Neglect: ତୃଷାର୍ତ୍ତ ଜୁଆଙ୍ଗଙ୍କୁ ପସନ୍ଦ ଝରଣା ପାଣି
କାଳିଆପାଣି (ରବି ନାରାୟଣ କର): ଏବେ ବି ଝରଣା ପାଣିକୁ ସିଧା ମୁହଁ ଲଗେଇ ପିଉଛନ୍ତି। କୋଳରେ ବଢ଼ୁଥିବା ନିଜ ପିଲାଛୁଆଙ୍କୁ ବି ପିଆଉଛନ୍ତି। ପାହାଡ଼ରୁ ଝରୁଥିବା ନିର୍ଦ୍ଦିଷ୍ଟ କିଛି ଝରଣା ପାଣି ପିଇବାକୁ ପସନ୍ଦ କରିଥାନ୍ତି ଜୁଆଙ୍ଗ ଜନଜାତି। ଉପର ନଗଡ଼ାର ଅଙ୍ଗନବାଡ଼ି କର୍ମୀ କମଳା ପ୍ରଧାନ ଚାଲିଚାଲି ଗୁହିଆଶାଳ ଯିବା ବାଟରେ ଶିଶୁପୁତ୍ର ଅଭି(୫)ଙ୍କୁ କୋଳରୁ ଓହ୍ଲାଇ ତାକୁ ଏକ କେନ୍ଦୁ ପତରରେ ପାଣି ପିଆଉଥିଲେ।ପରେ ନିଜେ ସେହି ଝରଣାରୁ ପତ୍ର ଠୋଲାରେ ପାଣି ପିଇଥିଲେ।
ତଳ ମୁଣ୍ଡରୁ ତାଙ୍କ ସ୍ବାମୀ ବିକା ପ୍ରଧାନ, ଶାଶୂ ଗୁଲୁରି ପ୍ରଧାନ ଓ ପଡ଼ୋଶୀ ମଙ୍ଗୁଳି ପ୍ରଧାନ ସିଧାସଳଖ ଝରଣା ପାଣିରେ ମୁହଁ ଲଗାଇ ଶୋଷ ମେଣ୍ଟାଇଥିଲେ। ଶୋଷ ବେଳେ ଏହାକୁ ପେଟେ ପିଇଦେଲେ ଶାନ୍ତି ମିଳିଥାଏ। ଥକ୍କା ମେଣ୍ଟିଯାଏ କହିଥିଲେ। ଜଣେ ଅଙ୍ଗନବାଡ଼ି କର୍ମୀ ଭାବେ ଏମିତି ଖୋଲାମେଲା ପାଣି ଧାରରୁ ସିଧା ସଳଖ ପାଣି ପିଇବା ଓ ନିଜ ଛୁଆକୁ ପିଆଇବା ଦେଖି ପଚାରିବାରେ ସେ ନିଜ ସପକ୍ଷରେ ଅକାଟ୍ୟ ଯୁକ୍ତି କରିଥିଲେ। ‘ଆଜ୍ଞା ଆପଣ ଆଗ ଏହି ପାଣି ପିଅନ୍ତୁ, ତା’ପରେ ଜାଣିଯିବେ, ଆମେ କାହିଁକି ଏହାକୁ ପିଉଛୁ’ ବୋଲି ଉତ୍ତର ରଖିଥିଲେ। ଏହା ସବୁ ପ୍ରକାର ବୋତଲ ପାଣି ଠାରୁ ଭଲ ବୋଲି ଦର୍ଶାଇଥିଲେ।
ସୁକିନ୍ଦା ମେଗା ପାନୀୟଜଳ ପ୍ରକଳ୍ପରୁ ଗାଁକୁ ଜଳ ଯୋଗାଣ ବ୍ୟବସ୍ଥା ଥିଲେ ହେଁ ଏହି ଝରଣା ପାଣି ଜୁଆଙ୍ଗମାନଙ୍କ ପ୍ରଥମ ପସନ୍ଦ ବୋଲି କହିଥିଲେ। ମଝି ନଗଡ଼ାର କେନ୍ଦୁଚୁଆ ଝରଣା ପାଇଁ ଏମିତି ମିଠା ଓ ସୁଆଦିଆ ବୋଲି ମତ ଦେଇଥିଲେ। ଏହି ଝରଣାରୁ ବିଭିନ୍ନ ବନ୍ୟଜନ୍ତୁ ପାଣି ପିଉଥିବା ଓ ଜଳଉତ୍ସ ଗୋଳିଆ ହେଉଥିବା ପଚାରିବାରେ ଲମ୍ବା ଝରଣା ପ୍ରବାହିତ ହେଉଥିବାରୁ ଟିକେ ଉପରକୁ ଉଠିଗଲେ ସଫା ପିଇବା ପାଣି ମିଳିଯିବ କହିଥିଲେ। ତେବେ ଖରାଦିନେ ବହୁ ଝରଣା ଶୁଖି ଯାଉଥିବାରୁ ସେତେବେଳେ ପିଇବା ପାଣି ସଂଗ୍ରହ ସମସ୍ୟା ଦେଖା ଦେଉଥିବାରୁ ସ୍ଥଳ ବିଶେଷରେ ସେମାନଙ୍କୁ ଗାଁ ଠାରୁ ଅଧ କିଲୋମିଟରରୁ ଏକ କିଲୋମିଟର ଯିବାକୁ ପଡ଼ିଥାଏ ବୋଲି କମଳା କହିଥିଲେ। ଝରଣା ପାଣି ନମିଳିଲେ ଆମେ ଅଲଗା ପାଣି ଖୋଜିଥାଉ। କିନ୍ତୁ ଝରଣା ଥିବା ଯାଏ ଏହାର ପାଣି ଆମର ଜୀବନ ହୋଇରହିଥିବ ବୋଲି ସେ ଦୃଢ଼ତାର ସହ କହିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
