Nepal: ‘ଟାଇମ୍ ବମ୍’ ପାଲଟିଛନ୍ତି ନେପାଳର ୪୭ ହିମବାହ ହ୍ରଦ: ଧ୍ୱଂସର କାରଣ ହେବେ ବୋଲି ଆକଳନ
"କାଠମାଣ୍ଡୁ: ନେପାଳରେ ବନ୍ୟା ତାଣ୍ଡବ ରଚିଛି।
ତିବ୍ଦତରେ ଏକ ହିମଖଣ୍ଡ ଭାଙ୍ଗିବା ପରେ ନେପାଳରେ ହାହାକାର ସୃଷ୍ଟି ହୋଇଛି।
ଏପର୍ଯ୍ୟନ୍ତ ନେପାଳ ବନ୍ୟାରେ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।
ଶହ ଶହ ନିଖୋଜ ଅଛନ୍ତି।
ବହୁ ଘର, ପୋଲ ଏବଂ କୋଠା ନଷ୍ଟ ହୋଇଯାଇଛି।
ଯେଉଁଠାରେ ଘର ପୂର୍ବରୁ ଥିଲା, ଏବେ ସେଠାରେ ଆବର୍ଜନା ଗଦା ହୋଇଛି।
ଏହି ବିପର୍ଯ୍ୟୟ ଯୋଗୁଁ କେତେ କ୍ଷତି ହୋଇଛି ତାହା ଆକଳନ କରିବା କଷ୍ଟକର ହୋଇ ପଡ଼ିଛି।
ଏହି ସମୟରେ, ନେପାଳ ଆଉ ଏକ ବିପଦର ସମ୍ମୁଖୀନ ହେବାକୁ ଯାଉଛି ବୋଲି ଆକଳନ କରାଯାଉଛି।
ନେପାଳର ୪୭ଟି ହିମସ୍ରୋତ ହ୍ରଦ ଏବେ ଟାଇମ୍ ବମ୍ ପାଲଟିଛନ୍ତି।
ଯେକୌଣସି ସମୟରେ ସେଗୁଡ଼ିକ ଫାଟିପାରେ।
ଯଦି ଏପରି ହୁଏ, ତେବେ ଏହା ବିନାଶକାରୀ ହେବ।
ନେପାଳର ହିମସ୍ରୋତ ହ୍ରଦରୁ ପ୍ରଳୟଙ୍କରୀ ବନ୍ୟା ଆସିବାର ସଙ୍କଟ ସୃଷ୍ଟି ହୋଇଛି।
ନେପାଳର ଅନେକ ଅଞ୍ଚଳ ବିପଦରେ ଅଛନ୍ତି।
ଅର୍ଥାତ୍ ଏହି ଅଞ୍ଚଳଗୁଡ଼ିକ ଯେକୌଣସି ସମୟରେ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇପାରନ୍ତି।Advertisment ନେପାଳ ଏବଂ ତିବ୍ଦତରେ ପୁଣି ଜଳପ୍ରଳୟ ଆଶଙ୍କା ନେପାଳର ପ୍ରମୁଖ ନଦୀ କୂଳରେ ଏସବୁ ହିମବାହ ହ୍ରଦ ରହିଛି।
ଏଗୁଡ଼ିକୁ ସମ୍ଭାବ୍ୟ ବିପଦପୂର୍ଣ୍ଣ ହିମବାହ ହ୍ରଦ ଭାବରେ ଚିହ୍ନଟ କରାଯାଇଛି।
ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଏହି ହ୍ରଦଗୁଡିକ ଭାଙ୍ଗିବା ଦ୍ଵାରା ହଠାତ୍ ଏବଂ ବିପୁଳ ପରିମାଣର ଜଳ ପ୍ରବାହ ହୋଇପାରେ।
ଏହାକୁ ଗ୍ଲାସିୟର ଲେକ୍ ଆଉଟବ୍ରଷ୍ଟ ଫ୍ଲଡ୍(ଗ୍ଲୋଫ୍) କୁହାଯାଇଥାଏ।
ଏହା ଯୋଗୁଁ ନେପାଳର ନଦୀ ଉପତ୍ୟକାରେ ବ୍ୟାପକ କ୍ଷୟକ୍ଷତି ଘଟିବାର ଆଶଙ୍କା ରହିଛି।
ଏହି ଆକଳନ ଆନ୍ତର୍ଜାତୀୟ ସମନ୍ୱିତ ପର୍ବତ ବିକାଶ କେନ୍ଦ୍ର(ଇଣ୍ଟରନ୍ୟାନାଲ ସେଣ୍ଟର ଫର୍ ଇଣ୍ଟିଗ୍ରେଟେଡ୍ ମାଉଣ୍ଟେନ ଡେଭଲପମେଣ୍ଟ)(ଆଇସିଆଇଏମଓଡି)ଏବଂ ନେପାଳ ସରକାରଙ୍କ ଦ୍ୱାରା କରାଯାଇଛି।
ଏହି ୪୭ଟି ହ୍ରଦ ମଧ୍ୟରୁ ୨୧ଟି ନେପାଳରେ ଥିବା ବେଳେ ୨୫ଟି ସୀମା ଆରପାରି ତିବ୍ଦତରେ ରହିଛି।
ଏସବୁ ହ୍ରଦଗୁଡ଼ିକ ନେପାଳକୁ ପ୍ରବାହିତ ନଦୀର ଉପର ମୁଣ୍ଡରେ ରହିଛନ୍ତି।
