଉତ୍ସବରେ ଭଗବାନ ଶିବଙ୍କୁ ପୂଜା କରାଯାଏ।
ତେବେ ଏଠାରେ ଗୋଟିଏ କଥା ମନେ ରଖିବା ଦରକାର ଯେ, ମହାଶିବରାତ୍ରି ବା ଜାଗର ମାଘ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ପଡ଼େ, ଅମାବାସ୍ୟା ଦିନ ନୁହେଁ।
ତେଣୁ ଏହି ଦୁଇ ତିଥିକୁ ସମାନ ବୋଲି ଭାବିବା ଠିକ୍ ନୁହେଁ।
ସୋମବାର ଦିନ ପଡ଼ୁଥିବା ଅମାବାସ୍ୟାକୁ ସୋମବତୀ ଅମାବାସ୍ୟା କୁହାଯାଏ।
ଏହା କୌଣସି ନିର୍ଦ୍ଦିଷ୍ଟ ଓଡ଼ିଆ ମାସର ଅମାବାସ୍ୟା ନୁହେଁ।
ବର୍ଷରେ ଯେତେବେଳେ ଅମାବାସ୍ୟା ସୋମବାର ପଡ଼େ, ସେତେବେଳେ ଏହି ନାମରେ ତିଥିଟିକୁ ଜଣାଯାଏ।
ଏହିଦିନ ଅନେକ ମହିଳା ଉପବାସ କରିବା ସହ ବରଗଛକୁ ପୂଜା କରନ୍ତି।
ପରିବାରର ସୁଖ, ଶାନ୍ତି ଓ ସ୍ୱାମୀଙ୍କ ଦୀର୍ଘ ଆୟୁ କାମନା କରି ପୂଜା କରିବାର ପରମ୍ପରା ରହିଛି।
ଓଡ଼ିଶାରେ ଅମାବାସ୍ୟା କେବଳ ଧାର୍ମିକ ବିଶ୍ୱାସ ସହ ଜଡ଼ିତ ନୁହେଁ, ଏହା ଆମ ସାମାଜିକ ଜୀବନ, କୃଷି, ପ୍ରକୃତି ଓ ପାରିବାରିକ ସମ୍ପର୍କର ବି ପରିଚୟ ଦିଏ।
ପିଢ଼ି ପରେ ପିଢ଼ି ଏହି ପରମ୍ପରା ଆମ ସଂସ୍କୃତିକୁ ଜୀବନ୍ତ ରଖିଆସିଛି।
ଉଆଁସୀ କନ୍ୟା ଉପାଖ୍ୟାନ ଓଡ଼ିଶାର ଲୋକକଥା ଓ ପରମ୍ପରାରେ ଅମାବାସ୍ୟାରେ ଜନ୍ମିତ ଝିଅମାନଙ୍କ ସଂପର୍କରେ ଅନେକ କଥାକାହାଣୀ ରହିଛି।
ଆଦିକବି ସାରଳା ଦାସଙ୍କ କୃତ 'ସାରଳା ମହାଭାରତ'ରେ 'ଉଆଁସୀ କନ୍ୟା' ଉପାଖ୍ୟାନ ରହିଛି।
ସାରଳା ମହାଭାରତ ଅନୁସାରେ, ଗାନ୍ଧାରୀ ଉଆଁସୀ କନ୍ୟା ହୋଇଥିବାରୁ ବ୍ରହ୍ମରାକ୍ଷସ ଦୋଷ (କିମ୍ବା ବୈଧବ୍ୟ ଦୋଷ) ନେଇ ଜନ୍ମ ହୋଇଥିଲେ।
ଏହି କାରଣରୁ ରାଜକନ୍ୟା ହୋଇଥିଲେ ବି ତାଙ୍କର ବିବାହ ହୋଇପାରୁନଥିଲା।
ଏହି ଦୋଷର ଖଣ୍ଡନ ପାଇଁ ଗାନ୍ଧାରୀଙ୍କୁ ପ୍ରଥମେ ଗୋଟିଏ ସାହାଡ଼ା ଗଛ ସହିତ ବିବାହ କରାଇ ଦିଆଯାଇଥିଲା।
