Mountaineering Training ୧୬,୫୦୦ ଫୁଟ୍ ଉଚ୍ଚତାରେ ପହଞ୍ଚିଲେ ମ୍ୟୁନିସିପାଲ କଲେଜ ଏନ୍ସିସି କ୍ୟାଡେଟ୍ ରୋଜାଲିନ୍
ରାଉରକେଲା: ପର୍ବତାରୋହଣରେ ଐତିହାସିକ ସଫଳତା ହାସଲ କରିଛନ୍ତି ମ୍ୟୁନିସିପାଲ ମହାବିଦ୍ୟାଳୟର ଏନ୍ସିସି କ୍ୟାଡେଟ୍ ରୋଜାଲିନ ମାଝୀ।
ବେସିକ୍ ମାଉଣ୍ଟେନିୟରିଂ କୋର୍ସ ସମୟରେ ୧୬,୫୦୦ ଫୁଟ୍ ଉଚ୍ଚତାରେ ପହଞ୍ଚି ଏହି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।
Advertisment ମ୍ୟୁନିସିପାଲ ମହାବିଦ୍ୟାଳୟ ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ରୀ ତଥା ନବମ ଓଡ଼ିଶା ବାଟାଲିୟନ ଏନ୍ସିସି, ରାଉରକେଲାର କ୍ୟାଡେଟ୍ ରୋଜାଲିନ ସିକିମ୍ର ଚେମଚେୟସ୍ଥ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହାଇ ଆଲ୍ଟିଟ୍ୟୁଡ୍ କ୍ଲାଇମ୍ବିଂ ଆଣ୍ଡ୍ ଆଡ୍ଭେଞ୍ଚର (ଆଇଏଚ୍ସିଏଇ) ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ବେସିକ୍ ମାଉଣ୍ଟେନିୟରିଂ କୋର୍ସରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ।
ଏହି ପ୍ରଶିକ୍ଷଣ ସମୟରେ ସେ ମାଉଣ୍ଟ୍ ବ୍ରୁମଖାଙ୍ଗ୍ସେ ବେସ୍ କ୍ୟାମ୍ପ ଅଞ୍ଚଳରେ ପ୍ରାୟ ୧୬,୫୦୦ ଫୁଟ୍ ଉଚ୍ଚତାରେ ପହଞ୍ଚି ନିଜର ସାହସିକତାର ପରିଚୟ ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ଏହି ପର୍ବତାରୋହଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ୩୦ ଜଣ ଏନ୍ସିସି କ୍ୟାଡେଟ୍ ଅଂଶଗ୍ରହଣ କରିଥିଲେ।
ପ୍ରଶିକ୍ଷଣ ସମୟରେ କ୍ୟାଡେଟ୍ମାନେ କଠିନ ପାର୍ବତ୍ୟ ପରିସ୍ଥିତିର ସମ୍ମୁଖୀନ ହେବା, ଉଚ୍ଚତା ସହ ନିଜକୁ ଖାପ ଖୁଆଇବା, ଶୃଙ୍ଖଳା, ସାହସ ଓ ଦଳଗତ ମନୋଭାବ ସମ୍ପର୍କରେ ବ୍ୟବହାରିକ ଅନୁଭୂତି ହାସଲ କରିଥିଲେ।
ଏହି ସଫଳତା ପାଇଁ ମ୍ୟୁନିସିପାଲ କଲେଜର ଅଧ୍ୟକ୍ଷ ହରିହର ଦାସ, ଏନ୍ସିସି ଅଧିକାରୀ ଲେଫ୍ଟନାଣ୍ଟ୍ ସୁରଜ ତନ୍ତୀ ଶୁଭେଚ୍ଛା ଜଣାଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
