Life-Mantra: ଜୀବନ-ମନ୍ତ୍ର: କାର୍ତ୍ତିକ ପୂର୍ଣ୍ଣିମା କଥା

Nov 24, 2026 - 08:40
Life-Mantra: ଜୀବନ-ମନ୍ତ୍ର: କାର୍ତ୍ତିକ ପୂର୍ଣ୍ଣିମା କଥା

କାର୍ତ୍ତିକ ଏକ ଧର୍ମମାସ ଏବଂ ଏହାର ପୂର୍ଣ୍ଣିମା ପରମ ପୁଣ୍ୟପ୍ରଦ।

ଏ ବିଶ୍ବାସ ଓଡ଼ିଶାର ଜନସମାଜରେ ଦୃଢ଼ ଭାବରେ ପ୍ରତିଷ୍ଠିତ।

ଏହାର ଅବ୍ୟବହିତ ପୂର୍ବରୁ ଶୁକ୍ଳ ଏକାଦଶୀ ଦିନ ବିଷ୍ଣୁ ଉତ୍‌ଥାପନ ଏକାଦଶୀ ପାଳିତ ହୋଇଥାଏ।

ଆଷାଢ଼ ଶୁକ୍ଳ ଏକାଦଶୀ ଦିନ, କ୍ଷୀରସାଗରରେ, ଶେଷନାଗଙ୍କ ଶଯ୍ୟା ଉପରେ ଯୋଗନିଦ୍ରାରେ ଶୟନ କରିଥିବା ବିଷ୍ଣୁ ଏହିଦିନ ଜାଗ୍ରତ ହୁଅନ୍ତି।

ପୁରାଣ ପ୍ରସଙ୍ଗ ଅନୁସାରେ, ଏହିଦିନ କିମ୍ବା ତାହାର ପରଦିନ ତୁଳସୀଦେବୀଙ୍କ ସହିତ ଭଗବାନ ବିଷ୍ଣୁଙ୍କର ବିବାହ ଅନୁଷ୍ଠିତ‌ ହୋଇଥାଏ।

ଏହି ଦିନଠାରୁ ଚାତୁର୍ମାସ୍ୟା ବ୍ରତର ପରିସମାପ୍ତି ‌ଘଟେ।

ସେହିପରି ପ୍ରତିବର୍ଷ କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଶିବ ଉତ୍‌ଥାପନ ଚତୁର୍ଦ୍ଦଶୀ ଅନୁଷ୍ଠିତ ହୁଏ।

ଆଷାଢ଼ ମାସରେ, ମିଥୁନ ସଂକ୍ରାନ୍ତି ସମୟରେ ଯୋଗନିଦ୍ରାରେ ଶୟନ କରିଥିବା ଶିବ ଚାରିମାସର ନିଦ୍ରା ପରେ ଏହିଦିନ ଜାଗ୍ରତ ହୁଅନ୍ତି।

ସେଥିପାଇଁ ଦୀର୍ଘ ପ୍ରାୟ ଚାରିମାସ ଧରି, ଉଭୟ ବିଷ୍ଣୁ ଓ ଶିବଙ୍କ ଶୟନ ଯୋଗୁଁ ବନ୍ଦ ରହିଥିବା ବିବାହ, ବ୍ରତ ଆଦି ମାଙ୍ଗଳିକ କାର୍ଯ୍ୟ ଏହି ସମୟରୁ ଆରମ୍ଭ ହୁଏ।

ଏଥିପାଇଁ ଏହା ଜନସମାଜରେ ଆନନ୍ଦ ଉତ୍ସବର ସମୟ ରୂପେ ପରିଗଣିତ ହୁଏ।

Advertisment କାର୍ତ୍ତିକ ପୂର୍ଣ୍ଣିମା ହେଉଛି କାର୍ତ୍ତିକ ବ୍ରତ ଉଦ୍‌ଯାପନର ଦିନ।

ଆଶ୍ବିନ ଶୁକ୍ଳ ଏକାଦଶୀଠାରୁ ଆରମ୍ଭ ହୋଇଥିବା କାର୍ତ୍ତିକ ବ୍ରତ ଏହିଦିନ ଉଦ୍‌ଯାପିତ ହୁଏ।

ଆଶ୍ବିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଏହି ବ୍ରତ ପାଳନ ହେବା ପରେ ଏକାଦଶୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳିତ ହୋଇଥାଏ ପଞ୍ଚକ।

