liquor trader: ଅସାଧୁ ମଦ ବେପାରୀ?
ଛନ୍ଦା ମିଶ୍ର କିଛି ଦିନ ତଳେ ଏକ ପ୍ରମୁଖ ଖବରକାଗଜର ପ୍ରଥମ ପୃଷ୍ଠାରେ ପ୍ରକାଶିତ ଖବରର ଶିରୋନାମାଟି ଏକା ସାଙ୍ଗରେ ଚକିତ ଆଉ ଦୁଃଖିତ କଲା।
ଶୀର୍ଷକଟି ଥିଲା 'ଅସାଧୁ ମଦ ବ୍ୟବସାୟୀଙ୍କ ଉପରେ ତାତିଲେ ମହିଳା'।
ଖବରଟି ପଢ଼ି ସାରିଲା ପରେ ମୋ ଆଈର ଗୋଟିଏ ଢଗ ମନେ ପଡ଼ିଲା: 'ବେହିଆ ମୁହଁରେ ବଥ ହେଇଚି, ବେହିଆ କହୁଚି ମୋତେ ଛାଇ କରୁଛି'।
ଲୋକେ ଭାବନ୍ତି ଯେ ଅସାଧୁ ମଦ ବେପାରୀ ସିଏ, ଯିଏ ବିନା ଲାଇସେନ୍ସରେ ଅର୍ଥାତ୍ ଚୋରାରେ ମଦ ବିକେ।
କିନ୍ତୁ ମୋ ମନରେ ପ୍ରଶ୍ନ ଉଠେ ଯେ ତା' ହେଲେ ଯିଏ ସରକାରଙ୍କ ଲାଇସେନ୍ସ ପାଇ ମଦ ବିକ୍ରି କରୁଛି, ତାକୁ କ'ଣ ସାଧୁ ମଦ ବେପାରୀ ବୋଲି କହିବା?
ମୁଁ ତ ଭାବେ ଯେ ମଦ ବେପାରୀ ମାତ୍ରକେ ଅସାଧୁ; କାରଣ ମଦ ହିଁ ମନ୍ଦ ଏବଂ ମଦ ନିଶାରୁ ସବୁ ହୀନ କାର୍ଯ୍ୟ ହୋଇଥାଏ।
କିଛି ଦିନ ତଳେ, ଭୁବନେଶ୍ୱରରେ, ସ୍ୱାମୀକୁ ହତ୍ୟା କରିଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ପୁଲିସ ଗିରଫ କଲା।
କିନ୍ତୁ ଏ ଅପରାଧର ଥିଲା ଏକ ଅସହନୀୟ ଯନ୍ତ୍ରଣା ଓ ଯାତନାର ପୃଷ୍ଠଭୂମି।
କଥା ହେଲା; ପ୍ରତ୍ୟେକ ଦିନ ମଦ ନିଶାରେ ମାତାଲ ପୁରୁଷ ଲୋକଟି ସ୍ତ୍ରୀ ଓ ପିଲାଛୁଆଙ୍କୁ ନିର୍ଘାତ ବାଡ଼ିଆପିଟା କରୁଥିଲା; ଅକଥନୀୟ ଶାରୀରିକ ଓ ମାନସିକ ଯାତନା ଦେଉଥିଲା।
ଅଗତ୍ୟା, ଦିନେ ନିପୀଡ଼ିତର ଧୈର୍ଯ୍ୟର ବନ୍ଧ ଭାଙ୍ଗି ଯାଇଥିବ!
ସେଭଳି ସ୍ଥଳେ ସଚରାଚରେ ଯାହା ହୁଏ, ସେଭଳି ବୋଧହୁଏ ଘଟିଯାଇଥିବ।
ମୁଁ ତ କହିବି ଏଠି ପ୍ରକୃତ ହତ୍ୟାକାରୀ ହେଉଛି ମଦ!
ଦୋଷ ଦେବା କାହାକୁ?