ବିବାହ ପରେ ସେହି ସାହାଡ଼ା ଗଛକୁ କାଟି ଦିଆଗଲା।
ଏହା ଫଳରେ ଗାନ୍ଧାରୀଙ୍କର ପ୍ରଥମ ପତି ସାହଡ଼ା ଗଛ ମୃତ୍ୟୁବରଣ କଲା ଏବଂ ତାଙ୍କର ବୈଧବ୍ୟ ଦୋଷ କଟିଗଲା।
ପରବର୍ତ୍ତୀ ସମୟରେ ଗାନ୍ଧାରୀ ହସ୍ତିନାପୁରର ଅନ୍ଧ ରାଜକୁମାର ଧୃତରାଷ୍ଟ୍ରଙ୍କୁ ଦ୍ୱିତୀୟ ବିବାହ କରିଥିଲେ।
ଏକଦା ଏହି କାହାଣୀ ଆମ ସାମାଜିକ ବିଶ୍ବାସର ଅଂଶ ପାଲଟି ଯାଇଥିଲା।
ତେଣୁ ଢଗଟିଏ ପ୍ରଚଳିତ ଥିଲା-'ଉଆଁସୀ କନ୍ୟାକୁ ସାହାଡ଼ା ବର'।
କିନ୍ତୁ ଉଆଁସୀ କନ୍ୟାର ବାଳବୈଧବ୍ୟର କୌଣସି ପ୍ରାମାଣିକତା ନାହିଁ।
ଉଦାହରଣ ଛଳରେ ଆମେ ଅଭିନେତ୍ରୀରୁ ରାଜନେତ୍ରୀ ପାଲଟି ଥିବା ଜୟା ବଚ୍ଚନଙ୍କୁ ଗ୍ରହଣ କରିପାରିବା।
ସେ ଅମାବାସ୍ୟାରେ ଜନ୍ମିତ।
ଜ୍ୟୋତିର୍ବିତ୍ ପ୍ରଶାନ୍ତ କୁମାର ନାୟକ ମତ ଦିଅନ୍ତି, ''ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ର ହେଉଛନ୍ତି ମନର କାରକ ଗ୍ରହ।
ଯାହା ଜାତକରେ ଚନ୍ଦ୍ର ଯେତେ ଦୁର୍ବଳ ତାହାର ମନ ସେତେ ଚଞ୍ଚଳ ବୋଲି ବିବେଚନା କରାଯାଏ।
ପୁଣି ଯିଏ ଅମାବାସ୍ୟାରେ ଜନ୍ମ ହୋଇଥାଏ ତା'ର ଚନ୍ଦ୍ରବଳ ନଥାଏ।
ତେଣୁ ସାଧାରଣତଃ ଦେଖାଯାଏ, ଯେଉଁମାନଙ୍କର ଅମାବାସ୍ୟାରେ ଜନ୍ମ ସେମାନଙ୍କୁ ଜୀବନରେ ବିଭିନ୍ନ ସମସ୍ୟା ଭୋଗିବାକୁ ପଡ଼ିଥାଏ।
କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ସେପରି ଘଟିନଥାଏ।
ଏହା ସହ ବୈଧବ୍ୟର କୌଣସି ସଂପର୍କ ନାହିଁ।'' ଅମାବାସ୍ୟା ଓ ତନ୍ତ୍ର ସାଧନା ଓଡ଼ିଶାର ଶାକ୍ତ ଏବଂ ତାନ୍ତ୍ରିକ ପରମ୍ପରାରେ ଅମାବାସ୍ୟା ତିଥିକୁ ତନ୍ତ୍ର ସାଧନା ପାଇଁ ସବୁଠାରୁ ଶ୍ରେଷ୍ଠ ଓ ଶକ୍ତିଶାଳୀ ସମୟ ଭାବେ ଗ୍ରହଣ କରାଯାଏ।
ବିଶେଷକରି ମହାକାଳୀ, ଭୈରବ ଏବଂ ଦଶମହାବିଦ୍ୟାଙ୍କ ଉପାସନା ପାଇଁ ଏହି ରାତ୍ରିର ବିଶେଷ ମହତ୍ତ୍ୱ ରହିଛି।
