28 JUNE 2026

Welcome!

Unlock your personalized experience.
Sign Up

Neglect: କନ୍ଧମାଳର ଦୁର୍ଗମ ଗାଁରେ ପଡ଼ିଲା ବିଧାୟକଙ୍କ ପାଦ; ବଦଳିବ ଭାଗ୍ୟ?

Jun 24, 2026 - 06:28
Neglect: କନ୍ଧମାଳର ଦୁର୍ଗମ ଗାଁରେ ପଡ଼ିଲା ବିଧାୟକଙ୍କ ପାଦ; ବଦଳିବ ଭାଗ୍ୟ?

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଦେଶ ସ୍ୱାଧୀନତାର ୭୮ ବର୍ଷ ଅତିକ୍ରମ କରି ବିକାଶର ନୂଆ ଶିଖର ଛୁଇଁବାକୁ ପ୍ରୟାସ କରୁଥିବା ବେଳେ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ଦୁର୍ଗମ ଗ୍ରାମ ‘ଗଦିଙ୍ଗିଆ’ ଆଜି ବି ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ। କଳିଙ୍ଗା ଗ୍ରାମ ପଞ୍ଚାୟତର ୧ ନମ୍ବର ୱାର୍ଡରେ ଅବସ୍ଥିତ ଏହି ଗ୍ରାମରେ ୫୦ରୁ ଅଧିକ ଅନୁସୂଚିତ ଜାତି ଓ ଜନଜାତି ପରିବାର ବସବାସ କରୁଛନ୍ତି। 

କଳିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟଠାରୁ ମାତ୍ର ୫ କିଲୋମିଟର ଏବଂ ୧୫୭ ନମ୍ବର ଜାତୀୟ ରାଜପଥଠାରୁ ୩ କିଲୋମିଟର ଦୂରରେ ଅବସ୍ଥିତ ହୋଇ ମଧ୍ୟ ଗ୍ରାମଟି ଆଜି ପର୍ଯ୍ୟନ୍ତ ସଂଯୋଗୀକରଣ ରାସ୍ତାରୁ ବଞ୍ଚିତ। ପକ୍କା ରାସ୍ତା ନଥିବାରୁ ଜରୁରୀ ସ୍ୱାସ୍ଥ୍ୟ ସେବା ଗ୍ରାମବାସୀଙ୍କ ପାଇଁ ସ୍ୱପ୍ନ ପାଲଟିଛି। ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଆଜି ବି ଖଟିଆରେ ବୋହି ମୁଖ୍ୟ ରାସ୍ତାକୁ ଆଣିବାକୁ ପଡ଼ୁଛି। ଏହା କେବଳ ଗୋଟିଏ ଗ୍ରାମର ସମସ୍ୟା ନୁହେଁ, ବରଂ ବିକାଶର ଦାବି କରୁଥିବା ବ୍ୟବସ୍ଥାର ଏକ କଠୋର ବାସ୍ତବ ଚିତ୍ର।

ବର୍ଷ ସାରା ପାହାଡ଼ି ପାଣି ହିଁ ଦୁର୍ଗମ ଗ୍ରାମବାସୀଙ୍କୁ ଭରସା

ଜଙ୍ଗଲ ପାହାଡ଼ ଘେରା ଦୁର୍ଗମ ଅଞ୍ଚଳ ହୋଇଥିବାରୁ ରାତ୍ରି ସମୟରେ ବନ୍ୟଜନ୍ତୁଙ୍କ ଭୟ ଓ ଘନ ଅନ୍ଧକାର ମଧ୍ୟରେ ଜୀବନ କାଟୁଛନ୍ତି ଗ୍ରାମବାସୀ। ସେହିପରି କୃଷିଜାତ ସାମଗ୍ରୀକୁ ବଜାରକୁ ବିକ୍ରି ପାଇଁ ନେବା ମଧ୍ୟ ଏଠାକାର ଲୋକଙ୍କ ପାଇଁ ଏକ ବଡ଼ ଆହ୍ୱାନ। ଘୁ.ଉଦୟଗିରି ବିଧାୟକ  ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ଗଦିଙ୍ଗିଆ ଗ୍ରାମ ପରିଦର୍ଶନ କରିଛନ୍ତି। ସ୍ୱାଧୀନତାର ୭୮ ବର୍ଷ ପରେ ଜଣେ ବିଧାୟକଙ୍କ ପାଦ ପଡ଼ିବା ଗ୍ରାମବାସୀଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି। ଗ୍ରାମବାସୀ ପାରମ୍ପରିକ ବାଦ୍ୟ, ନୃତ୍ୟ ଓ ଜୟଧ୍ୱନି ମଧ୍ୟରେ ବିଧାୟକଙ୍କୁ ସ୍ୱାଗତ ଜଣାଇଥିଲେ।

ଏହି ଅବସରରେ ଗ୍ରାମବାସୀ ବିଧାୟକଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ।ଦାବି ଗୁଡ଼ିକ ହେଲା ଗାଁକୁ  ପକ୍କା ରାସ୍ତା ନିର୍ମାଣ, ସୋଲାର ପାଣି ଟାଙ୍କି ସ୍ଥାପନ ଏବଂ ସୋଲାର ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା। ଚଳିତ ମାସ ୨ ତାରିଖରେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ମହୋଦୟ ମଧ୍ୟ ଗଦିଙ୍ଗିଆ ଗ୍ରାମ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଏହି ଗସ୍ତ ପରେ ଗ୍ରାମବାସୀ ଆଶା ରଖିଛନ୍ତି ଯେ, ସରକାରୀ ବିକାଶର ଆଲୋକ ଗଦିଙ୍ଗିଆର ଅନ୍ଧକାର ଦୂର କରିବ। କେବଳ ଆଶ୍ୱାସନା ନୁହେଁ, ସମୟବଦ୍ଧ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିଛନ୍ତି ଗ୍ରାମବାସୀ। ଏହି ଗସ୍ତ ସମୟରେ ଘୁ.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ଗୋଲକ ବିହାରୀ ପଟ୍ଟନାୟକ, RWSS ସହକାରୀ ଯନ୍ତ୍ରୀ ନରେଶ କୁମାର ପ୍ରଧାନ, ବରିଷ୍ଠ ସାମ୍ବାଦିକ ସମୀର କୁମାର ପାଢ଼ୀ, ଚିନ୍ମୟ କୁମାର ସେଠୀ, ଯୁବ ସମାଜସେବୀ ଆମନ୍ ଚନ୍ଦ୍ର ନାୟକ, ବିଧାୟକଙ୍କ ପ୍ରତିନିଧି ମଧୁଲିନା ଦିଗାଲ, ଗୋପାଳ ନାୟକ, ଉତ୍ସବ ପ୍ରଧାନ ପ୍ରମୁଖଙ୍କ ସମେତ ଗଦିଙ୍ଗିଆ ଗ୍ରାମବାସୀ ଉପସ୍ଥିତ ଥିଲେ। ଏବେ ସମୟକୁ ଅପେକ୍ଷା ଜିଲ୍ଲାପାଳ, ବିଧାୟକଙ୍କ ଗସ୍ତ ପରେ କେବେ ବଦଳୁଛି ଗଦିଙ୍ଗିଆ ଗାଁର ଚିତ୍ର କେବେ ପକ୍କା ରାସ୍ତାରେ ଯାତାୟତ କରିବେ ଏବଂ ବିଶୁଦ୍ଧ ଜଳ ପିଇବାକୁ ପାଇବେ?