Mahanadi Water Dispute: ମହାନଦୀ ଜଳ ବିବାଦ ପ୍ରସଙ୍ଗ, ଓଡ଼ିଶା-ଛତିଶଗଡ଼ ଆଲୋଚନା ସଫଳ

Jun 28, 2026 - 10:02
Mahanadi Water Dispute: ମହାନଦୀ ଜଳ ବିବାଦ ପ୍ରସଙ୍ଗ, ଓଡ଼ିଶା-ଛତିଶଗଡ଼ ଆଲୋଚନା ସଫଳ

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ୧୨ଟି ପ୍ରସଙ୍ଗରେ ସହମତି। ମହାନଦୀ ଜଳ ବଣ୍ଟନ ବିବାଦକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ବିବାଦ ଏବେ ସକାରାତ୍ମକ ମୋଡ଼ ନେଇଛି। ଦିଲ୍ଲୀରେ ଅନୁଷ୍ଠିତ ବୈଷୟିକ ଓ ଆଇନଗତ ଆଲୋଚନା ପରେ ଉଭୟ ରାଜ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସହମତି ପ୍ରକାଶ କରିଥିବା କହିଛନ୍ତି ଏଜି ପିତାମ୍ବର ଆଚାର୍ଯ୍ୟ। 

ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶକ୍ରମେ ଗତ ଜୁନ୍ ୧୬ରୁ ଜୁନ୍ ୨୬ ପର୍ଯ୍ୟନ୍ତ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଥିଲା। ବୈଷୟିକ ସ୍ତରୀୟ ଆଲୋଚନା ଶେଷ ହେବା ପରେ, ଏବେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ବୈଠକରେ ଓଡ଼ିଶା ଓ ଛତିଶଗଡ଼ର ଜଳସମ୍ପଦ ବିଭାଗର ସଚିବମାନେ ଏକାଠି ବସି ବାକି ଥିବା ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବେ। 

ମୋଟ ୧୫ଟି ବିବାଦୀୟ ବିଷୟ ମଧ୍ୟରୁ ପ୍ରାୟ ୧୨ଟି ବିଷୟରେ ସହମତି ହୋଇଛି। ବାକି ୩ଟି ଜଟିଳ ପ୍ରସଙ୍ଗକୁ ଆଗାମୀ ବୈଠକରେ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଉଭୟ ପକ୍ଷ ଆଶାବାଦୀ ଅଛନ୍ତି। ଆସନ୍ତା ଜୁଲାଇ ମାସ ୧୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।