ବସ୍ ଭିତରେ ଚାଲିଛି ମଦ ଆସର, ମଦୁଆଙ୍କ ପାଇଁ ନିରାପଦ ସ୍ଥାନ ପାଲଟିଛି OSRTC ବସ୍ !
ସୁନ୍ଦରଗଡ଼. ୩୦।୬: ସରକାରୀ ନିୟମକୁ ବେଖାତିର । ସର୍ବସାଧାରଣ ସେବା ପ୍ରଦାନ କରୁଥିବା ଏକ ସରକାରୀ ଅନୁଷ୍ଠାନ ଏବେ ମଦୁଆଙ୍କ ଆଡ୍ଡାସ୍ଥଳୀରେ ପରିଣତ ହୋଇଛି । ସୁନ୍ଦରଗଡ଼ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC) କାର୍ଯ୍ୟାଳୟ ପରିସରରୁ ଆସିଛି ଏଭଳି ଏକ ସାଙ୍ଘାତିକ ତଥା ଲଜ୍ଜାଜନକ ଚିତ୍ର, ଯାହା ବିଭାଗୀୟ ସ୍ଵଚ୍ଛତା ଓ ଶୃଙ୍ଖଳା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମିଳିଥିବା ସୂଚନା ମୁତାବକ, ସୁନ୍ଦରଗଡ଼ OSRTC ବସ୍ ସେବା କାର୍ଯ୍ୟାଳୟ ପରିସରରେ ଅନେକ ସରକାରୀ ବସ୍ ପାର୍କିଂ କରି ରଖାଯାଇଛି । ସାଧାରଣ ଲୋକଙ୍କ ଯାତାୟାତ ସୁବିଧା ପାଇଁ ସରକାର ଏହି ବସ୍ଗୁଡ଼ିକୁ ଯୋଗାଇ ଦେଇଥିବା ବେଳେ, ଏଠାକାର କିଛି ଅମାନିଆ କର୍ମଚାରୀ ଓ ଅଧିକାରୀ ଏହାକୁ ମଦର ଆସର ଭାବେ ବ୍ୟବହାର କରୁଛନ୍ତି । ଦିନ ଦ୍ୱିପ୍ରହର ହେଉ କି ସଞ୍ଜ ନଇଁଲେ, ବସ୍ଗୁଡ଼ିକର ଭିତର ଭାଗ ଏହି ବାବୁମାନଙ୍କ ପାଇଁ ଏକ ନିରାପଦ ମଦ ଆଡ୍ଡା ପାଲଟୁଛି ।
ଏହା ବି ପଢ଼ନ୍ତୁ... BJD News: ଆଗକୁ ଜୋରଦାର ହେବ ବିଜେଡ଼ି ସାଂଗଠନିକ କାର୍ଯ୍ୟକ୍ରମ,ଓଡ଼ିଶା ସାରା ବୁଲିବେ ସୁଜାତା, ନେତା, କର୍ମୀ ଓ ସାଧାରଣ ଲୋକଙ୍କ ସହ ମିଶିବେ
ଦେଇ ଏଠାରେ କାର୍ଯ୍ୟରତ କିଛି କର୍ମଚାରୀ ନିୟମିତ ଭାବେ ମଦ ପିଇ ଆସର ଜମାଉଥିବା ଦେଖିବାକୁ ମିଳିଛି । ସରକାରୀ କର୍ତ୍ତବ୍ୟକୁ ପଛରେ ପକାଇ ମଦର ମାହୋଲ ଜମୁଛି । ସରକାର ଲୋକଙ୍କ ଟିକସ ପଇସାରେ ପରିବହନ ସେବା ଯୋଗାଇ ଦେଉଥିବା ବେଳେ, ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଏଭଳି ଦାୟିତ୍ୱହୀନ ମନୋଭାବକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ଘଟଣାର ଭିଡିଓ ଓ ଚିତ୍ର ସାମ୍ନାକୁ ଆସିବା ପରେ OSRTC କର୍ତ୍ତୃପକ୍ଷଙ୍କ ନୀରବତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି । ଡ୍ୟୁଟି ସମୟରେ କିମ୍ବା ସରକାରୀ ପରିସର ଭିତରେ ଏଭଳି ଅସଦାଚରଣ କରୁଥିବା କର୍ମଚାରୀଙ୍କ ବିରୋଧରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ କେଉଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।