Investment: ପୋସ୍କୋ ଓ ଜେଏସ୍ଡବ୍ଲ୍ୟୁ ମୁଖ୍ୟଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଓ ପୁଞ୍ଜିନିବେଶ ବଢ଼ାଇବା ଲକ୍ଷ୍ୟରେ ମୁମ୍ବାଇ ଗସ୍ତର ଦ୍ଵିତୀୟ ଦିନରେ ପୋସ୍କୋ ଓ ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ର ମୁଖ୍ୟ ଓ ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋଚନା କରିଛନ୍ତି।
ବୈଠକରେ ପୋସ୍କୋ ଇଣ୍ଡିଆର ମୁଖ୍ୟ ଏସ୍ ଏଲ୍ ଚୁନ୍, ମୁମ୍ବାଇ କାର୍ଯ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଜେସି କିମ୍ ଓ ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଯୋଗ ଦେଇଥିଲେ।
Advertisment ଓଡ଼ିଶାରେ ନୂଆ ଶିଳ୍ପ ପ୍ରତିଷ୍ଠା, ପୁଞ୍ଜିନିବେଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ନେଇ ଏହି ଆଲୋଚନାରୁ ଆଶା ସୃଷ୍ଟି ହୋଇଛି।ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ଓଡ଼ିଶା ଶିଳ୍ପ ପ୍ରତିଷ୍ଠା ଓ ପୁଞ୍ଜିନିବେଶ ପାଇଁ ଏକ ଅନୁକୂଳ ରାଜ୍ୟ।
ନିବେଶକମାନଙ୍କୁ ଆବଶ୍ୟକ ସହଯୋଗ ଓ ସୁବିଧା ଯୋଗାଇଦେବାକୁ ସରକାର ପ୍ରତିବଦ୍ଧ।
ରାଜ୍ୟକୁ ଅଧିକ ପୁଞ୍ଜିନିବେଶ ଆଣିବା, ଯୁବକଯୁବତୀଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଓ ଅର୍ଥନୈତିକ ବିକାଶକୁ ଆଗକୁ ନେବା ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି।
ବୁଝାମଣାପତ୍ର ସ୍ୱାକ୍ଷର ଦକ୍ଷିଣ କୋରିଆର ପ୍ରମୁଖ ଇସ୍ପାତ କମ୍ପାନି ପୋସ୍କୋର ଓଡ଼ିଶା ସହ ସମ୍ପର୍କ ବହୁ ପୁରୁଣା।
୨୦୦୫ ଜୁନ୍ରେ କମ୍ପାନି ଜଗତସିଂହପୁର ଜିଲ୍ଲାରେ ବାର୍ଷିକ ୧୨ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କ୍ଷମତା ବିଶିଷ୍ଟ କାରଖାନା ସ୍ଥାପନ ପାଇଁ ଓଡ଼ିଶା ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା।
ଏଥିପାଇଁ ପ୍ରାୟ ୫୨ ହଜାର କୋଟି ଟଙ୍କା ନିବେଶର ଯୋଜନା ଥିଲା।
ସେତେବେଳେ ଏହା ଦେଶର ସବୁଠାରୁ ବଡ଼ ବିଦେଶୀ ପୁଞ୍ଜିନିବେଶ ପ୍ରସ୍ତାବ ମଧ୍ୟରୁ ଅନ୍ୟତମ ଥିଲା।
ତେବେ ଜମି ଅଧିଗ୍ରହଣକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ, ପରିବେଶ ସମ୍ପର୍କିତ ସମସ୍ୟା ଓ ଖଣି ଅଧିକାରକୁ ନେଇ ଅନିଶ୍ଚିତତା ଯୋଗୁଁ ପ୍ରକଳ୍ପ ଆଗେଇ ପାରି ନଥିଲା।
ଶେଷରେ ୨୦୧୭ରେ ପୋସ୍କୋ ଏହି ପ୍ରକଳ୍ପରୁ ଓହରି ଯାଇଥିଲା।
ମିଳିତ ଉଦ୍ୟୋଗ ଚୁକ୍ତି ତେବେ ପ୍ରାୟ ଆଠ ବର୍ଷ ପରେ ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ ସହ ମିଶି ପୋସ୍କୋ ପୁଣି ଓଡ଼ିଶାରେ ବଡ଼ ଇସ୍ପାତ କାରଖାନା ସ୍ଥାପନ ଯୋଜନାରେ ସାମିଲ ହୋଇଛି।
୨୦୨୪ ଅକ୍ଟୋବରରେ ଉଭୟ କମ୍ପାନି ଇସ୍ପାତ ଓ ସବୁଜ ଶକ୍ତି କ୍ଷେତ୍ରରେ ମିଳିତ ଭାବେ କାମ କରିବା ପାଇଁ ବୁଝାମଣା କରିଥିଲେ।
୨୦୨୫ ଅଗଷ୍ଟରେ ଭାରତରେ ବାର୍ଷିକ ୬ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ଇସ୍ପାତ କାରଖାନା ସ୍ଥାପନ ପାଇଁ ଉଭୟ କମ୍ପାନି ଆଗ୍ରହପତ୍ରରେ ସ୍ୱାକ୍ଷର କରିଥିଲେ।
ଏହି ପ୍ରକଳ୍ପ ପାଇଁ ଓଡ଼ିଶାକୁ ଏକ ସମ୍ଭାବ୍ୟ ସ୍ଥାନ ଭାବେ ବିଚାର କରାଯାଇଥିଲା।
ଏହି ଯୋଜନା ଆଗକୁ ବଢ଼ି ୨୦୨୬ ଏପ୍ରିଲରେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ଓ ପୋସ୍କୋ ମଧ୍ୟରେ ଓଡ଼ିଶାରେ ବାର୍ଷିକ ୬ ନିୟୁତ ଟନ୍ ଉତ୍ପାଦନ କ୍ଷମତାର ଏକ ନୂଆ ଇସ୍ପାତ କାରଖାନା ସ୍ଥାପନ ପାଇଁ ମିଳିତ ଉଦ୍ୟୋଗ ଚୁକ୍ତି ହୋଇଥିଲା।ଏହି ପ୍ରକଳ୍ପ ଢେଙ୍କାନାଳ ଜିଲ୍ଲାରେ ସ୍ଥାପନ ହେବାର ଯୋଜନା ରହିଛି।
କେନ୍ଦୁଝର ଜିଲ୍ଲାରେ ମଧ୍ୟ ଜେଏସଡବ୍ଲ୍ୟୁ ଓ ପୋସ୍କୋ ମିଳିତ ଭାବେ ପ୍ରକଳ୍ପ କରିବାକୁ ଯାଉଛନ୍ତି।
Brown Sugar : କୁଆଖିଆରେ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ୨ ଗିରଫ; ୫ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
