Migrant worker: ଦାଦନ ପୁଅର ଶବ ଆଣିବାକୁ ଜମି ବନ୍ଧକ
ଘୁ.ଉଦୟଗିରି: ବାହାଘର ପାଇଁ ନିର୍ବନ୍ଧ ସରିଥିଲା। ସୁଖର ସଂସାର ଗଢ଼ିବାକୁ ଆଖିରେ ଥିଲା ଅନେକ ସ୍ବପ୍ନ। ସ୍ୱପ୍ନକୁ ସାକାର କରିବା ପାଇଁ ରୋଜଗାର ଆଶାରେ ଯାଇଥିଲେ ଚେନ୍ନାଇ। ହେଲେ ଭାଗ୍ୟର ବିଡ଼ମ୍ବନା ବୈବାହିକ ଜୀବନ ଆରମ୍ଭ କରିବା ପୂର୍ବରୁ ଲିଭିଗଲା ଜୀବନଦୀପ। ଆଉ ମରଶରୀରକୁ ଗାଁକୁ ଫେରାଇ ଆଣିବାକୁ ଶେଷରେ ବାପାଙ୍କୁ ନିଜ ବିଲ ବନ୍ଧକ ରଖିବାକୁ ପଡ଼ିଛି। କନ୍ଧମାଳଜିଲ୍ଲା ଘୁ.ଉଦୟଗିରି ବ୍ଲକ ରାଇକଲା ପଞ୍ଚାୟତର ମାଦିନାଜୁ ଗ୍ରାମରୁ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।
ମାଦିନାଜୁ ଗ୍ରାମର ଲିଙ୍ଗନାଥ ପ୍ରଧାନଙ୍କ ପୁଅ ଚିତ୍ତରଞ୍ଜନ ପ୍ରଧାନ (୪୦) ଚେନ୍ନାଇରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ଗତ ୨୪ ତାରିଖରେ କୌଣସି କାରଣରୁ ତାଙ୍କର ହଠାତ୍ ମୃତ୍ୟୁ ଘଟିଥିଲା। ପୁଅର ମୃତ୍ୟୁରେ ଭାଙ୍ଗିପଡ଼ିଥିବା ପରିବାର ପାଇଁ ଆର୍ଥିକ ସଙ୍କଟ ଆହୁରି ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଥିଲା। ମରଶରୀରକୁ ଜନ୍ମମାଟିକୁ ଫେରାଇ ଆଣିବା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବାରେ ପରିବାରବର୍ଗ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଶେଷରେ ଅନ୍ୟ କୌଣସି ଉପାୟ ନପାଇ ବୃଦ୍ଧ ବାପା ଲିଙ୍ଗନାଥ ନିଜର ବିଲ ବନ୍ଧକ ରଖି ଟଙ୍କା ଯୋଗାଡ଼ କରିଥିଲେ। ଏହାପରେ ପୁଅର ମରଶରୀର ଗାଁକୁ ଆସିବା ସହ ଅନ୍ତିମ ସତ୍କାର ହୋଇଥିଲା।
ସ୍ୱାକର ସଭାପତି ଆମନ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ମୃତକଙ୍କ ଘରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ସମ୍ପାଦକ ହୃଷୀକେଶ ପ୍ରଧାନ, କୋଷାଧ୍ୟକ୍ଷ ସାମନ୍ତ ଶେଖର ନାୟକ, ଉପଦେଷ୍ଟା ଗୋଲକ ବିହାରୀ ପଟ୍ଟନାୟକ ଓ ଅରୁଣ କୁମାର ଷଡ଼ଙ୍ଗୀ, ସଦସ୍ୟ ସନ୍ତୋଷ ଦିଗାଲ ଓ ସଦସ୍ୟା ମୀନାକ୍ଷୀ ପ୍ରଧାନ ଉପସ୍ଥିତ ଥିଲେ। ମୃତକଙ୍କ ପରିବାରକୁ ସରକାରୀ ସୁବିଧା କିଭଳି ମିଳିପାରିବ ସେନେଇ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
