Muharram Celebrations ଶାନ୍ତିପୂର୍ଣ୍ଣ ମହରମ ପାଇଁ ବ୍ୟାପକ ପୁଲିସ ସୁରକ୍ଷା
"କଟକ: ଜୁନ ୨୬ରେ ମୁସଲମାନ ସମ୍ପ୍ରଦାୟଙ୍କ ମହରମ ପର୍ବକୁ ସାରା ରାଜ୍ୟରେ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ପରିବେଶ ମଧ୍ୟରେ ପାଳନ କରିବା ନିମନ୍ତେ ରାଜ୍ୟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଆଜି ପୂର୍ବାହ୍ନରେ ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
Advertisment ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ବୈଠକର ଅଧ୍ୟକ୍ଷତା କରିଥିଲେ।
ବୈଠକରେ, ମହରମ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ ରଖିବା ପାଇଁ ଡିଜିପି ସମସ୍ତ ପୁଲିସ ଅଧିକାରୀଙ୍କୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରିବାକୁ କଠୋର ନିର୍ଦ୍ଦେଶ ଦେଇଛନ୍ତି।
ଏହି ପରିପ୍ରେକ୍ଷୀରେ, ସମସ୍ତ ଅଞ୍ଚଳରେ ପୁଲିସ ପାଟ୍ରୋଲିଂକୁ ଜୋରଦାର କରିବା ସହ ଆବଶ୍ୟକ ସ୍ଥଳେ ଅତିରିକ୍ତ ପୁଲିସ ଫୋର୍ସ ମୁତୟନ ଓ ସେମାନଙ୍କ ସଠିକ୍ ତଥ୍ୟ ନେଣଦେଣ ଉପରେ ଗୁରୁତ୍ଵ ଦେଇଛନ୍ତି।
ରାଜ୍ୟର ଚିହ୍ନଟ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ସ୍ଵତନ୍ତ୍ର ସୁରକ୍ଷା ଯୋଜନା ସହ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।
ବିଗତ ବର୍ଷ ମାନଙ୍କରେ ଘଟିଥିବା ବିଭିନ୍ନ ଛୋଟବଡ଼ ଘଟଣାର ସମୀକ୍ଷା କରାଯାଇ ସେହିସବୁ ସ୍ଥାନଗୁଡ଼ିକ ପ୍ରତି ଅଧିକ ଯତ୍ନବାନ ରହିବାକୁ ପରାମର୍ଶ ଦିଆଯାଇଛି।
ସୋସିଆଲ ମିଡିଆରେ ଗୁଜବ ଓ ଉତ୍ତେଜନାମୂଳକ ପୋଷ୍ଟ ପ୍ରସାରଣକୁ ରୋକିବା ପାଇଁ ୨୪ ଘଣ୍ଟିଆ ସାଇବର ପାଟ୍ରୋଲିଂ କରାଯିବା ସହ ଅପରାଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପି କହିଛନ୍ତି।
ଏହାବ୍ୟତୀତ, ସ୍ଥାନୀୟ ଅଞ୍ଚଳର ଶାନ୍ତି କମିଟି ଓ ବିଭିନ୍ନ ଗୋଷ୍ଠୀର ମୁଖ୍ୟମାନଙ୍କ ସହ ସମନ୍ଵୟ ବୈଠକ ଆୟୋଜନ କରି ପାରସ୍ପରିକ ସହଯୋଗ ମାଧ୍ୟମରେ ପର୍ବକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।
ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସଦାସର୍ବଦା ପ୍ରସ୍ତୁତ ରହିବା ସହ ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣଙ୍କ ସହ ସୁସମ୍ପର୍କ ବଜାୟ ରଖିବାକୁ ଡିଜିପି ଶ୍ରୀ ଖୁରାନିଆ ସମସ୍ତ ଜିଲ୍ଲା ଏସପିଙ୍କୁ ପରାମର୍ଶ ଦେଇଛନ୍ତି।
"