Main Wapas Aaunga: ବକ୍ସ ଅଫିସରେ ଜୋର ଧରୁଛି ‘ମେଁ ୱାପସ ଆଉଙ୍ଗା’
ମୁମ୍ବାଇ: ଇମତିଆଜ ଅଲ୍ଲୀଙ୍କ ନୂଆ ଲଭ୍ ଷ୍ଟୋରୀ ‘ମେଁ ୱାପସ ଆଉଙ୍ଗା’ ପ୍ରେକ୍ଷାଳୟରେ ଆଶାଠାରୁ ଧୀମା ଆରମ୍ଭ କରିଥିଲା। ମୁକ୍ତିର ପ୍ରଥମ କିଛି ଦିନ ଫିଲ୍ମଟି ଆଶା ଅନୁଯାୟୀ ଆୟ କରିପାରି ନଥିଲା। ତେବେ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ଏବଂ ମୁଖେମୁଖେ ପ୍ରଚାର ଯୋଗୁଁ ଏବେ ଏହାର ଦର୍ଶକ ସଂଖ୍ୟା ବଢ଼ିବାରେ ଲାଗିଛି।
ଆହୁରି ପଢ଼ନ୍ତୁ: ଛୁରା ମାଡ଼ରେ ୱାର୍ଡସଭ୍ୟଙ୍କ ମୃତ୍ୟୁ
‘ଜବ୍ ୱି ମେଟ୍’ (୨୦୦୭), ‘ରକ୍ଷ୍ଟାର୍’ (୨୦୧୧) ଏବଂ ‘ତମାଶା’ (୨୦୧୫) ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିବା ଇମତିଆଜଙ୍କ ନୂଆ ଫିଲ୍ମ ‘ମେଁ ୱାପସ ଆଉଙ୍ଗା’ ମଧ୍ୟ ଏକ ପ୍ରେମ କାହାଣୀ ଅଟେ। ଟ୍ୱିଷ୍ଟ କେବଳ ଏତିକି ଯେ, ଏହି ପ୍ରେମ କାହାଣୀରେ ଟ୍ରାଜେଡି ହେଉଛି ଭାରତ-ପାକିସ୍ତାନ ବିଭାଜନ। ଟ୍ରେଲରକୁ ଦମଦାର୍ ସକାରାତ୍ମକ ପ୍ରତିକ୍ରିୟା ମିଳିବା ସତ୍ତ୍ୱେ ବୋଧହୁଏ ‘ପାକିସ୍ତାନ ଆଙ୍ଗେଲ୍’ ଆରମ୍ଭରେ ଏହି ଫିଲ୍ମ ପାଇଁ ଏକ ସ୍ପିଡ୍ ବ୍ରେକର ସାଜିଥିଲା।
ଶୁକ୍ରବାର ଦିନ ଫିଲ୍ମଟି ୧.୧୫ କୋଟି ଟଙ୍କାର ଓପନିଂ କଲେକ୍ସନ ସହ ବକ୍ସ ଅଫିସ ଯାତ୍ରା ଆରମ୍ଭ କରିଥିଲା। ମାତ୍ର ସମୀକ୍ଷା ଏବଂ ପ୍ରଶଂସାରୁ ଏହା ସାମ୍ନାକୁ ଆସିଛି ଯେ ‘ମେଁ ୱାପସ ଆଉଙ୍ଗା’ ଏକ ଆବେଗପୂର୍ଣ୍ଣ ପ୍ରେମ କାହାଣୀ ଏବଂ ଏଥିରେ କୌଣସି ରାଜନୈତିକ କଥା ନାହିଁ। ବୋଧହୁଏ ଏହି କାରଣରୁ ଦର୍ଶକମାନେ ଫିଲ୍ମ ଦେଖିବା ପାଇଁ ପ୍ରେକ୍ଷାଳୟକୁ ଯିବାର ଆତ୍ମବିଶ୍ୱାସ ପାଇଲେ ଓ ରବିବାର ଦିନ କଲେକ୍ସନ ବୃଦ୍ଧି ପାଇ ୨.୫୦ କୋଟି ଟଙ୍କାରେ ପହଞ୍ଚିଲା।
ମଙ୍ଗଳବାର ଦିନ ଇମତିଆଜଙ୍କ ଫିଲ୍ମ ପୁଣି କମାଲ କରିଛି। ‘ବ୍ଲକବଷ୍ଟର ଟ୍ୟୁସଡେ ଅଫର’ର ସମ୍ପୂର୍ଣ୍ଣ ଫାଇଦା ଉଠାଇ ‘ମେଁ ୱାପସ ଆଉଙ୍ଗା’ ମଙ୍ଗଳବାର ଦିନ ୧.୬ କୋଟି ଟଙ୍କା ସଂଗ୍ରହ କରିଛି। ଏହା ସୋମବାର ତୁଳନାରେ ୪୦% ରୁ ଅଧିକ ବୃଦ୍ଧି। ସଂଗ୍ରହ ବୃଦ୍ଧି ଅପେକ୍ଷା ଭଲ କଥା ହେଉଛି ଶସ୍ତା ଟିକେଟ୍ ଯୋଗୁଁ ଫିଲ୍ମକୁ ଅଧିକ ଦର୍ଶକ ମିଳୁଛନ୍ତି। ଏହା ଦର୍ଶକଙ୍କ ସହ ଭାବପ୍ରବଣ ଭାବରେ ଯୋଡ଼ି ହେଉଥିବା ଫିଲ୍ମ ଅଟେ। ମଙ୍ଗଳବାର ମିଳିଥିବା ଭିଡ଼ ଯୋଗୁଁ ଫିଲ୍ମଟି ଅଧିକ ଲୋକଙ୍କ ପାଖରେ ପହଞ୍ଚିବ ଏବଂ ବକ୍ସ ଅଫିସରେ ଏହାର ପତିଆରା ମଜବୁତ ହେବ। ଏହି ଫିଲ୍ମର ଆନୁମାନିକ ବଜେଟ୍ ପ୍ରାୟ ୭୦ କୋଟି ଟଙ୍କା ବୋଲି କୁହାଯାଉଛି। ଦିଲଜିତ୍ ଦୋସାଞ୍ଜ, ନାସିରୁଦ୍ଦିନ ଶାହା, ବେଦାଙ୍ଗ ରାଇନା ଓ ଶରଭରୀଙ୍କ ଅଭିନୀତ ଏହି ଫିଲ୍ମକୁ ପ୍ରବଳ ପ୍ରଶଂସା ମିଳିଛି। ଭାବନା, ପ୍ରେମ ଓ ବିଭାଜନର ବେଦନାକୁ ନେଇ ନିର୍ମିତ ଏହି ଫିଲ୍ମ ବର୍ତ୍ତମାନ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛି।
ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ବିଜେପି ନେତାଙ୍କ ସହିତ ୩ ଜଣଙ୍କୁ ଜିଅନ୍ତା ଜାଳି ଦେଲେ ବାଲି ମାଫିଆ