NEET-UG Re-Test Conduct Smoothly: ସରିଲା NEET-UG ରି-ଟେଷ୍ଟ, ପରୀକ୍ଷା ଦେଲେ ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ
ପ୍ରାୟ ଦେଢ଼ମାସ ବ୍ୟବଧାନରେ ଡାକ୍ତର ହେବା ସ୍ବପ୍ନ ନେଇ ଆଜି ପୁଣି ହଲରେ ବସିଥିଲେ ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ। ଗତମାସ ପେପର ଲିକ୍ ପରେ ଆଜି ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଭିତରେ ସାରା ଦେଶରେ ଅନୁଷ୍ଠିତ ହୋଇଛି NEET ୟୁଜି ରିଟେଷ୍ଟ। ସେଣ୍ଟରରେ ପଶିବା ବେଳେ ଟେନ୍ସନ୍, ଆଉ ହଲ୍ ରୁ ବାହାରିବା ବେଳେ ହସ ହସ ମୁହଁ। ପରୀକ୍ଷା କେମିତି ହୋଇଛି ତା'ହତ ରେଜଲ୍ଟ ଆସିବା ପରେ ସ୍ପଷ୍ଟ ହେବ, କିନ୍ତୁ ପ୍ରଥମ ପରୀକ୍ଷାରେ ପେପର୍ ଲିକ୍ ପରେ ପରୀକ୍ଷା ପରିଚାଳନା ନେଇ ଯେଉଁ ଶଂକା ଥିଲା ତାହା ଦୂରେଇ ଯାଇଛି।
ଆଜିର NEET ରିଟେଷ୍ଟ ପାଇଁ ଯେତିକି ତୟାର ଥିଲେ ପରୀକ୍ଷାର୍ଥୀ, ସେତିକି ତତ୍ପର ଥିଲା ପ୍ରଶାସନ। ସ୍ବଛ, ତ୍ରୁଟିଶୂନ୍ୟ ଏବଂ ନିରପେକ୍ଷ ପରୀକ୍ଷା ପରିଚାଳନା ପାଇଁ NTAର ବଡ଼ ପ୍ରସ୍ତୁତି ଭିତରେ ସରିଛି ମେଡିକାଲ୍ ଏଣ୍ଟ୍ରାନ୍ସ ଟେଷ୍ଟ। ପରୀକ୍ଷା ଆରମ୍ଭର ସମୟ ଥିଲା ଅପରାହ୍ନ ୨ଟା। ତେବେ ରିପୋର୍ଟିଂ ଟାଇମ୍ ଥିଲା ଦିନ ୧୧ଟାରୁ ସାଢେ ଗୋଟାଏ। ସେଣ୍ଟର ଭିତରକୁ ପ୍ରବେଶ ବେଳେ ତନ୍ନ ତନ୍ନ କରି ଯାଞ୍ଚ ହୋଇଥିଲା ପରୀକ୍ଷାର୍ଥୀଙ୍କର। ସାରା ଦେଶରେ ୫୫୧ଟି ସହରରେ ୫ ହଜାର ୪୪୦ ସେଣ୍ଟରରେ ପରୀକ୍ଷା ଦେଇଥିଲେ ୨୨ ଲକ୍ଷରୁ ଅଧିକ ମେଡିକାଲ ଆଶାୟୀ। ପରୀକ୍ଷା ହୋଇଥିବା ୯୫ ହଜାର ରୁମରେ ଲଗାଯାଇଥିଲା ୧ ଲକ୍ଷ ୩୮ ହଜାର ୫୬୦ଟି CCTV କ୍ୟାମେରା। ଇଲେକ୍ଟ୍ରୋନିକ୍ ସିଗ୍ନାଲ ରୋକିବା ପାଇଁ ଲାଗିଥିଲା ୫୧ ହଜାର ୩୧୧ଟି ଜାମର। ପ୍ରତି ସେଣ୍ଟରରୁ ୧୦୦ ମିଟର ଦୂରତା ମଧ୍ୟରେ ଜରା କରାଯାଇଥିଲା BNSSର ୧୬୩ ଧାରା। ଅନ୍ୟପକ୍ଷରେ ବେଙ୍ଗାଳୁରୁ, ପାଟଣା, ଦିଲ୍ଲୀର କିଛି ସ୍ଥାନରେ ସାଢେ ଗୋଟାଏ ପରେ କିଛି ପରୀକ୍ଷାର୍ଥୀ ପହଞ୍ଚିବା ପରେ ସେମାନଙ୍କୁ ସେଣ୍ଟର ଭିତରକୁ ଯିବାକୁ ଅନୁମତି ମିଳିନଥିଲା। ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଥିଲା।
ଏପଟେ ରାଜ୍ୟରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଅନୁଷ୍ଠିତ ହୋଇଛି ନିଟ୍ ପ୍ରବେଶିକା। ତ୍ରୀସ୍ତରୀୟ ସୁରକ୍ଷା ଭିତରେ ୨୭ଟି ସହରର ୧୩୨ଟି ସେଣ୍ଟରରେ ପରୀକ୍ଷା ଦେଇଛନ୍ତି ପ୍ରାୟ ୫୭ ହଜାର ଛାତ୍ରଛାତ୍ରୀ। ପରୀକ୍ଷାର୍ଥୀମାନଙ୍କର ସୁଗମ ଯାତାୟାତ ଓ ପରୀକ୍ଷା କେନ୍ଦ୍ରରେ ସଠିକ ସମୟରେ ପହଞ୍ଚିବା ପାଇଁ ଓଏସ୍ଆରଟିସି ଓ କ୍ରୁଟ୍ ପକ୍ଷରୁ ମାଗଣା ବସ୍ ସେବା ପ୍ରଦାନ କରାଯାଇଥିଲା। ଆଡମିଟ୍ କାର୍ଡ ଦେଖାଇ ପିଲାମାନେ ସୁବିଧାରେ ନିଜ ନିଜ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ସେହିପରି ପରୀକ୍ଷାର୍ଥୀଙ୍କ ପହଞ୍ଚିବାରେ ଯେମିତି କୌଣସି ଅସୁବିଧା ନହୁଏ, ସେଥିପାଇଁ ରାଜଧାନୀରେ ଟ୍ରାଫିକ୍ କଟକଣାକୁ ବି କୋହଳ କରାଯାଇଥିଲା।
ଏପଟେ ନିଟ୍ ପରୀକ୍ଷା ଲାଗି ଦିଲ୍ଲୀ ବିମାନବନ୍ଦରରେ ୪୫ ମିନିଟ ଧରି ଅପେକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ। କୋଲକାତାରୁ ଆସି ଦିଲ୍ଲୀରେ ଅପରାହ୍ନ ୧ଟା ୧୫ ମିନିଟରେ ପହଞ୍ଚିବା ପରେ ଛାତ୍ରଛାତ୍ରୀଙ୍କୁ ସେଣ୍ଟରରେ ପହଞ୍ଚିବାକୁ ଯେପରି କୌଣସି ଟ୍ରାଫିକ୍ ସମସ୍ୟା ନଉପୁଜେ ସେଥିଲାଗି ତୁରନ୍ତ ବାସଭବନ ଅଭିମୁଖେ ବାହାରିବା ବଦଳରେ ଏୟାରପୋର୍ଟରେ ଅଟକିଥିଲେ।