ଏହି ପାଞ୍ଚଦିନ ପରମ ପବିତ୍ର ରୂପେ ବିବେଚିତ ହୁଏ।

'ବ୍ରହ୍ମପୁରାଣ'ରେ ପାଞ୍ଚଟି ଉପାଖ୍ୟାନ ମାଧ୍ୟମରେ ବିଷ୍ଣୁଙ୍କର ମାହାତ୍ମ୍ୟ ବର୍ଣ୍ଣିତ ହୋଇଛି।

ଏହା 'ବିଷ୍ଣୁ-ପଞ୍ଚକ' ଭାବରେ ଖ୍ୟାତ।

ବଳରାମ ଦାସଙ୍କ 'ଜଗମୋହନ ରାମାୟଣ'ରେ 'ବକପଞ୍ଚକ' ନାମରେ ଏକ ଆଖ୍ୟାନ ଅଛି।

ଏହା ଅନୁସାରେ, ଶ୍ରୀରାମ ଏକ ବଗକୁ ବର ଦେଇଥିଲେ- କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଯିଏ ଆମିଷ ଭୋଜନ କରିବ, ତାକୁ ଦୋଷ ଲାଗିବ।

ଏହି ପାଞ୍ଚଦିନ ଯିଏ ଆମିଷ ନ ଖାଇବ, ତାକୁ ଚାତୁର୍ମାସ୍ୟା ବ୍ରତର ଫଳ ମିଳିବ।

କାର୍ତ୍ତିକ ପୂର୍ଣ୍ଣିମା ଏହି ପଞ୍ଚକର ମଧ୍ୟ ଉଦ୍‌ଯାପନର ଦିନ।

କାର୍ତ୍ତିକ ପୂର୍ଣ୍ଣିମା ଦିନ ଆମର ପରମ୍ପରା ଅନୁସାରେ ଡଙ୍ଗା ଭସାଯାଏ।

ଏହା ଆମର ପ୍ରାଚୀନ ନୌ-ବାଣିଜ୍ୟର ସ୍ମୃତି।

ଏହି ଡଙ୍ଗାଭସା ବେଳେ ''ଆ-କା-ମା-ବୈ'' କୁହାଯାଏ।

ଏହା ଚାରି ଧର୍ମ ମାସ- ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖକୁ ସୂଚିତ କରେ।

ଏହି ଡଙ୍ଗାଭସା ବେଳେ ''ସାରା କାର୍ତ୍ତିକ ମାସର ଧର୍ମ ମୋତେ ମିଳୁ'' ବୋଲି ପ୍ରାର୍ଥନା କରାଯାଏ।

'ପଦ୍ମପୁରାଣ' ଆଧାରରେ ମହାଦେବ ଦାସ ଯେଉଁ 'କାର୍ତ୍ତିକ ମାହାତ୍ମ୍ୟ' ଲେଖିଛନ୍ତି, ସେଥିରେ କାର୍ତ୍ତିକ ବ୍ରତର ଧର୍ମଫଳ ବର୍ଣ୍ଣିତ ହୋଇଛି।

ଏହାର ଷଡ଼ବିଂଶ (୨୬) ଅଧ୍ୟାୟରେ, ଶ୍ରୀକୃଷ୍ଣ ସତ୍ୟଭାମାଙ୍କୁ ଯାହା କହିଥିଲେ, ସୁତମୁନି ଅନ୍ୟ ମୁନିଗଣଙ୍କୁ ତାହା କହିଛନ୍ତି।

ତାହା ହେଉଛି- କାର୍ତ୍ତିକବ୍ରତ ସକଳ ବ୍ରତ ମଧ୍ୟରେ ସାର।

ଏହା ହେଉଛି ସଂସାର-ନଦୀର କର୍ଣ୍ଣଧାର ବା ନାଉରୀ।

ମନରେ, ଜ୍ଞାନରେ ଯେ ବିଷ୍ଣୁଙ୍କୁ ଆଶ୍ରା କରି ଏହି ବ୍ରତ ପାଳନ କରନ୍ତି, ସେ ଧର୍ମ, ଅର୍ଥ, କାମ ଓ ମୋକ୍ଷ- ଚତୁର୍ବର୍ଗର ଫଳ ପାଆନ୍ତି।

ଏହି କାର୍ତ୍ତିକ ବ୍ରତର ଉଦ୍‌ଯାପନ ଦିବସ ରୂପେ କାର୍ତ୍ତିକ ପୂର୍ଣ୍ଣିମା ପରମ ପୁଣ୍ୟର ଦିନ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)