ମଦମୁକ୍ତ ଓଡ଼ିଶା ସମ୍ଭବ କରିବେ ବୋଲି ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିଣିଥିବା ସରକାର ଓଡ଼ିଶାକୁ ମଦ ମଗ୍ନ କରିବାରେ ଲାଗିଛନ୍ତି।
ଗାଁ ଗାଁରେ, ଗଳି କନ୍ଦିରେ ମଦ ଦୋକାନ।
ଏବେ ଟିକେ ପରିସଂଖ୍ୟାନ ଉପେର ଦୃଷ୍ଟି ପକାଇବା।
ଆମ ରାଜ୍ୟର ଅବକାରୀ ରାଜସ୍ୱ ୨୦୨୦-୨୧ରେ ଥିଲା ୫,୪୦୦ କୋଟି ଟଙ୍କା, ଯାହା ୨୦୨୪-୨୫ରେ ହୋଇଛି ୧୧,୪୨୯ କୋଟି ଟଙ୍କା; ଅର୍ଥାତ୍ ପାଞ୍ଚ ବର୍ଷରେ ୧୧୨% ବୃଦ୍ଧି।
ଏହି ସମୟଖଣ୍ଡରେ ବିଅର ବିକ୍ରି ୪୭୧ ଲକ୍ଷ ଲିଟରରୁ ୧୬୭୮ ଲକ୍ଷ ଲିଟରକୁ, ଦେଶୀ ମଦ ବିକ୍ରି ୮୨ ଲକ୍ଷ ଲିଟରରୁ ୧୮୩ ଲକ୍ଷ ଲିଟରକୁ ବୃଦ୍ଧି ପାଇଛି।
ଏହା ସହିତ ତାଳ ଦେଇ ବଢ଼ି ଚାଲିଛି ହିଂସା ଓ ଅପରାଧ।
ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (୨୦୨୨) ଅନୁସାରେ ଭାରତରେ ୬୦% ଘରୋଇ ହିଂସାରେ ଅଭିଯୁକ୍ତ ମଦ୍ୟପାନ କରିଥାଏ।
୨୦୨୩ରେ ଓଡ଼ିଶାରେ ମଦ୍ୟପାନଜନିତ ଗାଡ଼ି ଦୁର୍ଘଟଣାରେ ୨୫୪ ଜଣ ମୃତ୍ୟୁବରଣ କରିଥିବାବେଳେ ୨୦୨୪ରେ ମଦ୍ୟପାନଜନିତ ସଡ଼କ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ଥିଲା ୬୧୪୨, ଯେଉଁ ସଂଖ୍ୟା ଦେଶରେ ସର୍ବାଧିକ।
ଏଠି ଅସଂଗତିଟିକୁ ଲକ୍ଷ୍ୟ କରନ୍ତୁ।
ରାଜପଥ କଡ଼ରେ ମଦର ବନ୍ୟା ଛୁଟିଛି।
କିନ୍ତୁ ସରକାର ଚାହାନ୍ତି ଯେ ମଦୁଆମାନେ ସୁନା ପିଲା ଭଳି ଘରେ ରହି ନିଜ ପରିବାର ସଦସ୍ୟମାନଙ୍କ ଗହଣରେ ମଦ ପିଅନ୍ତୁ ଓ ଘରୁ ବାହାରକୁ ନ ବାହାରନ୍ତୁ!
