Mobile market: ଚୀନ କମ୍ପାନି ହାତରୁ ଖସୁଛି ସ୍ମାର୍ଟଫୋନ୍ ବଜାର
ନୂଆଦିଲ୍ଲୀ: ମେମୋରି ଚିପ୍ ଦରରେ ବିଶ୍ବବ୍ୟାପୀ ହୋଇଥିବା ବୃଦ୍ଧି ଭାରତୀୟ ସ୍ମାର୍ଟଫୋନ୍ ବଜାର ସମୀକରଣକୁ ବଦଳାଇଛି।
ବହୁବର୍ଷ ଧରି ଆଧିପତ୍ୟ ବଜାୟ ରଖିଥିବା ଚୀନ କମ୍ପାନିଗୁଡ଼ିକ ହାତରୁ ବଜାର ଧୀରେ ଧୀରେ ଖସୁଛି।
ମହଙ୍ଗା ଚିପ ପ୍ରଭାବରେ ଫୋନ୍ଗୁଡ଼ିକର ଦାମ୍ ବଢ଼ିଛି।
ଫଳରେ ଗ୍ରାହକମାନେ ଚୀନ୍ କମ୍ପାନିର ଫୋନ୍ଠାରୁ ଦୂରେଇ ଯାଇ ଅନ୍ୟ ସଂସ୍ଥାର ଫୋନ୍ କିଣିବା ପସନ୍ଦ କରୁଛନ୍ତି।
ଏହା ଭାରତୀୟ ବ୍ରାଣ୍ଡ୍ଗୁଡ଼ିକ ପାଇଁ ମଧ୍ୟ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାର ସୁଯୋଗ ଦେଇଛି।
ସୁଲଭ ମୂଲ୍ୟରେ ବହୁ ସୁବିଧାସୁଯୋଗ ଥିବା ଟଚ୍ସ୍କ୍ରିନ୍ ସ୍ମାର୍ଟଫୋନ୍ ଉପଲବ୍ଧ କରାଇ ଚୀନ୍ କମ୍ପାନିଗୁଡ଼ିକ ଭାରତୀୟ ବଜାରରେ ନିଜ ସ୍ଥିତିକୁ ବେଶ୍ ଦୃଢ଼ କରିଛନ୍ତି।
ବିଶେଷ କରି ଭିଭୋ, ଓପୋ ଓ ଶାଓମି ବଜାରର ଦୁଇ ତୃତୀୟାଂଶ ଅଂଶ ନିଜ କବ୍ଜାରେ ରଖିଛନ୍ତି।
Advertisment ଚଳିତ ବର୍ଷ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଏହି ତିନି କମ୍ପାନି ନିଜ ବଜାର ଅଂଶ ହରାଇଛନ୍ତି।
ସେମାନଙ୍କ ବଜାର ଅଂଶ ୬୭%କୁ ହ୍ରାସ ପାଇଛି ଯାହା ଗତବର୍ଷ ସେହି ସମୟରେ ୭୫% ଥିଲା।
ବର୍ଷକ ଭିତରେ ସେମାନଙ୍କ ହାତରୁ ୭% ବଜାର ଖସିଯାଇଛି।
ସେହି ସମୟରେ ଭାରତୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ଗୁଡ଼ିକର ବଜାର ଅଂଶ ୨%ରୁ ବଢ଼ି ୭% ହୋଇଛି।
୨୦୧୮ ପରେ ପ୍ରଥମ ଥର ପାଇଁ ଏଭଳି ଘଟିଛି।
ମେମୋରି ଚିପ୍ ହେଉଛି ସ୍ମାର୍ଟଫୋନ୍ର ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ।
ସେଥିରେ ଡାଟା ଓ ଆପ୍ ରହିଥାଏ ଓ ଏହା ଗୁରୁତ୍ବପୂର୍ଣ୍ଣ ଷ୍ଟୋରେଜ୍ ପ୍ରଦାନ କରିଥାଏ।
କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କାର୍ଯ୍ୟକଳାପ ବଢ଼ିବା ପରେ ବିଶ୍ବବ୍ୟାପୀ ଚିପ୍ର ଅଭାବ ପରିଲକ୍ଷିତ ହୋଇଛି ଓ ସେଗୁଡ଼ିକର ଦାମ୍ ଯଥେଷ୍ଟ ବଢ଼ିଯାଇଛି।
ଫଳରେ ସୁଲଭ ମୂଲ୍ୟର ଫୋନ୍ ନିର୍ମାଣ କରିବା ଆଉ ସମ୍ଭବ ହେଉନାହିଁ।
ଏହା ଚୀନ କମ୍ପାନିଗୁଡ଼ିକ ପାଇଁ ଏକ ଅଜବ ସ୍ଥିତି ସୃଷ୍ଟି କରିଛି।
କମ୍ ଦାମ୍ରେ ଅଧିକ ସୁବିଧାସୁଯୋଗ ଥିଲା ଚୀନ୍ ସ୍ମାର୍ଟଫୋନ୍ଗୁଡ଼ିକର ମୁଖ୍ୟ ଆକର୍ଷଣ।
ଯଦି ସେମାନେ ଦର ବଢ଼ାଇବେ ତେବେ ଗ୍ରାହକ ଅନ୍ୟତ୍ର ପଳାଇବେ।
ଉତ୍ପାଦନ ଖର୍ଚ୍ଚ ବଢ଼ିଥିବାରୁ ପୂର୍ବଭଳି କମ୍ ଦାମ୍ରେ ଫୋନ୍ ବିକ୍ରି କଲେ ଲାଭ କମିଯିବା ଆଶଙ୍କା ରହିଛି।
ଏହାକୁ ଦୃଷ୍ଟିରେ ରଖି ଚୀନ୍ ସ୍ମାର୍ଟଫୋନ୍ କମ୍ପାନିଗୁଡ଼ିକ ସୁଲଭ ମୂଲ୍ୟର ଫୋନ୍ ଉତ୍ପାଦନ କମ୍ କରି ଦାମୀ ଫୋନ୍ ତିଆରି କରିବା ଉପରେ ଜୋର୍ ଦେଉଛନ୍ତି।
Mobile Phone: ସ୍ମାର୍ଟଫୋନ୍ ଦରବୃଦ୍ଧି ଭାରତର ସର୍ବାଧିକ ୨୧%, ୪୦ ମଡେଲ୍ର ଦାମ୍ ବଢ଼ିଛି ତେବେ ବର୍ତ୍ତମାନର ସ୍ଥିତି ଭାରତୀୟ ବ୍ରାଣ୍ଡ୍ଗୁଡ଼ିକୁ ପୁଣି ମୁଣ୍ଡ ଟେକିବାର ସୁଯୋଗ ଦେଇଛି।
ଲାଭା ଓ ଏଆଇ+ ଭଳି ଭାରତୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ସ୍ଥିତିର ଲାଭ ଉଠାଇବାକୁ ଉଦ୍ୟମ କରୁଛନ୍ତି।
ତେବେ ବିଶେଷଜ୍ଞମାନେ କହିଛନ୍ତି, ବଜାର ଭାଗ ହାତେଇବାକୁ ହେଲେ କେବଳ ଶସ୍ତା ମୂଲ୍ୟର ଫୋନ୍ ତିଆରି କଲେ ଚଳିବ ନାହିଁ।
ଭାରତୀୟ ବ୍ରାଣ୍ଡ୍ଗୁଡ଼ିକୁ ଫୋନ୍ର ଗୁଣବତ୍ତା, ଦୀର୍ଘସ୍ଥାୟିତ୍ବ, ସଫ୍ଟୱେର, ଗ୍ରାହକ ସେବା ଓ ଯୋଗାଣ ବ୍ୟବସ୍ଥାକୁ ମଧ୍ୟ ବିଶ୍ବସ୍ତରୀୟ କରିବାକୁ ପଡ଼ିବ।
ଏଥି ସହିତ ବିଶାଳ ଭୂଖଣ୍ଡ ଭାରତ ପାଇଁ ବିପୁଳ ପରିମାଣର ଫୋନ୍ ଉତ୍ପାଦନ କରିବାରେ ନିବେଶ ମଧ୍ୟ କରିବାକୁ ପଡ଼ିବ।
ଏହା ସେମାନଙ୍କ ପାଇଁ ମୁଖ୍ୟ ଆହ୍ବାନ ହେବ ବୋଲି ସେମାନେ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