ଏସବୁର ପାଣି ଦକ୍ଷିଣରେ ନେପାଳ ମୁହାଁ ହୋଇଥାଏ।
ତେଣୁ, ଯଦି ଏହି ହ୍ରଦଗୁଡ଼ିକ ମଧ୍ୟରୁ ଗୋଟିଏ ମଧ୍ୟ ଭାଙ୍ଗିଯାଏ, ତେବେ ତଳମୁଣ୍ଡର ଗ୍ରାମ, ସହର ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିରେ ଯଥେଷ୍ଟ କ୍ଷତି ଘଟିବାର ଆଶଙ୍କା ରହିଛି।
ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଏବଂ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ଦ୍ରୁତ ଗତିରେ କୂଳ ବୃଦ୍ଧି କରି ପ୍ରସାରିତ ହେଉଥିବା କିଛି ହ୍ରଦକୁ ସର୍ବାଧିକ ବିପଦପୂର୍ଣ୍ଣ ଭାବରେ ବର୍ଗୀକୃତ କରିଛି।
ଏଥିରେ ଏପରି ହ୍ରଦ ଅନ୍ତର୍ଭୁକ୍ତ ଯାହାର କୂଳ ବରଫ, କାଦୁଅ ଏବଂ ପଥରରେ ନିର୍ମିତ ପ୍ରାକୃତିକ କାନ୍ଥ ଦ୍ୱାରା ଘେରି ରହିଛି।
ଯଦି ଏହି କାନ୍ଥଗୁଡ଼ିକ ଭାଙ୍ଗିଯାଏ, ତେବେ ହଠାତ୍ ଜଳପ୍ରଳୟ ତଳମୁହାଁ ହୋଇପାରେ।
ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଏବଂ ଜାତିସଂଘ ବିକାଶ କାର୍ଯ୍ୟକ୍ରମ ଅନୁଯାୟୀ, ଏହି ହ୍ରଦଗୁଡ଼ିକ ପ୍ରତି ବିପଦ ହ୍ରାସ କରିବା ଏବଂ ସେମାନଙ୍କର ଜଳସ୍ତର ହ୍ରାସ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।
ସେସବୁ ମଧ୍ୟରେ ଲୋୟର ବରୁଣ (ତଲ୍ଲୋପୋଖରୀ), ଥୁଲାଗି (ଡୋନା), ଲୁମଡିଂ ସୋ, ହୋଙ୍ଗୁ-୨/ଚାମଲାଙ୍ଗ ଦକ୍ଷିଣ, ସୋ ରୋଲପା ଏବଂ ଇମଜା ସୋ ଆଦି ହ୍ରଦ ରହିଛି।
ଏହି ହ୍ରଦଗୁଡ଼ିକ ତଳେ ପ୍ରବାହିତ ନଦୀ ଉପତ୍ୟକା କୂଳରେ ଅବସ୍ଥିତ ପାହାଡିଆ ଏବଂ ମଧ୍ୟମ-ପାହାଡ଼ିଆ ଜିଲ୍ଲାଗୁଡ଼ିକ ସର୍ବାଧିକ ବିପଦ ରହିଛି।
ବନ୍ୟା ଆସିଲେ, ଏଠାରେ ବାସ କରୁଥିବା ଲୋକ, ରାସ୍ତା, ସେତୁ, ବିଦ୍ୟୁତ୍ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇପାରେ।
ପଶ୍ଚିମ ନେପାଳର ଅନେକ ଜିଲ୍ଲା ମଧ୍ୟ ବିପଦ ଘେରରେ ଅଛନ୍ତି।
୮୫ ପ୍ରତିଶତରୁ ଅଧିକ ବିପଦପୂର୍ଣ୍ଣ ଅଞ୍ଚଳ ପୂର୍ବ ଏବଂ କେନ୍ଦ୍ରୀୟ ନେପାଳର ଦୁର୍ବଳ ଅଞ୍ଚଳ, କୋଶି ଏବଂ ବାଗମତୀ ଅବବାହିକାରେ ରହିଛି।
ବିଶେଷଜ୍ଞମାନେ ଚିନ୍ତିତ ଅଛନ୍ତି, କାରଣ ହିମବାହ ହ୍ରଦ ଭାଙ୍ଗିବା ଦ୍ବାରା ଜଳପ୍ରଳୟ ବହୁ ଶୀଘ୍ର ତଳମୁଣ୍ଡକୁ ଗତି କରେ, ଯାହା ଫଳରେ ଲୋକମାନଙ୍କୁ ନିରାପଦ ସ୍ଥଳରେ ପହଞ୍ଚିବାକୁ କମ୍ ସମୟ ମିଳିଥାଏ।
ନେପାଳ ଜଳପ୍ରଳୟର କାରଣ ସ୍ପଷ୍ଟ କଲା ଆମେରିକା ଭୂତତ୍ତ୍ୱ ସର୍ଭେ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
