Naveen: ଓଡ଼ିଶାରେ ଏମିତି କେବେ ହୋଇ ନଥିଲା: ନବୀନ
ଭୁବନେଶ୍ବର: ଗତ ଦୁଇ ବର୍ଷରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୁର୍ଣ୍ଣ ଭୁଶୁଡ଼ି ଯାଇଛି। ଜନସାଧାରଣ ଭୟରେ ରହିଛନ୍ତି। ହତ୍ୟା, ଧର୍ଷଣ, ଲୁଟ, ନାରୀ ନିର୍ଯାତନା ଆଦି ଅପରାଧ ସୀମା ଲଂଘି ସାରିଲାଣି। ଅର୍ଥନୈତିକ ଅବସ୍ଥା ଶୋଚନୀୟ। ବିଜେଡି ସରକାର କ୍ଷମତାରୁ ଯିବା ସମୟରେ ୪୫ ହଜାର କୋଟି ଟଙ୍କାର ବଳକା ରାଜସ୍ୱ ଛାଡ଼ି ଯାଇଥିଲା ବେଳେ ଏବେ ରାଜ୍ୟର ଋଣ ଭାର ବଢ଼ିଚାଲିଛି। ଦୁଃଖର କଥା ବୁଢ଼ାବୁଢ଼ୀ, ଭିନ୍ନକ୍ଷମମାନଙ୍କୁ ସାମାଜିକ ସୁରକ୍ଷା ପେନ୍ସନ୍ ମଧ୍ୟ ଏ ସରକାର ଅମଳରେ ମିଳୁନାହିଁ। ଓଡ଼ିଶା ଶାସନରେ ଏଭଳି ଅବ୍ୟବସ୍ଥା କୌଣସି ସରକାର ଅମଳରେ ଦେଖା ନଥିଲା। ଆଜି ବିଜେଡିର ସାଂଗଠନିକ ବୈଠକରେ ରାଜ୍ୟ ସରକାରଙ୍କୁ ଏମିତି ଟାର୍ଗେଟ୍ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।
ଆଜି ଶଙ୍ଖ ଭବନଠାରେ ୨୦୨୪ ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀମାନଙ୍କ ସହ ଶ୍ରୀ ପଟ୍ଟନାୟକ ଏକ ସାଙ୍ଗଠନିକ ବୈଠକରେ ଯୋଗ ଦେଇ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଦଳର ସାଙ୍ଗଠନିକ ସ୍ଥିତି ଓ ସ୍ଥାନୀୟ ସମସ୍ୟା ସମ୍ପର୍କରେ ମତ ବିନିମୟ କରିଥିଲେ। ପାଖାପାଖି ଦୁଇ ଘଣ୍ଟା ଧରି ଏହି ବୈଠକ ଚାଲିଥିଲା। ଶ୍ରୀ ପଟ୍ଟନାୟକ କହିଥିଲେ, ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଖେଇ ଆସିଲାଣି। ସେଥିପାଇଁ ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ପ୍ରସ୍ତୁତି ଆରମ୍ଭ କରିବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ରାଜ୍ୟରେ ଚାଲିଥିବା ଏସ୍ଆଇଆର୍ ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ, ଅନ୍ୟ ରାଜ୍ୟରେ ଏସ୍ଆଇଆର୍ ସମୟରେ ଘଟିଥିବା ଘଟଣାବଳୀକୁ ଦୃଷ୍ଟିରେ ରଖି ଆମକୁ ସତର୍କ ଓ ସଜାଗ ରହି କାମ କରିବାକୁ ପଡ଼ିବ।
ସରକାରଙ୍କ ବିଫଳତା ବିଶେଷ କରି ମହିଳା ସଂରକ୍ଷଣ କ୍ଷେତ୍ରରେ ବିଜେପିର ଛଳନାପୂର୍ଣ୍ଣ ଆଚରଣର ବିରୋଧ କରି ବିଜେଡି ପକ୍ଷରୁ ଚାଲିଥିବା ନାରୀ ଅଧିକାର ଅଭିଯାନର ବିପୁଳ ସଫଳତା ପରିବର୍ତ୍ତନର ସୂଚନା ଦେଉଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ବିଜେଡି ଡାକରାରେ ପ୍ରବଳ ଖରାରେ ହଜାର ହଜାର ମହିଳା ଘରୁ ବାହାରି ଯେପରି ନାରୀ ଅଧିକାର ଅଭିଯାନରେ ସାମିଲ ହୋଇଥିଲେ ସେଥିପାଇଁ ଶ୍ରୀ ପଟ୍ଟନାୟକ ମା’ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସାଂଗଠନିକ କାର୍ଯ୍ୟ ପାଇଁ ଅର୍ଥର ଅଭାବ ସମ୍ପର୍କରେ କିଛି ନେତା କହିଥିଲେ। ଆବଶ୍ୟକ ଅର୍ଥ ଦିଆଯିବ ବୋଲି ନବୀନ କହିଥିଲେ। ଖୁବ ଶୀଘ୍ର ନିଜେ ପ୍ରତି ଜିଲ୍ଲା ଗସ୍ତରେ ଯିବେ ବୋଲି ସେ ସୂଚନା ଦେଇଥିଲେ। ସାମାଜିକ ଗଣମାଧ୍ୟମ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଏହି ବୈଠକକୁ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ସଞ୍ଚାଳନ କରିଥିଲେ। ବିଧାୟକ ପ୍ରାର୍ଥୀମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ସେମାନଙ୍କ ମତାମତ ଦେଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।