29 JUNE 2026

Welcome!

Unlock your personalized experience.
Sign Up

Mumbai: ମୁମ୍ବାଇରେ ବଡ଼ ବିଷକାଣ୍ଡ ଷଡ଼୍‌ଯନ୍ତ୍ର ପଣ୍ଡ

Jun 28, 2026 - 22:36
Mumbai: ମୁମ୍ବାଇରେ ବଡ଼ ବିଷକାଣ୍ଡ ଷଡ଼୍‌ଯନ୍ତ୍ର ପଣ୍ଡ

ମୁମ୍ବାଇ: ମୁମ୍ବାଇରେ ମହରମ ଶୋଭାଯାତ୍ରା ସମୟରେ ଘଟିବାକୁ ଥିବା ଏକ ଭୟଙ୍କର ଗଣହତ୍ୟା ଷଡ଼୍‌ଯନ୍ତ୍ର ପଣ୍ଡ ହୋଇଯାଇଛି। ଏହି ଘଟଣାରେ ପୁଣେର ବିମାନ ନଗର ଅଞ୍ଚଳର ବାସିନ୍ଦା ଫୈୟାଜ ପ୍ରେମଜିକୁ ଗିରଫ କରାଯାଇଛି। ପଚରାଉଚରା ବେଳେ ସେ ପ୍ରାୟ ୧୫ ହଜାର ଲୋକଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଏହି ଷଡ଼୍‌ଯନ୍ତ୍ର ରଚିଥିବା ସ୍ୱୀକାର କରିଛି।

ପୁଲିସ ସୂଚନା ଅନୁସାରେ, ଫୈୟାଜ ଜିଙ୍କ୍ ଫସ୍‌ଫାଇଡ୍‌ ନାମକ ଅତ୍ୟନ୍ତ ବିଷାକ୍ତ ରସାୟନକୁ କ୍ୟାପସୁଲ୍‌ରେ ଭରି ମହରମ ଶୋଭାଯାତ୍ରା ସମୟରେ ଲୋକଙ୍କୁ ବଣ୍ଟନ କରୁଥିଲା। ସେ ଏହାକୁ ଭିଟାମିନ, ରୋଗପ୍ରତିରୋଧକ ଔଷଧ କିମ୍ବା ବେଦନାନାଶକ ବୋଲି କହି ଲୋକଙ୍କୁ ଖାଇବାକୁ ଦେଉଥିଲା। ଏକାକୀ ଏତେ ସଂଖ୍ୟକ କ୍ୟାପସୁଲ୍‌ ବଣ୍ଟନ କରିବା ସମ୍ଭବ ନ ହେବାରୁ ସେ କିଛି ସ୍ୱେଚ୍ଛାସେବକଙ୍କୁ ମଧ୍ୟ ଏହା ବାଣ୍ଟିବାକୁ କହିଥିଲା। ସେମାନେ ଏଗୁଡ଼ିକ ବିଷାକ୍ତ ବୋଲି ଜାଣିନଥିଲେ। କ୍ୟାପସୁଲ୍‌ ଖାଇବା ପରେ ଅତି କମ୍‌ରେ ୧୧ ଜଣ ଅସୁସ୍ଥ ହୋଇ ବାନ୍ତି ଓ ପେଟବ୍ୟଥାରେ ପୀଡ଼ିତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ବର୍ତ୍ତମାନ ସମସ୍ତେ ବିପଦମୁକ୍ତ ଥିବା ସୂଚନା ମିଳିଛି। ତିନିଜଣ ମହିଳା ସ୍ୱେଚ୍ଛାସେବୀ ଫୈୟାଜର ସନ୍ଦେହଜନକ କାର୍ଯ୍ୟକଳାପ ଦେଖି ପୁଲିସକୁ ଖବର ଦେବା ସହ ଲାଉଡସ୍ପିକରରେ ଲୋକଙ୍କୁ କ୍ୟାପସୁଲ୍‌ ନ ଖାଇବାକୁ ସଚେତନ କରିଥିଲେ। ଏହା ଫଳରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା।

ଆହୁରି ପଢ଼ନ୍ତୁ: Cricket: ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅଚାନକ ସନ୍ୟାସ ନେଲେ ବେନ୍ ଷ୍ଟୋକ୍ସ

