Mahanadi Flood Threat Grows: ମହାନଦୀରେ ମାଡ଼ି ଆସୁଛି ବନ୍ୟା, ଆଜି ରାତିରେ ରଚିପାରେ ତାଣ୍ଡବ
ଉପରମୁଣ୍ଡରେ ଲଗାଣ ବର୍ଷା ପ୍ରଭାବରେ ଉଗ୍ର ହୋଇଛି ମହାନଦୀ। ଫୁଲିଛି ନଦୀ, ବୁଡ଼ିଛି ରାସ୍ତା, ଗାଁଗଣ୍ଡାରେ ପଶିଛି ବନ୍ୟା ପାଣି। ସୋନପୁରରୁ ବୌଦ୍ଧ... ବିନିକାରୁ ବାଙ୍କୀ... ଆଠଗଡ଼ରୁ ନରସିଂହପୁର... ସବୁଠି ଏବେ ବନ୍ୟାର ଭୟ ଓ ବିପର୍ଯ୍ୟୟର ଚିତ୍ର। ସେପଟେ ହୀରାକୁଦକୁ ଅବିରତ ବିପୁଳ ପରିମାଣର ବନ୍ୟା ପାଣି ପଶୁଛି। ଆଜି ରାତି ସୁଦ୍ଧା କଟକ ମୁଣ୍ଡଳୀ ଦେଇ ସାଢ଼େ ୯ ଲକ୍ଷ କ୍ୟୁସେକ୍ ପାଣି ପାସ୍ କରିବା ଆକଳନ କରାଯାଉଛି। ଫଳରେ ମହାନଦୀର ବିଭିନ୍ନ ଶାଖାନଦୀରେ ବନ୍ୟା ଆସିବ। ପ୍ରଭାବିତ ଆଶଙ୍କା ଥିବା କେନ୍ଦ୍ରପଡ଼ା, କଟକ, ପୁରୀ ଜିଲ୍ଲାର ତଳି ଅଞ୍ଚଳକୁ ସତର୍କ ସୂଚନା ଜାରି ହୋଇଛି।
ତେବେ ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ କୋପ ଆହୁରି ବଢୁଛି। ଜଳମଗ୍ନ ସାରା ସୁବର୍ଣ୍ଣପୁର। ବୀରମହାରାଜପୁର-ସୋନପୁର ରାସ୍ତା ଧର୍ମଶାଳା ନିକଟରେ କୁଲୁଥି ଜୋର ଉପରେ ପ୍ରବାହିତ ହେଉଛି ୪ ଫୁଟ୍ ଉଚ୍ଚରେ ପାଣି। ତଳିଆ ଅଂଚଳରେ ନଦୀ-ରାସ୍ତାଘାଟ ଏକାକାର। ମୁଖ୍ୟ ରାସ୍ତାରେ ବନ୍ୟା ପାଣି ଛୁଟୁଥିବାରୁ ବିଚ୍ଛିନ୍ନ ହୋଇଯାଇଛି ଯୋଗାଯୋଗ। ତେଲ୍ ନଦୀ ସହ ଅନ୍ୟ ଛୋଟ ନଦୀରେ ବି କୂଳଖାଇ ପ୍ରବାହିତ ହେଉଛି ପାଣି l ବନ୍ୟା ବିଭୀଷିକାର ଏ ସ୍ଥିତି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳର। ମନ୍ଦିର ବୁଡିଛି, ଘରଦ୍ବାର ବି। ମୁଖ୍ୟ ରାସ୍ତାରେ ଠପ୍ ହୋଇଯାଇଛି ଯାତାୟତ। ବ୍ଲକର ଘଣ୍ଟାପଡ଼ା ନିକଟ ଅଡାଗୁଡ଼ି ନାଳରେ ସେତୁ ଉପରେ ୩ ଫୁଟ୍ ଉଚ୍ଚର ପାଣି ଚାଲିଛି। ଜିଲ୍ଲାର ହରଭଙ୍ଗା ବ୍ଲକର ୧୦ରୁ ଅଧିକ ପଂଚାୟତ ପାଣି ଘେରରେ। ବିନିକାରେ ଲଗାଣ ବର୍ଷାରେ ଭାଙ୍ଗିଯାଇଛି ଘର I ଭୁଶୁଡିଯାଇଛି ମାଟି କାନ୍ଥ। ଘର ଭିତରେ ଲହଡି ମାରୁଛି ଆଣ୍ଠୁଏ ପାଣି I ତାରି ଭିତରେ ବଂଚିବାକୁ ସଂଘର୍ଷ।