ତନ୍ତ୍ର ସାଧକଙ୍କ ବିଶ୍ୱାସ ଅନୁସାରେ, ଅମାବାସ୍ୟାର ନିରବ ଓ ଅନ୍ଧକାରମୟ ପରିବେଶ ଧ୍ୟାନ, ମନ୍ତ୍ର ଜପ ଓ ଆତ୍ମସାଧନା ପାଇଁ ଉପଯୁକ୍ତ।
ତେବେ କାର୍ତ୍ତିକ ଅମାବାସ୍ୟା (ଦୀପାବଳି)କୁ ତନ୍ତ୍ର ସାଧନା ପାଇଁ 'ମହାପର୍ବ' କୁହାଯାଏ।
ଏହି ରାତିରେ ମହାଲକ୍ଷ୍ମୀଙ୍କ 'ଶ୍ରୀବିଦ୍ୟା' ଓ କାଳୀ ସାଧନା କରାଯାଏ ।
ତନ୍ତ୍ର ସାଧନାରେ ରାତିର ଅନ୍ଧକାରକୁ ଅଜ୍ଞାନ ଓ ମନର ଭିତର ଭୟର ପ୍ରତୀକ ଭାବେ ଧରାଯାଏ।
ସାଧକମାନେ ଏହି ସମୟରେ ଧ୍ୟାନ ଓ ମନ୍ତ୍ର ଜପ କରି ମନକୁ ଏକାଗ୍ର କରନ୍ତି।
ଏହିଦିନ ଦଶମହାବିଦ୍ୟାଙ୍କ ଉପାସନା କରାଯାଏ।
ଦଶମହାବିଦ୍ୟା ହେଉଛନ୍ତି ମା' କାଳୀ, ତାରା, ତ୍ରିପୁରାସୁନ୍ଦରୀ, ଭୁବନେଶ୍ୱରୀ, ଭୈରବୀ, ଛିନ୍ନମସ୍ତା, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ ଓ କମଳା।
ପୁଣି ଅମାବାସ୍ୟା ହେଉଛି ପୂର୍ଣ୍ଣ ଅନ୍ଧକାରର ରାତି।
ତନ୍ତ୍ରରେ ଅନ୍ଧକାରକୁ 'ମହାକାଳୀ' ବା ପ୍ରକୃତିର ମୂଳ ସ୍ୱରୂପ ଭାବେ ଗ୍ରହଣ କରାଯାଏ, ଯାହା ଭିତରୁ ସୃଷ୍ଟିର ଉତ୍ପତ୍ତି।
ତନ୍ତ୍ର ସାଧନାରେ ଅନେକ ପ୍ରକାରର ପୂଜାପଦ୍ଧତି ରହିଛି।
ଏଥିରେ ସାଧକ ନିର୍ଦ୍ଦିଷ୍ଟ ଦେବୀ ବା ଦେବତାଙ୍କ ମନ୍ତ୍ର ଜପ କରିବା ସହ ଧ୍ୟାନ କରନ୍ତି।
ଯନ୍ତ୍ର ନାମକ ବିଶେଷ ଜ୍ୟାମିତିକ ଚିତ୍ର ଅଙ୍କାଯାଇ ତାହାକୁ ଦେବୀଙ୍କ ଶକ୍ତିର ପ୍ରତୀକ ଭାବେ ପୂଜା କରାଯାଏ।
କେତେକ ପରମ୍ପରାରେ ଅଗ୍ନି ଜାଳି ମନ୍ତ୍ର ଉଚ୍ଚାରଣ ସହ ହୋମ ମଧ୍ୟ କରାଯାଏ।
ଏହି ପୂଜା ପଦ୍ଧତି ପାଇଁ ଜଣେ ଯୋଗ୍ୟ ଗୁରୁଙ୍କ ଶିଷ୍ୟତ୍ବ ନେଇ ତାଙ୍କ ମାର୍ଗଦର୍ଶନରେ ସାଧନା କରିବା ପରମ୍ପରା ରହିଛି।
ଏ ପ୍ରସଙ୍ଗରେ ଯାଜପୁରର ବିରଜା ମଣ୍ଡଳ, ଗଣକ ମଣ୍ଡଳି ଓ ପଣ୍ଡିତ ସଭାର ସଭାପତି ପଣ୍ଡିତ ଭୂପତି ଭୂଷଣ ମିଶ୍ର କହନ୍ତି, ''ତନ୍ତ୍ର ସାଧନାର କ୍ଷେତ୍ର ହେଉଛି ଅନ୍ଧକାର।
