Inflation Storm Hits Kitchens: ହାଣ୍ଡିଶାଳରେ ମହଙ୍ଗା ଝଡ଼, ବଜାରକୁ ଗଲେ ଦର ଶୁଣି ଚମକି ପଡ଼ୁଛନ୍ତି ଗ୍ରାହକ
ଚିନି କେଜି ୫୫, ସୋରିଷ ତେଲ ଲିଟର ୧୯୦। ବଜାରକୁ ଗଲେ ଏମିତି ଦର ଶୁଣି ଚମକି ପଡ଼ୁଛନ୍ତି ଗ୍ରାହକ। ଓଲଟପାଲଟ ହୋଇଗଲାଣି ରୋଷେଇ ଘରର ହିସାବ। ଦରବୃଦ୍ଧିର ରକେଟ୍ ବେଗ ଭିତରେ ଅଧିକ କନ୍ଦାଉଛି ଚିନି। କାରଣ ଗଲା ମେ ମାସରେ ୪୦ରୁ ୪୫ ଟଙ୍କା ବିକ୍ରି ହେଉଥିବା ଚିନି ଏବେ ୫୫ ଉପରେ। ମାସେ ଭିତରେ ଦର ବଢିଲାଣି ୧୦ ଟଙ୍କାରୁ ଅଧିକ। ତଥ୍ୟ ଉପରେ ନଜର ପକାଇଲେ, ମେ ମାସରେ ଚିନି କୁଇଣ୍ଟାଲ ଦାମ୍ ଥିଲା ୪, ୧୦୦ ଟଙ୍କା। ଆଉ ଏବେ ୫ ହଜାର ହେଲାଣି। ସେପଟେ ତେଲ ଭାଉ ବି କିଛି କମ୍ ନୁହେଁ । ରିଫାଇନ୍ ତେଲ ଲିଟର ୧୭୦କୁ ବୃଦ୍ଧି ପାଇଥିବାବେଳେ ସୋରିଷ ତେଲ ୧୯୦ ପାର୍ କଲାଣି। ଏମିତି ବଢିଲେ ଆରମାସକୁ ଡବଲ ସେଞ୍ଚୁରୀ ପାର୍ କରିବାକୁ ବି ଏଡ଼ାଇ ଦିଆଯାଇନପାରେ। ୟା ଭିତରେ ଚାଉଳ ମୂଲ୍ୟ ମଧ୍ୟ କେଜି ପିଛା ପ୍ରାୟ ୧୫ ଟଙ୍କା ବଢିଲାଣି। ସେହିଭଳି ହୋଲସେଲ ମାର୍କେଟରେ ବିରିଡାଲି କୁଇଣ୍ଟାଲ ପିଛା ହଜାରେ ଟଙ୍କା ବଢିଛି। ମଇଦା, ସୁଜି ଭହି ଗମହଜାତ ଦ୍ରବ୍ୟ କେଜି ପିଛା ପ୍ରାୟ ୫ ଟଙ୍କା ଲେଖାଏଁ ବୃଦ୍ଧି ପାଇଛି। ଅନ୍ୟ ରାସନ ସାମଗ୍ରୀ ମଧ୍ୟ ଅଳ୍ପବହୁତେ ବଢିଛି। ବଜାରରେ ଦରବୃଦ୍ଧିର ଲମ୍ବଡିଆଁ ଖାଉଟିଙ୍କୁ ବେହାଲ୍ କରିସାରିଲାଣି।
ତେବେ କାହିଁକି ଖାଉଟିଙ୍କ ଉପରେ ଦରବୃଦ୍ଧି ପ୍ରହାର ? ହଠାତ୍ ରେଟ୍ ବଢିବା ପଛର କାରଣ କଣ ? ସାଧାରଣତଃ ଚିନି ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ। ଜାତୀୟ ବଜାରରେ ବର୍ଦ୍ଧିତ ଆଖୁ ଦର ଓ ଇଥାନଲ ପାଇଁ ଆଖୁର ବ୍ୟାପକ ବ୍ୟବହାର ଚିନି ଦର ବୃଦ୍ଧିର ପ୍ରମୁଖ କାରଣ ବୋଲି କୁହାଯାଉଛି। ଏପଟେ ରାଜ୍ୟ ବ୍ୟବସାୟୀ ସଂଘର କହିବା ଅନୁସାରେ, ଏଲ୍ ନିନୋ ପ୍ରଭାବରେ ଏବର୍ଷ ଅମଳ କମିବା ଆଶଙ୍କା କରାଯାଉଛି। ଏଣୁ ବିଭିନ୍ନ କମ୍ପାନୀମାନେ ସାମଗ୍ରୀ ଷ୍ଟକ ରଖି ଦେଉଛନ୍ତି। ଯାହାକି ବରଦାମ ବୃଦ୍ଧିର ପ୍ରମୁଖ କାରଣ। ଅନ୍ୟପଟେ ବିଶ୍ୱ ବଜାରର ଅସ୍ଥିରତା, ଶ୍ରମିକଙ୍କ ମଜୁରୀ ବୃଦ୍ଧି, ପେଟ୍ରୋଲ-ଡିଜେଲ ଦାମ ବଢ଼ିବା ଯୋଗୁଁ ପରିବହନ ଖର୍ଚ୍ଚ ବୃଦ୍ଧିର ସିଧାସଳଖ ପ୍ରଭାବ ରାସନ ସାମଗ୍ରୀ ଦର ଉପରେ ପଡୁଛି।
ଗଲା ୧୫ ଦିନ ହେବ ପରିବା ଦର ପାହାରରେ ଆକ୍ତାମାକ୍ତା ଖାଉଟି। ବଜାରରେ ୫୦ ତଳକୁ କୌଣସି ପରିବା ନାହିଁ। ଗ୍ୟାସଠୁ ପେଟ୍ରୋଲ ଡିଜେଲ୍ ସବୁ ମହଙ୍ଗା। ଲୋକେ ପରିବାଠୁ ଡାଲିଚାଉଳ କିଣିବାକୁ ଡରିଲେଣି। ଏଭଳି ସ୍ଥିତିରେ ଯେଉଁ ଜିନିଷ କିଣିବା ପୂର୍ବରୁ ଦୁଇଥର ଭାବିବାକୁ ପଡ଼ୁନଥିଲା, ଏବେ ସେହି ନିତ୍ୟବ୍ୟବହୃତ ସାମଗ୍ରୀ ଆଣିଲା ବେଳକୁ ପକେଟ କାନ୍ଦୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।