ତଦନ୍ତରେ ଜଣାପଡ଼ିଛି ଯେ, ଫୈୟାଜ ପ୍ରାୟ ୧୫ ଦିନ ଧରି ଏହି ଯୋଜନାର ପ୍ରସ୍ତୁତି କରିଥିଲା। ସେ ମୁମ୍ବାଇର ଡୋଙ୍ଗ୍ରି ଅଞ୍ଚଳରେ ଏକ ଘର ଭଡ଼ା ନେଇ ସେଠାରେ ୫୦ କିଲୋଗ୍ରାମ ଜିଙ୍କ୍ ଫସଫାଇଡ୍‌ ଓ ଅନଲାଇନ୍‌ରେ ମଗାଇଥିବା ୩୦ ହଜାର ଖାଲି କ୍ୟାପସୁଲ୍‌ରେ ବିଷ ଭରୁଥିଲା। ପ୍ରତ୍ୟେକ କ୍ୟାପସୁଲ୍‌ରେ ପ୍ରାୟ ୧ ଗ୍ରାମ ବିଷ ଭର୍ତ୍ତି କରାଯାଇଥିଲା। ପୁଲିସ ତା’ ନିକଟରୁ ପ୍ରାୟ ୧୫ ହଜାର ପ୍ରସ୍ତୁତ କ୍ୟାପସୁଲ୍‌ ଓ ବହୁ ପରିମାଣର ବିଷ ଜବତ କରିଛି। ତା’ର ଲକ୍ଷ୍ୟ ଥିଲା ସମୁଦାୟ ୩୦ ହଜାର କ୍ୟାପସୁଲ୍‌ ପ୍ରସ୍ତୁତ କରି ଶୋଭାଯାତ୍ରାରେ ବଣ୍ଟନ କରିବ।

ଆହୁରି ପଢ଼ନ୍ତୁ: Odisha ganja seizure ଜାତୀୟ ରାଜପଥ-୧୬ରୁ ୬୮ କେଜି ଗଞ୍ଜେଇ ଜବତ, ୪ ଅଭିଯୁକ୍ତ ଗିରଫ

ଫୈୟାଜ ପୁଣେରେ ପେଣ୍ଟିଂ ବ୍ୟବସାୟ କରେ। ତା’ ସ୍ତ୍ରୀକୁ ସେ ଛାଡ଼ପତ୍ର ଦେଇଛି। ତା’ ମା’ ଇରାନ ଓ ଭଉଣୀ ଇରାକରେ ରହୁଛନ୍ତି। ଗତ ୧୨ ମାସରେ ସେ ୧୯ ଥର ଇରାନ ଓ ଇରାକ ଗସ୍ତ କରିଥିବାରୁ ପୁଲିସ ତା’ର ବିଦେଶ ଯାତ୍ରା, ଆର୍ଥିକ କାରବାର, ମୋବାଇଲ୍‌ ରେକର୍ଡ ଓ ଡିଜିଟାଲ୍‌ ଯୋଗାଯୋଗର ତଦନ୍ତ କରୁଛି। ଏହି ଷଡ଼୍‌ଯନ୍ତ୍ର ପଛରେ କୌଣସି ଆତଙ୍କବାଦୀ ସଂଗଠନ କିମ୍ବା ବିଦେଶୀ ନେଟୱର୍କର ସମ୍ପୃକ୍ତି ରହିଛି କି ନାହିଁ, ତାହା ମଧ୍ୟ ତଦନ୍ତ କରାଯାଉଛି। ଜବତ କ୍ୟାପସୁଲ୍‌ଗୁଡ଼ିକୁ ଫରେନସିକ୍‌ ପରୀକ୍ଷା ପାଇଁ ପଠାଯାଇଛି। ଜିଙ୍କ୍ ଫସ୍‌ଫାଇଡ୍‌ ସାଧାରଣତଃ ମୂଷାମରା ବିଷ ଭାବେ ବ୍ୟବହୃତ ହୁଏ ଏବଂ ମଣିଷ ଶରୀରକୁ ଗଲେ ଏହା ପ୍ରାଣଘାତୀ ସାବ୍ୟସ୍ତ ହୋଇପାରେ।