Lightning: ବିଲରେ ଧାନତଳି ରୋଉଥିଲେ ମହିଳା କୃଷି ଶ୍ରମିକ; ତାଣ୍ଡବ ରଚିଲା ବଜ୍ରପାତ
"ସୁନ୍ଦରଗଡ଼/ବଣାଇ: ଓଡ଼ିଶାରେ ଖରିଫ ଋତୁର ଚାଷ କାମ ଜାରି ରହିଛି।
ଚାଷୀମାନେ କିଛି ଦିନ ହେଲା ରାଜ୍ୟବ୍ୟାପୀ ଧାନ ବେଉସଣ ଏବଂ ଧାନତଳି ରୁଆ କାମ କରୁଛନ୍ତି।
ଆଜି ସୁନ୍ଦରଗଡ଼ ଜିଲ୍ଲା ତଳସରା ଏବଂ ବଣାଇ ଥାନା ଅଞ୍ଚଳରେ ବିଲରେ ଧାନ ତଳି ରୋଉଥିବାବେଳେ ବଜ୍ରାଘାତରେ ୪ ଜଣ ମହିଳା ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି।
ବଜ୍ରପାତରେ ମୃତ ବ୍ୟକ୍ତିମାନେ ହେଲେ ଚମ୍ପା ତିର୍କୀ, ସୁଶିଳା ତିର୍କୀ, ସୁନିତା ଓରାମ (୩୩) ଓ ଦ୍ରୌପଦୀ କିଷାନ (୩୫)।
Advertisment ସୂଚନା ଅନୁସାରେ ପଡୋଶୀ ଛତିଶଗଡ଼ ବାରଡିହି ତୁମଲା ବାସିନ୍ଦା ଚମ୍ପା ତିର୍କୀ ଏବଂ ସୁଶିଳା ତିର୍କୀଙ୍କ ସହିତ ଅନ୍ୟ ମହିଳା ଏବଂ ପୁରୁଷ ଶ୍ରମିକମାନେ ବାଲିଶଙ୍କରା ଅଞ୍ଚଳର ବାଟିପଡ଼ାରେ ଏକ ଖେତରେ ଧାନ ରୋପଣ କରୁଥିଲେ।
ଅପରାହ୍ଣ ସମୟରେ ଘଡ଼ଘଡ଼ି ବର୍ଷା ସହିତ ବଜ୍ରପାତ ହୋଇଥିଲା। ବିଲ ଉପରେ ବଜ୍ରପାତ ତାଣ୍ଡବ ରଚିଥିଲା।
ଚମ୍ପା ତିର୍କୀ ଏବଂ ସୁଶିଳା ତିର୍କୀ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ।
ଅନ୍ଯ ୨୦ ଶ୍ରମିକ ବଜ୍ରାଘାତରେ ଆହତ ହୋଇଥିଲେ।
ଆହତମାନଙ୍କୁ ଉଦ୍ଧାର କରାଯାଇ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଛି।
Lightning Strikes ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରାଘାତ, ୫ ମୃତ, ୧୦ଜଣ ଗୁରୁତର ସେହିପରି ବଣାଇଁ ଥାନା ଅନ୍ତର୍ଗତ ଇନ୍ଦ୍ରପୁର ଗ୍ରାମରେ ଚାଷଜମିରେ ଆଜି ଧାନ ରୁଆ କାମ ଚାଲିଥିଲା।
ଏଠାରେ ୧୧ ଜଣ ମହିଳା ଧାନ ରୁଆ କାମରେ ନିୟୋଜିତ ହୋଇଥିଲେ।
ଏହି ସମୟରେ ଘଡ଼ଘଡ଼ି ସହ ବିଜୁଳି ଓ ବଜ୍ରପାତ ହୋଇଥିଲା।
ବଜ୍ରପାତରେ ସୁନିତା ଓରାମ ଓ ଦ୍ରୌପଦୀ କିଷାନ ଗୁରୁତର ହୋଇ ଚାଷଜମିରେ ପଡ଼ିଯାଇଥିଲେ।
ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରିଥିଲେ।
ତେବେ ଡାକ୍ତର ପରୀକ୍ଷା କରି ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ଟିକାୟତପାଲି ଥାନା ଅନ୍ତର୍ଗତ ଝିରଡାପାଲି ଗ୍ରାମର ସଞ୍ଜୁକ୍ତା ଚାରଦିଆ (୪୦) ମଧ୍ୟ ଚାଷଜମିରେ କାମ କରୁଥିବା ସମୟରେ ବଜ୍ରପାତର ଶିକାର ହୋଇ ଗୁରୁତର ହୋଇଥିଲେ।
ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବଣାଇଁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
ରିପୋର୍ଟ: ଡମ୍ବରୁଧର ନାୟକ/ଚିନ୍ମୟ ତ୍ରିପାଠୀ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
