Heavy Rains Trigger Flood Across Odisha: ଦାଉ ସାଧୁଛି ମହାନଦୀର ବ୍ୟାକ୍ ୱାଟର୍, ସାଳନ୍ଦୀ ଓ କାଂଶବାଂଶ ନଦୀରେ ୩ଟି ଘାଇ
ସାପୁଆ ନଦୀରେ ବନ୍ୟା, ରାସ୍ତା ଡେଇଁଲା ଉଛୁଳା ପାଣି। ଗାଁ ଗଣ୍ଡାରେ ଜଳବନ୍ଦୀ ସ୍ଥିତି। କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ସୋମବାର ସକାଳୁ ସାପୁଆ ନଦୀର ଉଛୁଳା ପାଣି କଟକ-ସମ୍ବଲପୁର ରାସ୍ତା ଡେଇଁ ଆଠଗଡ଼ ଅଞ୍ଚଳକୁ ପଶିଛି। ଆଠଗଡ଼ NAC କନ୍ତୋଲରେ 5 ଫୁଟର ପାଣିକୁ ଦେଖି ଠପ୍ ହୋଇଥିଲା ଯାତାୟତ। ସେପଟେ ସମସରପୁର ପଞ୍ଚାୟତରେ ବି ବନ୍ୟାଜଳ ପଶିବାରୁ ଜଳବନ୍ଦୀ ହୋଇଛନ୍ତି ପଞ୍ଚାୟତ ବାସିନ୍ଦା। ଏପଟେ ମହାନଦୀ ଫୁଲିବାରୁ କଟକ ବଡ଼ମ୍ବା ଭଟ୍ଟାରିକା ମନ୍ଦିର ପରିସରରେ ଏବର୍ଷ ଦ୍ବିତୀୟ ଥର ପାଇଁ ପଶିଛି ବନ୍ୟା ପାଣି। ମନ୍ଦିରକୁ କ୍ରମେ ବଢ଼ିପାଣି ବୁଡାଉଥିବାରୁ ସ୍ଥାନୀୟ ତହସିଲଦାର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।
ସେପଟେ ଭଦ୍ରକ ଜିଲ୍ଲାର କିଛି ଅଞ୍ଚଳରେ ଲୋକଙ୍କ ପାଇଁ ବନ୍ୟାର ଦୁଃଖ ଆଣିଛି ସାଳନ୍ଦୀ ଓ ନାଳିଆ ନଦୀ। ଏ ଦୁଇ ନଦୀରେ ସୃଷ୍ଟି ହୋଇଛି ତିନିଟି ଘାଇ। ସାଳନ୍ଦୀ ନଦୀର ଲଞ୍ଜାଠାରେ ୬୦ଫୁଟ ଲମ୍ବର ଘାଇ ପାଣି ଏବଂ ବିଲଣା ପଞ୍ଚାୟତରେ ନାଳିଆ ନଦୀରେ ଆଉ ଏକ ଘାଇ ପରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଅନ୍ୟପଟେ କୁବେରା ପଞ୍ଚାୟତର ଦେଉଳାଠାରେ ସାଳଦୀ ନଦୀରେ ଆଉ ଏକ ୩୦ ଫୁଟ୍ ଲମ୍ବର ଘାଇ ପରେ ଦେଉଳା, କୁବେରା, ଜୟପୁର, ଆଦି ଗାଁ ପାଣି ଘେରରେ ରହିଛି। ବୁଡ଼ି ରହିଛି ଶହ ଶହ ଏକର ଚାଷ ଜମି। ସେପଟେ କାଂଶବାଂଶ ଓ ଗମେଇ ନଦୀର ପ୍ରଥମ ବନ୍ୟା ଜଳ ନଥମୁଣୁ ଦ୍ୱିତୀୟ ଥର ବନ୍ୟା ଆସିବାରୁ ବାସୁଦେବପୁର ବ୍ଲକରେ ବହୁ ଘରଦ୍ବାର, ଚାଷବାସ ଏବଂ ଜୀବନଜୀବିକା ପ୍ରଭାବିତ ହୋଇଛି।...ରାସ୍ତାରେ ୩ ଫୁଟ ଉଚ୍ଚର ପାଣି ଲହଡ଼ି ଭାଙ୍ଗୁଥିବାରୁ ଯାତାୟତ ବି ଠପ୍ ହୋଇଯାଇଛି।
ପୂର୍ବ ଓ ଉତ୍ତର ଭଳି ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ବି ଲୋକଙ୍କ ପାଇଁ ସମସ୍ୟା ଆଣିଦେଇଛି ଲଗାଣ ବର୍ଷା। ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର-ଆମରପାଲି ରାସ୍ତାର ଭୂତିଆପାଲି ନିକଟ ଘୁଙ୍ଗୀ ନାଳ ସେତୁ ଉପରେ ୪ ଫୁଟ ପାଣି ଚାଲୁଥିବାରୁ ଏ ରାସ୍ତାରେ ଯୋଗାଯୋଗ ସଂପୂର୍ଣ୍ଣ ବନ୍ଦ୍ ରହିଛି। ସୋନପୁରରୁ ସମ୍ବଲପୁର, ରେଢ଼ାଖୋଲ, ଚାରମାଳ ସହ ବୀରମହାରାଜପୁର ବ୍ଲକର ୩ଟି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି। ସେହିଭଳି ଦକ୍ଷିଣ ଓଡ଼ିଶାର ରାୟଗଡ଼ା ଜିଲ୍ଲାର କିଛି ଅଞ୍ଚଳକୁ ବେହାଲ କରିଛି ଲଗାଣ ବର୍ଷା। ଆଜି ସକାଳେ ଟିକିରି ଷ୍ଟେସନ୍ ନିକଟରେ ରେଳ ଧାରଣାରେ ୨ ଫୁଟ ଉଚ୍ଚର ପାଣି ଜମିବାରୁ ରେଳ ଚଳାଚଳ ପ୍ରଭାବିତ ହୋଇଥିଲା। ପ୍ରାୟ ଦୁଇ ଘଣ୍ଟା ଧରି ଅଟକି ରହିଥିଲା କୋରାପୁଟ–ବିଶାଖାପାଟଣା ଏକ୍ସପ୍ରେସ। ସେହିପରି ରାଉଳୀ ଷ୍ଟେସନ୍ ନିକଟ ଟ୍ରାକରେ ମଧ୍ୟ ବର୍ଷା ପାଣି ଜମି ରହିଥିଲା।
ଏପଟେ ରାଜ୍ୟରେ ଲଗାଣ ବର୍ଷା ଓ କିଛି ଅଞ୍ଚଳରେ ସାମାନ୍ୟ ବନ୍ୟା ସ୍ଥିତିକୁ ଦେଇ ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି। ଆଲର୍ଟ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ବୈଠକ ପରେ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉପର ମୁଣ୍ଡରେ ବର୍ଷା ନଥିବାରୁ ବନ୍ୟାର କୌଣସି ଆଶଙ୍କା ନଥିବା ମନ୍ତ୍ରୀ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।