ତନ୍ତ୍ର ସାଧନା ପାଇଁ କୃଷ୍ଣପକ୍ଷ ଅମାବାସ୍ୟା ତିଥି ହେଉଛି ପ୍ରକୃଷ୍ଟ ସମୟ।
କାର୍ତ୍ତିକ ମାସର ଅମାବାସ୍ୟାକୁ କାଳରାତ୍ରି ବୋଲି କୁହାଯାଏ।
ମା' କାଳୀ ହେଉଛନ୍ତି ତନ୍ତ୍ରର ଅଧିଷ୍ଠାତ୍ରୀ ଦେବୀ।
ଆଜି ମଧ୍ୟ ଦଶମହାବିଦ୍ୟାଙ୍କ ମଧ୍ୟରୁ ତାରାଦେବୀଙ୍କ ଆବିର୍ଭାବ ହୁଏ।
ଏଣୁ ତାନ୍ତ୍ରିକ ଓ ସାଧକମାନଙ୍କର ତନ୍ତ୍ର ସାଧନା ପାଇଁ ଏହା ପ୍ରକୃଷ୍ଟ କାଳ।'' ତନ୍ତ୍ରର କେତେକ ପରମ୍ପରାରେ ଶ୍ମଶାନକୁ ସାଧନାସ୍ଥଳ ଭାବେ ଦେଖାଯାଏ।
ଶ୍ମଶାନ ମଣିଷକୁ ଜୀବନର ଶେଷ ସତ୍ୟ ମନେ ପକାଇଦିଏ।
ଧନ, ସମ୍ପତ୍ତି ଓ ଅହଂକାର ଦିନେ ନା ଦିନେ ସବୁ ଶେଷ ହୋଇଯିବ।
ଏହି ଚିନ୍ତାଧାରାକୁ ମନରେ ରଖି କିଛି ସାଧକ ମୃତ୍ୟୁଭୟ ଓ ମୋହରୁ ମୁକ୍ତ ହେବା ପାଇଁ ସାଧନା କରନ୍ତି।
ତେବେ ସବୁ ସାଧକ ଶ୍ମଶାନରେ ସାଧନା କରନ୍ତି ନାହିଁ।
ଘରେ କିମ୍ବା ମନ୍ଦିରରେ ମଧ୍ୟ ତନ୍ତ୍ର ପଦ୍ଧତିରେ ପୂଜା କରାଯାଏ।
ଅନ୍ୟପକ୍ଷରେ ତନ୍ତ୍ର ସାଧନା କଳାଯାଦୁ ନୁହେଁ।
ଏହି ଦୁଇଟି କଥାକୁ ଅନେକ ସମାନ ବୋଲି ଭାବନ୍ତି।
କିନ୍ତୁ ଏହା ଠିକ୍ ନୁହେଁ।
ତନ୍ତ୍ର ସାଧନାର ମୁଖ୍ୟ ଲକ୍ଷ୍ୟ ହେଉଛି ଆଧ୍ୟାତ୍ମିକ ବିକାଶ, ଦେବୀ ଉପାସନା ଓ ଆତ୍ମଜ୍ଞାନ।
ତେବେ କଳାଯାଦୁ କୁହାଯାଉଥିବା ପଦ୍ଧତି ମୁଖ୍ୟତଃ ଅନ୍ୟର କ୍ଷତି ସାଧନ କିମ୍ବା ଅଲୌକିକ ଶକ୍ତିକୁ ବ୍ୟକ୍ତିଗତ ଲାଭ ନିମନ୍ତେ ବ୍ୟବହାର ଲାଗି ଉଦ୍ଦିଷ୍ଟ।
ଅମାବାସ୍ୟା ରାତିରେ କିଛି ଲୋକ ତନ୍ତ୍ର ସାଧନା ନାଁରେ ବିଭିନ୍ନ ଅନ୍ଧବିଶ୍ୱାସ ଓ ଭୟ ସୃଷ୍ଟି କରୁଥିବା କାର୍ଯ୍ୟ କରିଥାନ୍ତି।
କିନ୍ତୁ ଏସବୁକୁ ପ୍ରକୃତ ତନ୍ତ୍ର ସାଧନା ବୋଲି ଧରିନେବା ଠିକ୍ ନୁହେଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
