Judgement: କେନ୍ଦ୍ର ସରକାରଙ୍କୁ ନୋଟିସ୍, ଟେଲିଗ୍ରାମ୍କୁ ଅନ୍ତରୀଣ ଆଶ୍ବସ୍ତି ମିଳିଲାନି
ନୂଆଦିଲ୍ଲୀ: ଜୁନ୍ ୨୧ ତାରିଖରେ ନିଟ୍-ୟୁଜି ପୁନଃ ପରୀକ୍ଷା ହେବା ପର୍ଯ୍ୟନ୍ତ କେନ୍ଦ୍ର ସରକାର ଇନ୍ଷ୍ଟାଣ୍ଟ ମେସେଜିଂ ଆପ୍ ଟେଲିଗ୍ରାମ୍କୁ ସାରା ଦେଶରେ ଅସ୍ଥାୟୀ ଭାବେ ବନ୍ଦ କରିଦେଇଛନ୍ତି। ପୁନଃ ପରୀକ୍ଷାରେ ସ୍ବଚ୍ଛତା ଓ ସୁରକ୍ଷା ସୁନିଶ୍ଚିତ କରିବାପାଇଁ ସରକାର ଏହି ପଦକ୍ଷେପ ନେଇଥିବା ବେଳେ ଟେଲିଗ୍ରାମ୍ ଏହାକୁ ଆଜି ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି। କୋର୍ଟ ମଧ୍ୟ ଏହି ମାମଲାକୁ ଜରୁରୀ ଭିତ୍ତିରେ ଶୁଣାଣି କରିଛନ୍ତି।
ଟେଲିଗ୍ରାମ୍ ଆବେଦନ ଆଧାରରେ ହାଇକୋର୍ଟ ସରକାରଙ୍କୁ ଏକ ନୋଟିସ୍ କରିଛନ୍ତି। ଏହି ନୋଟିସ୍ ଉପରେ ଜବାବ ରଖିବାପାଇଁ ଆସନ୍ତାକାଲି ପର୍ଯ୍ୟନ୍ତ ସମୟ ଦେବାକୁ ସରକାର ବିଚାରପତିଙ୍କୁ ଅନୁରୋଧ କରିବାରୁ ଜଷ୍ଟିସ୍ ତେଜସ କାରିଆ ଏଥିପାଇଁ ଅନୁମତି ଦେଇଛନ୍ତି। ଗୁରୁବାର ଅପରାହ୍ନ ୨ଟା ୩୦ରେ କୋର୍ଟ ଏହି ମାମଲାର ଶୁଣାଣି ରଖିଛନ୍ତି।
ଆହୁରି ପଢ଼ନ୍ତୁ: NEET: ସିକରରେ ପୁଣି ଜୀବନ ହାରିଲେ ଜଣେ ନିଟ୍ ଆଶାୟୀ
ତେବେ ଟେଲିଗ୍ରାମକୁ କୌଣସି ଅନ୍ତରୀଣ ଆଶ୍ବସ୍ତି ମିଳିନାହିଁ। ଶୁଣାଣି ସମୟରେ ଜଷ୍ଟିସ କାରିଆ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ ଟେଲିଗ୍ରାମ୍ ମଞ୍ଚକୁ ନେଇ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ଯଥାର୍ଥ କି ? ଏହାର ଉତ୍ତରରେ ସଲିସିଟର ଜେନେରାଲ ତୁଷାର ମେହଟା କହିଥିଲେ, ଏହି ମଞ୍ଚକୁ ଲଗାତାର ଭାବେ ଏହାର ସିଷ୍ଟମ୍କୁ ଠିକ୍ କରିବାପାଇଁ କୁହାଯାଇଛି । କିନ୍ତୁ ସେମାନେ ଏଥିରେ ବିଫଳ ହୋଇଛନ୍ତି ଏବଂ ଏହାର ଫଳ ସ୍ବରୂପ ପ୍ରଶ୍ନପତ୍ର ପ୍ରଘଟ ହୋଇଛି।
ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ସରକାର କହିଥିଲେ ଯେ ଏନ୍ଟିଏ (ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି)ର ପରାମର୍ଶ କ୍ରମେ ଟେଲିଗ୍ରାମ୍ ଆପ୍ ଉପରେ ଅସ୍ଥାୟୀ ନିଷେଧାଜ୍ଞା ଜାରି କରାଯାଉଛି। ସରକାର କହିଛନ୍ତି ଯେ ପ୍ରଶ୍ନପତ୍ର ପ୍ରଘଟ ରୋକିବା ସହ ମିଛ ରୋକିବା ଏବଂ ପରୀକ୍ଷା ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବାପାଇଁ ସରକାର ଏହି ଅସ୍ଥାୟୀ ନିଷିଦ୍ଧାଦେଶ ଜାରି କରିଛନ୍ତି। ତେବେ ଟେଲିଗ୍ରାମ ପ୍ରତିଷ୍ଠାତା ପାବେଲ ଡୁରବ ଏହି ପଦକ୍ଷେପକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଭାରତ ସରକାର ସପ୍ତାହକ ପାଇଁ ଟେଲିଗ୍ରାମ୍ ଉପରେ ନିଷିଦ୍ଧାଦେଶ ଲଗାଇଛନ୍ତି। କିନ୍ତୁ ଏହା କୋଟି କୋଟି ୟୁଜରଙ୍କୁ ପ୍ରଭାବିତ କରିବ। କିଛି ୟୁଜର ଲିକ୍ ହୋଇଥିବା ପ୍ରଶ୍ନପତ୍ର ସେୟାର କରୁଛନ୍ତି ବୋଲି ସରକାର ଟେଲିଗ୍ରାମ ନିଷିଦ୍ଧ କରିଛନ୍ତି। କିନ୍ତୁ ଏହା ଦ୍ବାରା ସାଧାରଣ ଟେଲିଗ୍ରାମ ୟୁଜରମାନେ ପ୍ରଭାବିତ ହେଉଛନ୍ତି। ସେ କହିଛନ୍ତି, ନିଷେଧାଜ୍ଞା ଦ୍ବାରା ପ୍ରଶ୍ନପତ୍ର ପ୍ରଘଟକୁ ରୋକି ହେବନି। ଲିକ୍ ଅନ୍ୟ ଆପ୍କୁ ମଧ୍ୟ ଯାଇପାରିବ ବୋଲି ସେ କହିଛନ୍ତି।