ସଡ଼କରେ ଏଣେ ମାତାଲ ଗାଡ଼ି ଚାଳକମାନଙ୍କ ଭିଡ଼।
ପୁଲିସମାନେ ଗାଡ଼ି ଚାଳକମାନଙ୍କ ନିଃଶ୍ବାସ ପରଖୁଛନ୍ତି, କାରଣ ନିଶାଗ୍ରସ୍ତ ହୋଇ ଗାଡ଼ି ଚଳାଇବା ହେଉଛି ଏକ ଅପରାଧ, ଯେଉଁଥି ଲାଗି ଜରିମାନାର ବ୍ୟବସ୍ଥା ଅଛି।
ସରକାରଙ୍କ ବୁଦ୍ଧିକୁ ତାରିଫ କରିବାକୁ ହେବ।
ମଦ ନିଷେଧ ସଂଦର୍ଭରେ ଆମ ଆଗରେ ବିହାର ମଡେଲ ଏକ ଧ୍ରୁବତାରା ଭଳି ଉଭା।
ନୀତୀଶ କୁମାରଙ୍କ ସରକାର ଅମଳରେ ବିହାର ମଦମୁକ୍ତ ହେବା ପରେ ପ୍ରାୟ ୨୪ ଲକ୍ଷ ଲୋକ ମଦ୍ୟପାନ କରିବା ଛାଡ଼ି ସାରିଲେଣି ବୋଲି ରିପୋର୍ଟ ବାହାରିଛି; ମହିଳାମାନଙ୍କ ଉପରେ ହେଉଥିବା ନିର୍ଯାତନାରେ ମଧ୍ୟ ୫% ହ୍ରାସ ଘଟିଛି।
ଗଲା ନିର୍ବାଚନରେ ନୀତୀଶ କୁମାରଙ୍କ ଦଳ 'ଜେଡି-ୟୁ'କୁ ଜିତାଇବାରେ ଏକ ବଡ଼ ଭୂମିକା ନିର୍ବାହ କରିଥିଲେ ମହିଳା ଭୋଟର, ଯାହା ଥିଲା ନୀତୀଶଙ୍କ ପ୍ରତି ସେମାନଙ୍କ କୃତଜ୍ଞତା ଜ୍ଞାପନର ଚିହ୍ନ!
ଆମ ରାଜ୍ୟରେ ଏବେ ମଦ ବିରୋଧୀ ଅଭିଯାନ ଓ ଆନ୍ଦୋଳନମାନ ଚାଲିଛି; ଅନେକ ସ୍ଥାନରେ ଏହାର ନେତୃତ୍ବ ନେଉଛନ୍ତି ମହିଳାମାନେ!
କାରଣ ମଦ୍ୟପ ସ୍ବାମୀ ବା ପୁଅଙ୍କ ଦୌରାତ୍ମ୍ୟରୁ ସମଗ୍ର ପରିବାର ଭୁଶୁଡ଼ିଯିବାର ଦୁଃଖ େସମାନେ ହିଁ ଅଧିକ ଭୋଗୁଛନ୍ତି।
ଆମ ସରକାର ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ସୁଭଦ୍ରା ଯୋଜନା ଆରମ୍ଭ କଲେ।
କିନ୍ତୁ, ହିସାବ ରଖିଛନ୍ତି କି ଯେ ଏହି ସୁଭଦ୍ରା ଟଙ୍କାକୁ ଝାଂପି ନେବା ଲାଗି କେତେ ମଦ୍ୟପ ସ୍ବାମୀ ବା ପୁଅମାନେ ଚାହିଁ ବସିଥାଆନ୍ତି!
ସେ ଦିନ କେହି ଜଣେ କହୁଥିଲେ ଯେ ସୁଭଦ୍ରା ଟଙ୍କାର ଏକ ବଡ଼ ଅଂଶ ସରକାର ଫେରି ପାଉଛନ୍ତି ଅବକାରୀ ରାଜସ୍ବ ବାବଦରେ।
ଅଧିକ ମଦ ବିକ୍ରିରୁ ରାଜସ୍ବ ବୃଦ୍ଧି ଓ ସେଥିରୁ ଜନସାଧାରଣଙ୍କୁ ପ୍ରଲୋଭିତ କଲା ଭଳି କିଛି ଅନୁଦାନର ବ୍ୟବସ୍ଥା, ଯେଉଁ ଅନୁଦାନ ଟଙ୍କାର ଅନେକ ଅଂଶରେ ପୁଣି ମଦ କିଣା; ଏ ସବୁ ଏକ ଦୁଶ୍ଚକ୍ରର ଚିତ୍ର ଦେଉ ନାହିଁ କି?
ଏହି ଚକ୍ର କବଳରୁ ମୁକ୍ତି ପାଇବାକୁ ହେଲେ ସରକାର ଦୃଢ଼ ଇଚ୍ଛାଶକ୍ତିର ଅଧିକାରୀ ହେବା ଉଚିତ।
କିନ୍ତୁ ସରକାରଙ୍କ ପାଖରେ ସେ ଦୃଢ଼ତା ଅଛି ତ? (ମତାମତ ଲେଖକଙ୍କ ନିଜସ୍ବ) ମୋ: ୯୪୩୭୪୫୩୬୧୦ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