ବାଙ୍କୀରେ ପଶିଲାଣି ମହାନଦୀର ବନ୍ୟା ଜଳ। ବ୍ଲକର ସୁବର୍ଣ୍ଣପୁର ପଞ୍ଚାୟତର ଘୋଡାବର୍ ଠାରେ ଥିବା ହୁଳୁହୁଳା ପୋଲ ଉପରେ ୪ ଫୁଟର ପାଣି। ଫଳରେ ବାଙ୍କୀ ବ୍ଲକ୍ ସହ ୬ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ତିଗିରିଆ ବ୍ଲକର ଅନେକ ପଞ୍ଚାୟତ ସହ ବିଛିନ୍ନ ହୋଇଛି ଯୋଗାଯୋଗ। ସେପଟେ ରଣ ନଦୀରେ ପାଣି ବଢିବାରୁ ବିଲିପଡ଼ା ଗାଁ ଭିତରକୁ ମାଡ଼ି ଯାଇଛି। ବନ୍ୟାଜଳ ଘେରରେ ରହିଛି ଦେବୀ ଦ୍ବାର।
ଗତକାଲି ରାତିରୁ ହିଁ ନଦୀ ଫୁଲି ଉଠିଥିବା ବେଳେ କୂଳରେ ଥିବା ତଳିଆ ଅଂଚଳରେ ପାଣି ପଶିବା ଆରମ୍ଭ ହୋଇଛି। ବନ୍ୟା ଜଳରେ ବୁଡ଼ିଛି ମାଆ ବଡ଼ବନ୍ଧିଆଣିଙ୍କ ମନ୍ଦିର। ତିଗିରିଆ ସୋମାପଡ଼ାରୁ ନଦୀକୂଳ ପଂଚାୟତକୁ ସଂଯୋଗ କରୁଥିବା ଏହି ରାସ୍ତାରେ ଏବେ ୫ ଫୁଟ୍ ର ପାଣି | ସେପଟେ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ଗର୍ଭଗୃହକୁ ବି ପଶିଛି ବନ୍ୟା ଜଳ। ମନ୍ଦିର ଭିତରେ ୫ ଫୁଟର ପାଣି ଚାଲିଛି। ଫଳରେ ରତ୍ନଗିରି ପାହାଡ଼ ଉପର ସର ଘରକୁ ଭଟ୍ଟାରିକାଙ୍କୁ ସ୍ଥାନାନ୍ତର କରାଯାଇଛି। ମହାନଦୀ ଜଳସ୍ତର ବଢୁଥିବାରୁ ସିଂହନାଥ ଓ ଭଟ୍ଟାରିକା ପୀଠରେ BNSର ୧୬୩ ଧାରା ଲାଗୁ ହୋଇଛି।
ସମ୍ବଲପୁର ତଳିଆ ଅଂଚଳରେ ବର୍ଷା ବନ୍ଦ ରହିଛି ହେଲେ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପ୍ରବଳ ପାଣି ପଶୁଛି। ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ଥିବା ବେଳେ ମଧ୍ୟାହ୍ନ ସୁଦ୍ଧା ଜଳସ୍ତର ୬୨୦.୪୫ ଫୁଟ୍ ରେ ପହଞ୍ଚିଛି। ଏବେ ଜଳଭଣ୍ଡାରର ୨ ଟି ଗେଟ୍ ଖୋଲା ରହିଛି।
ମହାନଦୀରେ ଆସୁଥିବା ବନ୍ୟା ନେଇ ସତର୍କ କରାଇଛନ୍ତି ଜଳସଂଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ। ସେ କହିଛନ୍ତି, ଆଜି ରାତି ଓ କାଲି ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ରାତି ସୁଦ୍ଧା ମୁଣ୍ଡଳୀ ଦେଇ ସାଢ଼େ ୯ ଲକ୍ଷ କ୍ୟୁସେକ୍ ଜଳ ପାସ୍ କରିବ। ଫଳରେ ମହାନଦୀର ଶାଖା ନଦୀ ଲୁଣା, କରାଣ୍ଡିଆ, ଚିତ୍ରତ୍ପୋଳା, ପାଇକା ଏବଂ ଦେବୀ ନଦୀରେ ବନ୍ୟା ଆସିବ। କନ୍ଦଳ, କୁଶଭଦ୍ରା, ଭାର୍ଗବୀ, ଦୟା ନଦୀରେ ମଧ୍ୟ ଜଳସ୍ତର ବଢ଼ିବ। ବନ୍ୟାରେ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହେବ। କଟକ ଜିଲ୍ଲାର ବାଙ୍କୀ ଓ ଆଠଗଡ଼ ଅଂଚଳ ମଧ୍ୟ ମହାନଦୀ ପାଇଁ ପ୍ରଭାବିତ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।