Kakatpur Nutrition Controversy: ପୋଷଣ ନାଁରେ ପ୍ରତାରଣା; ମାସକୁ ୧୫ଲକ୍ଷ ଖର୍ଚ୍ଚ, ମିଳୁନି ପୁଷ୍ଟିକର ଖାଦ୍ୟ, ସୁଜିରେ ସାଲୁବାଲୁ ପୋକ
ଶିଶୁ, କିଶୋରୀ ଓ ପ୍ରସୂତିଙ୍କୁ ପୃଷ୍ଟିକର ଖାଦ୍ୟ ପାଇଁ ମାସକୁ ଖର୍ଚ୍ଚ ହେଉଛି ୧୫ ଲକ୍ଷରୁ ଅଧିକ ଟଙ୍କା।
ହେଲେ ମିଳୁନି ଉପଯୁକ୍ତ ପୃଷ୍ଟିକର ଖାଦ୍ୟ।
କେଉଁଠି ଖାଦ୍ୟର ମାନ ଖରାପ ତ ଆଉ କେଉଁଠି ଓଜନରେ କାଟ୍ ଛାଟ୍।
କାକଟପୁରର ୧୮୨ଟି ଅଙ୍ଗନବାଡ଼ିକୁ ଖାଦ୍ୟ ଯୋଗାଣରେ ଏଭଳି ସାଂଘାତିକ ଅବ୍ୟବସ୍ଥା ନେଇ ଅଭିଯୋଗ ହୋଇଛି।
ଜନଶୁଣାଣିରେ ଏହାକୁ ନେଇ ବାରମ୍ବାର ହଙ୍ଗାମା ସତ୍ବେ ବ୍ୟବସ୍ଥାରେ ଆସୁନି କିଛି ବି ସୁଧାର।
Advertisment ସୁଜିରେ ସାଲୁବାଲୁ ପୋକ, ଆଉ ଖଜୁରୀ, ବୁଟ କଥା ନକହିବା ଭଲ।
ଶିଶୁ, କିଶୋରୀ ଓ ପ୍ରସୂତିଙ୍କୁ ଏଭଳି ନିମ୍ନମାନର ଖାଦ୍ୟ ଯୋଗାଇ ଦିଆଯାଉଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଆସିଛି ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରୁ।
ଏଠାରେ ୧୮୨ଟି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ଯୁକ୍ତ ଖାଦ୍ୟ ଯୋଗାଇବାକୁ ସରକାର ଖର୍ଚ୍ଚ କରୁଛନ୍ତି ୧୫ଲକ୍ଷରୁ ଅଧିକ ଟଙ୍କା।
କାକଟପୁର ବ୍ଲକର ୧୮୨ଟି ଅଙ୍ଗନବାଡ଼ିକୁ ଦୁଇଟି ଏସ୍ ଏଚ୍ ଜି ଗ୍ରୁପ୍ ଦୀର୍ଘ ୧୬ ବର୍ଷ ଧରି ଖାଦ୍ୟ ଯୋଗାଣ କରୁଛନ୍ତି।
ହେଲେ ଛତୁଆ, ସୁଜି, ଚଣା, ଖଜୁରୀ ଓ ଲଡୁର ମାନକୁ ନେଇ ଉଠିଛି ପ୍ରଶ୍ନ।
ଏହା ଖାଇବା ଯୋଗ୍ୟ ନୁହେଁ ବୋଲି ଅଭିଯୋଗ ହୋଇଛି।
କେବଳ ଖାଦ୍ୟର ମାନ ନୁହେଁ, ଓଜନରେ ବି ହେଉଛି କାଟ୍ ଛାଟ୍।
୧୫୦୦ ଗ୍ରାମ ବଦଳରେ ମିଳୁଛି ମାତ୍ର ୧ କିଲୋ ଚଣା।
୫୦୦ ଗ୍ରାମ ଖଜୁରୀ ବଦଳରେ ୩୦୦ ଗ୍ରାମ।
ଦୁଇ ପ୍ୟାକେଟ୍ ଲଡୁ ବଦଳରେ ଗୋଟିଏ ପ୍ୟାକେଟ ଲଡୁ ମିଳୁଥିବା ଅଭିଯୋଗକୁ କରିଛନ୍ତି ହିତାଧିକାରୀ।
Advertisment ଅଭିଯୋଗର ପାହାଡ଼ ଭିତରେ ଜନଶୁଣାଣିରେ ହଙ୍ଗାମା।
ଜିଲ୍ଲା ଅଧିକାରୀଙ୍କ ସାମ୍ନାରେ ମୁହାଁମୁହିଁ ହୋଇଥିଲେ ଜନପ୍ରତିନିଧି ଓ ଏସ୍ ଏଚ୍ ଜି କର୍ମକର୍ତ୍ତା।
ଅନ୍ୟପଟେ ଏସ୍ ଏଚ୍ ଜିର ସମ୍ପାଦିକାଙ୍କ ସହ ଫୋନ୍ ରେ ଯୋଗାଯୋଗ ସତ୍ତ୍ୱେ ପ୍ରତିକ୍ରିୟା ମିଳିପାରିନାହିଁ।
ସେପଟେ କିନ୍ତୁ ଅଭିଯୋଗକୁ ସ୍ବୀକାର କରିଛନ୍ତି ବିଡ଼ିଓ ଓ ସିଡ଼ିପିଓ।
ଜନଶୁଣାଣିରେ ଅଭିଯୋଗ ପରେ ଫିଲ୍ଡ ଭିଜିଟ୍ କରାଯାଇଥିଲା।
ହିତାଧିକାରୀଙ୍କୁ କମ୍ ଓଜନର ସାମଗ୍ରୀ ମିଳିଲେ ଫେରାଇ ଦେବାକୁ କୁହାଯାଇଥିଲା।
ହେଲେ ଏଠାରେ ସଂପୃକ୍ତ ଏସଏଚଜି ଗ୍ରୁପ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ କି ନାହିଁ ତାହାକୁ ନେଇ କିଛି ବି ସ୍ପଷ୍ଟ କରିନାହାଁନ୍ତି ଅଧିକାରୀ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ସଂପୃକ୍ତ ସଂସ୍ଥା ପ୍ରତି ଏତେ ଅନୁକମ୍ପ କାହା ପାଇଁ।
ବାରମ୍ବାର ଅଭିଯୋଗ ପରେ କାହିଁକି ସଂପୃକ୍ତ ସଂସ୍ଥାକୁ ଏଥିରୁ ବାଦ ଦିଆଯାଉନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
