Modi Pauses Travel Plans: ନିଟ୍ ପିଲାଙ୍କ ଲାଗି ୪୫ ମିନିଟ୍ ଅପେକ୍ଷା କଲେ ମୋଦି, ପରୀକ୍ଷା ଆରମ୍ଭ ହେବା ପରେ ବାହାରିଲା କାରକେଡ୍
ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ବିମାନବନ୍ଦରରେ ଅପେକ୍ଷା କଲେ ପ୍ରଧାନମନ୍ତ୍ରୀ। ଛାତ୍ରଛାତ୍ରୀଙ୍କୁ ନିଟ୍ ପରୀକ୍ଷା ଲାଗି ପରୀକ୍ଷା କେନ୍ଦ୍ରକୁ ଯିବାକୁ ଯେପରି କୌଣସି ଅସୁବିଧା ନହୁଏ ସେଥିଲାଗି ସେ ଦିଲ୍ଲୀ ବିମାନବନ୍ଦରରେ ୪୫ ମିନିଟ ଧରି ଅପେକ୍ଷା କରିଥିଲେ। କୋଲକାତାରୁ ଆସି ଦିଲ୍ଲୀରେ ଅପରାହ୍ନ ୧ଟା ୧୫ ମିନିଟରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ। NEET ପରୀକ୍ଷା ଅପରାହ୍ନ ୨ଟାରେ ଆରମ୍ଭ ହେବାକୁ ଥିବାରୁ ସେ ତୁରନ୍ତ ତାଙ୍କ ବାସଭବନକୁ ଯିବା ପରିବର୍ତ୍ତେ ବିମାନବନ୍ଦରରେ ଅପେକ୍ଷା କରିଥିଲେ।
ଛାତ୍ରଛାତ୍ରୀଙ୍କୁ ଯିବାକୁ ଯେପରି କୌଣସି ଟ୍ରାଫିକ୍ ସମସ୍ୟା ନଉପୁଜେ ସେଥିଲାଗି ସେ ଏୟାରପୋର୍ଟରେ ରହିବାକୁ ଇଚ୍ଛା କରିଥିଲେ। ହଜାର ହଜାର ପ୍ରାର୍ଥୀ ସେମାନଙ୍କ ପରୀକ୍ଷା କେନ୍ଦ୍ରକୁ ଯାତ୍ରା କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଦିଲ୍ଲୀରେ ଟ୍ରାଫିକ୍ ଚଳାଚଳ ସୁଗମ ରହିବାକୁ ସୁନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ଅଧିକାରୀମାନେ କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଯାତ୍ରା ଲାଗି ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା ଏବଂ ନିର୍ଦ୍ଦିଷ୍ଟ ରାସ୍ତାରେ ଅସ୍ଥାୟୀ କଟକଣା ଜାରି କରାଯାଇଥାଏ। ଅପରାହ୍ନ ୨ଟାରେ NEET-UG ପୁନଃପରୀକ୍ଷା ଆରମ୍ଭ ହେବା ପରେ, ପ୍ରଧାନମନ୍ତ୍ରୀ ମୋଦି ବିମାନବନ୍ଦରରୁ ତାଙ୍କ ବାସଭବନକୁ ବାହାରିଥିଲେ।
ପେପର ଲିକ୍ ଅଭିଯୋଗ ପରେ ପୂର୍ବ ପରୀକ୍ଷା ବାତିଲ ହେବା ପରେ ସାରା ଦେଶରେ NEET-UG ପୁନଃପରୀକ୍ଷା ଆଜି ଅନୁଷ୍ଠିତ ହୋଇଛି। ଭାରତରେ ୫ ହଜାର ୪୪୦ଟି କେନ୍ଦ୍ର ଏବଂ ବିଦେଶରେ ୧୪ଟି କେନ୍ଦ୍ରରେ ୨୨ ଲକ୍ଷରୁ ଅଧିକ ପ୍ରାର୍ଥୀ ପରୀକ୍ଷା ଦେଇଛନ୍ତି।...