Electricity Tariffs ବିଦ୍ୟୁତ୍ ଦର ବଢ଼ିଲେ ଆନ୍ଦୋଳନ: ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ
"ଭୁବନେଶ୍ୱର: ରାଜ୍ୟରେ ଦରଦାମ ହୁହୁ ହୋଇ ବଢ଼ିଚାଲିଛି।
ଏହି ସମୟରେ ବର୍ଦ୍ଧିତ ବିଦ୍ୟୁତ୍ ଦର ଉପଭୋକ୍ତାଙ୍କୁ କଷ୍ଟ ଦେଉଛି।
ବିଦ୍ୟୁତ୍ ଯୋଗାଣରେ ବିଶୃଙ୍ଖଳା ବେଡ଼ି ଉପରେ କୋରାଡ଼ା ମାଡ଼ ଭଳି ହୋଇଛି।
ଏଭଳି ସ୍ଥିତିରେ ଯଦି ବିଦ୍ୟୁତ୍ ଦର ବଢ଼େ ତେବେ ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ମହାସଂଘର ସମ୍ପାଦକ ଏକ ପ୍ରେସ୍ ବିବୃତ୍ତିରେ ସୂଚନା ଦେଇଛନ୍ତି।
Advertisment ସମ୍ପାଦକ ରବି ବେହେରା କହିଛନ୍ତି, ଆଜି ଏକ ବୈଠକ ସଂଗଠନର ରାଜ୍ୟ ଅଧ୍ୟକ୍ଷ ପଞ୍ଚାନନ କାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ, ଓଡିଶା ପାୱାର ଟ୍ରାନ୍ସମିଶନ ଲିମିଟେଡ଼ ଓ ଟାଟା ପାୱାର ପକ୍ଷରୁ ଶୁଳ୍କ ବଢେଇବା ପାଇଁ ଓଇ ଆର ସିଙ୍କ ନିକଟରେ ଯେଉଁ ଆବେଦନ କରାଯାଇଛି ତାହାକୁ ବୈଠକରେ ନିନ୍ଦା କରାଯାଇଥିଲା।
ଏହି ପ୍ରସଙ୍ଗରେ ଆଗାମୀ ଦିନରେ ମହାସଂଘର ଏକ ପ୍ରତିନିଧି ଦଳ ଓ ଇ ଆର ସି ଅଧ୍ୟକ୍ଷ ଓ ଶକ୍ତିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଭେଟି ଦାବିପତ୍ର ଦିଆ ଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ଏହାବ୍ୟତୀତ ବିଜୁଳି କମ୍ପାନୀମାନଙ୍କର ଆୟ ବ୍ୟୟର ସି ଏ ଜି ଅଡିଟ କରିବା, ସ୍ମାର୍ଟ ମିଟର ଲଗେଇବା ବନ୍ଦ କରିବା, ଲୋକଙ୍କ ଠାରୁ ବିଜୁଳି କମ୍ପାନୀମାନେ ବିଗତ ଦିନରେ ଆଦାୟ କରିଥବା ଅଧିକ ଶୁଳ୍କ ଫେରସ୍ତ କରିବା, ଏଟିସ କ୍ଷତି କମିଥିବା ଯୋଗୁଁ ୟୁନିଟ ପିଛା ଶୁଳ୍କ ଏକ ଟଙ୍କା କୋଡିଏ ପଇସା କମେଇବା ଓ ପାୱାର କଟ ବନ୍ଦ କରିବା ଓ ଆଗାମୀ ଦିନରେ ବିଜୁଳି ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଟାଟା ପାୱାର ସାଉଥ, ଟାଟା ପାୱାର ନର୍ଥ, ଟାଟା ପାୱାର ୱେଷ୍ଟ ଓ ଟାଟା ପାୱାର ସେଣ୍ଟ୍ରାଲ ସ୍ତରରେ ସଂଗଠନକୁ ନୂଆ ରୂପରେଖ ଦେବାକୁ ମଧ୍ୟ ଆଲୋଚନା ହୋଇଛି।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମହାସଂଘର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ରବି ଦାସ, ଆଶିଷ କାନୁନଗୋ, ପ୍ରଦୀପ୍ତ ନାୟକ, ମହେନ୍ଦ୍ର ପରିଡା, ଜ୍ୟୋତି ରଞ୍ଜନ ମହାପାତ୍ର, ପ୍ରଭାସ ସାମନ୍ତରାୟ, ହେମନ୍ତ କୁମାର, ପ୍ରମିଳା ବେହେରା, ସୌମ୍ୟ ରଞ୍ଜନ ମହାପାତ୍ର, ସାମାଜିକ କର୍ମୀ ସୁବାସ ପଣ୍ଡା, ମାନସ ଜେନା ଓ ସାହିତ୍ୟିକ କୃଷ୍ଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ।
"